ଜୀବନ ଯୁଦ୍ଧର ଅସଲ ଯୋଦ୍ଧା : ରକ୍ତଦାନ କରି ଉଦାହରଣ ପାଲଟିଲେ ୮ ଦିବ୍ୟାଙ୍ଗ

ଯାଜପୁରସଦର : ଦୁର୍ଘଟଣାରେ କେହି ହାତ ହରାଇଛି ତ ଆଉ କେହି ୨ ଗୋଡ଼ ହରାଇ ବସିଛି। ହେଲେ ସେମାନେ ଡରିଯାଇ ଲଢ଼ିବା ଛାଡ଼ିନାହାନ୍ତି । ସଂଘର୍ଷ କରି ଜିଇବା ଶିଖିଛନ୍ତି। ଜୀବନ ଯୁଦ୍ଧରେ ଏମାନେ ହେଉଛନ୍ତି ଅସଲ ଯୋଦ୍ଧା। ଏଭଳି କିଛି ଯୋଦ୍ଧାଙ୍କୁ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଠାରେ ଜିଲ୍ଲା ଦିବ୍ୟାଙ୍ଗ କମିଟି ଓ ସମ୍ବାଦ- ଆମ ଓଡିଶା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ। ପ୍ରବଳ ବର୍ଷା ସତ୍ତ୍ବେ ଶିବିରରୁ ମୋଟ ୨୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ସେ ମଧ୍ୟରେ ୮ଜଣ ଦିବ୍ୟାଙ୍ଗ ରକ୍ତଦାନ କରିଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି ଶିବିରରୁ ରକ୍ତ ଦେବାକୁ ଆଗେଇ ଆସିଥିଲେ ପ୍ରାୟ ୨୫ ଜଣ ଦିବ୍ୟାଙ୍ଗ। ତେବେ ଡାକ୍ତରୀ ଦଳ ୮ଜଣଙ୍କୁ ଯୋଗ୍ୟ ଦର୍ଶାଇ ସ୍ବାସ୍ଥ୍ୟଗତ କାରଣରୁ ଅନ୍ୟମାନଙ୍କୁ ବାରଣ କରିଥିଲେ। ଦିବ୍ୟାଙ୍ଗଙ୍କ ଏଭଳି ସ୍ବେଚ୍ଛାକୃତ ରକ୍ତଦାନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

ଜୀବନଟିଏ ବଞ୍ଚାଇବାକୁ ହେଲେ ରକ୍ତର ଆବଶ୍ୟତା ରହିଛି। ଏହାକୁ ବର୍ତ୍ତମାନର ସକ୍ଷମ ଯୁବପିଢ଼ି ବୁଝିଛି। ନିଜର ସ୍ବାସ୍ଥ୍ୟ ଖରାପ ହୋଇଯିବା ଭ୍ରମରେ ପଡ଼ି ରକ୍ତଦାନ କରିବାକୁ ପଛଘୁଞ୍ଚା ଦେଉଛି। ହେଲେ ଆଜି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଠାରେ ଜିଲ୍ଲା ଦିବ୍ୟାଙ୍ଗ କମିଟି ଓ ସମ୍ବାଦ- ଆମ ଓଡିଶା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ପ୍ରବଳ ବର୍ଷା ସତ୍ତ୍ବେ ବିଭିନ୍ନ ଅଞ୍ଚଳରୁ ବହୁ ବିଦ୍ୟାଙ୍ଗ ଏକତ୍ରିତ ହୋଇଥିଲେ। ଶାରୀରିକ ସମସ୍ୟା ଦୃଷ୍ଟିରୁ ସମସ୍ତେ ରକ୍ତଦାନ କରିବାକୁ ସକ୍ଷମ ହୋଇ ନଥିଲେ ମଧ୍ୟ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଶିବିର ପ୍ରାରମ୍ଭରେ ରସୁଲପୁର ବ୍ଲକ ଏକତଳା ଗ୍ରାମର ଦିବ୍ୟାଙ୍ଗ ଅଶୋକ କୁମାର ମହାନ୍ତି ରକ୍ତଦାନ କରିଥିଲେ । ଏକ ଦୁର୍ଘଟଣାରେ ସେ ତାଙ୍କର ଦୁଇଗୋଡ଼ ହରାଇ ଦେଇଛନ୍ତି। ଶ୍ରୀ ମହାନ୍ତି କହନ୍ତି ଭୁବନେଶ୍ବରରେ ଚାକିରି କରିବା ସମୟରେ ଏକ ଟ୍ରେନ ଦୁର୍ଘଟଣା‌ରେ ନିଜର ଦୁଇ ଗୋଡ଼ ହରାଇଥିଲେ। ଏହାପରେ ଗାଁରେ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଜୀବନରେ ରକ୍ତର ଆବଶ୍ୟକତା କଣ ଅଙ୍ଗେ ନିଭାଇଛି। ଏଠାରେ ପ୍ରଥମଥର ରକ୍ତ ଦେଇ ନିଜକୁ ଗର୍ବ ଅନୁଭବ କରୁଛି। ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଆଗକୁ ଏହି ଧାରା ଜାରି ରଖିବେ ବୋଲି ସେ କହିଥିଲେ। ଏହି ଅବସରରେ ତାଙ୍କୁ ଆ‌େୟାଜକଙ୍କ ପକ୍ଷରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସେହିପରି ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ମଧୁମଞ୍ଜରୀ ଧଳ ଆଜି ଭୁବନେଶ୍ବରରୁ ଆସି ରକ୍ତଦାନ କରିଥିଲେ। ଜାତୀୟ ଦିବ୍ୟାଙ୍ଗ କ୍ରୀଡ଼ାରେ ସେ ଅସି ଚାଳନାରେ ସ୍ବର୍ଣ୍ଣପଦକ ବିଜୟିନୀ ମଧୁମଞ୍ଜରୀ ଆଜି ପ୍ରବଳ ବର୍ଷ‌ା ସତ୍ତ୍ବେ ଭୁବନେଶ୍ବରରୁ ଆସି ଏଠାରେ ରକ୍ତଦାନ କରିଥିଲେ। ଜାତୀୟ କ୍ରୀଡ଼ା ପଦକ ପାଇ ଯେତିକି ଖୁସି ନଥିଲି ଆଜି ଦିବ୍ୟାଙ୍ଗ ଭାଇଭଉଣୀଙ୍କ ଗହଣରେ ରକ୍ତଦାନ କରି ବହୁ ଖୁସି ଅନୁଭବ କରୁଥିବା ସେ କହିଥିଲେ।

