ଦୁର୍ଘଟଣା ନେଲା ୮ ଜୀବନ

ଭ୍ୟାନ୍‌ ଓଲଟି ୪ ମୃତ, ୨୦ ଆହତ, ହସ୍ପିଟାଲରେ ଭର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ମାଥିଲି/ଭୁବନେଶ୍ବର :ଲୋକଙ୍କୁ ନେଇ ଉଜ୍ଜଳା କାର୍ଯ୍ୟକ୍ରମକୁ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍‌ ଓଲଟି ପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମ-ସିରାଗୁଡ଼ା ମଧ୍ୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥର ମଧ୍ୟ ଡ୍ରାଇଭର୍‌ର ବେପରୱା ଗାଡ଼ିଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ମାଥିଲିଠାରେ ଆଜି ଉଜ୍ଜ୍ବଳା ସ୍ବାଭିମାନ ଦିବସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପାଙ୍ଗାମ ଗାଁର ରାମ ଖରାଙ୍କ ନେତୃତ୍ବରେ କିଛି ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗାଁରୁ ବାହାରିଥିଲେ। ସେମାନେ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୩୦ସି ୧୧୬୬)ରେ ୩୦ରୁ ଊର୍ଧ୍ବ ଲୋକ ବସିଥିଲେ।

ତେବେ, ଗାଁ ଠାରୁ ପ୍ରାୟ ୮କିଲୋମିଟର ଦୂର ତଥା ମାଥିଲି ବ୍ଲକ ମହକୁମା ଠାରୁ ପ୍ରାୟ ୬କିଲୋମିଟର ପୂର୍ବରୁ ସଲପପଦର ଗାଁ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଯାହାଫଳରେ ଗାଡ଼ି ତଳେ ଚାପି ହୋଇ ରାମ ଖରା, ରାମଚନ୍ଦ୍ର ପୁଟିଆ ଓ ଜମୁ ଗୌଡଙ୍କ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ଆଖପାଖ ଗାଁର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ୨୦ରୁ ଊର୍ଧ୍ବ ଆହତଙ୍କୁ ଆମ୍ବୁଲାନ୍ସ ଓ ଅଟୋ ସହ ଅନ୍ୟ ଗାଡ଼ିର ବ୍ୟବସ୍ଥା କରି ମେଡିକାଲକୁ ପଠାଇଥିଲେ। ତେବେ ରାସ୍ତାରେ ହିଁ ବଲା ପୁଟିଆଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ୫ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

କ୍ଷମତା ଠାରୁ ଅଧିକ ଯାତ୍ରୀ ଏବଂ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ଅନ୍ୟପକ୍ଷରେ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏଥିସହିତ, ଆହତମାନଙ୍କୁ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସ୍କୁଟି ଉପରେ ମାଡ଼ିଗଲା ଟ୍ରକ୍‌ : ଦୁଇ ଭଉଣୀଙ୍କ ମୃତ୍ୟୁ

ରାଉରକେଲା : ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନର ଦିନକ ପରେ ଆଜି ବେଦବ୍ୟାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବେଦବ୍ୟାସ ଟିସିଆଇ ଛକରେ ଟ୍ରକ ଧକ୍କାରେ ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗୁରୁଣ୍ଡିଆର ମଞ୍ଜୁଳା ମିଞ୍ଜ (୨୦) ଓ ତାଙ୍କ ସାନ ଭଉଣୀ ଆଞ୍ଜେଲା ମିଞ୍ଜ (୧୮)। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଦୁଇ ଭଉଣୀ ଏକ ନମ୍ବର ବିହୀନ ନୂଆ ସ୍କୁଟିରେ ବେଦବ୍ୟାସ ଦେଇ ରାଉରକେଲା ଯାଉଥିଲେ। ଟିସିଆଇ ଛକରେ ପଛରୁ ଦ୍ରୁତ ଗତିରେ ଆସୁଥିବା ୧୪ ଚକିଆ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଦୁହେଁ ସ୍କୁଟି ସହ ରାସ୍ତା ଉପରେ ପଡିଯିବା ପରେ ଟ୍ରକ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ପଠାଇଥିଲେ। ହସ୍ପିଟାଲରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲା।

୨ ବାଇକ୍ ଆରୋହୀ ମୃତ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଂଚଳରେ ଏକ ଦୁଘର୍ଟଣା ଘଟିଛି। ସୋମବାର ରାତିରେ ନବ ବିବାହିତା ଭଉଣୀକୁ ଶାଶୂଘରରୁ ଛାଡ଼ି ନିଜ ଗାଁ’କୁ ଫେରୁଥିବା ବେଳେ ଦୁର୍ଘଟଣାରେ ଭାଇ ଧଡ଼ିଆ ନାଏକ(୩୦)ଙ୍କ ସମେତ ଅନ୍ୟ ଜଣେ ସଂପର୍କୀୟ ବାବୁଲି ନାଏକ(୨୨)ଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ସାଂଗରେ ଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ରାତି ସାଢ଼େ ୭ଟାରେ ତିନିହେଁ ବାଇକ୍‌ରେ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ପିଟି ହୋଇଥିଲେ।

ସମ୍ବନ୍ଧିତ ଖବର