ଦିବ୍ୟାଙ୍ଗ ରକ୍ତଦାତାଙ୍କ ମଧ୍ୟରେ ଥିଲେ ଭାଗୀରଥି ଜେନା। ଭାଗୀରଥି ଭୁବନେଶ୍ବର ପଲାସପଲ୍ଲୀ ଅଞ୍ଚଳରୁ ନିଜେ ଅଟୋ ଚଳାଇ ରକ୍ତ ଦେବାକୁ ଶିବିରରେ ପହଞ୍ଚିଥିଲେ। ଦୀର୍ଘ ୧୨୦ କିମି ବାଟ ନିଜେ ଗାଡ଼ିଚାଳନା କରି ଆସିଥିବା ଭାଗୀରଥିଙ୍କ ଏପରି ଉଦ୍ୟମ ଓ ଇଚ୍ଛାଶକ୍ତିଙ୍କୁ ଉପସ୍ଥିତି ବ୍ୟକ୍ତିବି‌ଶେଷ ପ୍ରଶଂସା ନକରି ରହିପାରି ନଥିଲେ। ସେହିପରି, ଦୁର୍ଘଟଣାରେ ଗୋଟିଏ ହାତ ହରାଇଥିବା ହିମାଂଶୁ ଭୂଷଣ ସାମଲ ଶିବିର ଆରମ୍ଭରୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିବା ସହ ଶେଷରେ ରକ୍ତଦାନ କରିଥିଲେ। ରାଜସ୍ଥାନରୁ ଆସି ବ୍ରହ୍ମବରଦା ଅଞ୍ଚଳ‌ରେ ବେପାର କରି ଜୀବିକା ଉପାର୍ଜନ କରୁଥିବା ନିମାରାମ ରାଜପୁତ ୫୦ ପ୍ରତିଶତ ଦିବ୍ୟାଙ୍ଗ । ତେବେ ଆଜି ‌ସେ ବେପାର ଛାଡି ରକ୍ତଦାନ ଶିବିରରେ ଆରମ୍ଭରୁ ‌ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିବା ସହ ରକ୍ତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ , କ‌ାବୁଲି ସାହୁ, ଗୌରହରି ନାୟକ ପ୍ରମୁଖ ରକ୍ତଦାନ କରିଥିଲେ। ଆଜି ରକ୍ତଦାନ କରି ଦିବ୍ୟାଙ୍ଗମାନେ ସକ୍ଷମମାନଙ୍କ ଠାରୁ କମ୍ ନୁହନ୍ତି ବୋଲି ପ୍ରମାଣିତ କରିଛନ୍ତି।

ଯାଜପୁର ଜିଲ୍ଲା ପରି ଅନ୍ୟ ଜିଲ୍ଲାରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଅୟୋଜନ ହେବାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଜିଲ୍ଲା ଦିବ୍ୟାଙ୍ଗ କମିଟି କେବଳ ଦିବ୍ୟାଙ୍ଗମାନଙ୍କୁ ନେଇ ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଥିବା ଜିଲ୍ଲା ଦିବ୍ୟାଙ୍ଗ କମିଟି ସଭାପତି ମଣ୍ଟୁ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର