ଗହୀରମଥାରୁ ଟ୍ରଲର ଜବତ : ଧରା ହେଲେ ୮, ଜେଲ୍‌ ଗଲେ ୭

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନସୀ ନିକଟରେ ଆଜି ବନବିଭାଗ ପାଟ୍ରୋଲିଂ ଟିମ୍‌ ଏକ ଟ୍ରଲର୍‌ ଜବତ କରିଛି। ବଳରାମଗଡ଼ି ଅଞ୍ଚଳର ଅହଲ୍ୟା-୬ ନାମକ ଏହି ଟ୍ରଲରରେ ଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ ଟିମ୍‌ ଧରି ଗହୀରମଥା ରେଂଜ କାର୍ଯ୍ୟାଳୟକୁ ନେଇଥିଲା। ହେଲେ, ୮ଜଣଙ୍କ ମଧ୍ୟରୁ ୭ଜଣ ନରେନ୍ଦ୍ର ଦାସ, ଝନୁ ଦାସ, ଦେବକାନ୍ତ ମଲ୍ଲିକ, ରତିକାନ୍ତ ମଲ୍ଲିକ, ମନ୍ମଥ ଦଳାଇ, ପ୍ରଶାନ୍ତ ମାଝି, ଲକ୍ଷ୍ମୀଧର ଦଳାଇଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟଚାଲାଣ କରାଯାଇଛି।

ମାତ୍ର ଟ୍ରଲର୍‌ରେ ଥିବା ରଣଜିତ୍‌ ନାମକ ଜଣେ ମତ୍ସ୍ୟଜୀବୀଙ୍କୁ ବନବିଭାଗ ଛାଡ଼ିଦେଇଥିବା ଜଣାପଡ଼ିଛି। ଜବତ ଟ୍ରଲର୍‌ରୁ ୫ କ୍ୱିଣ୍ଟାଲ୍‌ ମାଛ ସହ ଜାଲ ଜବତ କରାଯାଇଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ଗହୀରମଥାର ଫରେଷ୍ଟର ମହନ୍ତ କୁମାର ମଲ୍ଲିକ, ଫରେଷ୍ଟ ଗାର୍ଡ ଦେବପ୍ରସାଦ ମୁଣ୍ଡାଙ୍କ ନେତୃତ୍ୱରେ ପାଟ୍ରୋଲିଂ ଟିମ୍‌ ଏହି ବୋଟ୍‌କୁ ଧରିଥିଲା। ଏ ସଂପର୍କରେ ମତାମତ ଜାଣିବା ପାଇଁ ଫରେଷ୍ଟର ମହନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।

ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖ ଦିନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ବନ ବିଭାଗ ମା’ ଦକ୍ଷିଣେଶ୍ୱରୀ ନାମକ ଟ୍ରଲର୍‌ ଜବତ କରିବା ସହ ଏଥିରେ ଥିବା ୧୦ଜଣ ମତ୍ସ୍ୟଜୀବୀଙ୍କୁ ଧରିଥିଲା। ୧୦ଜଣଙ୍କ ମଧ୍ୟରୁ ୮ଜଣଙ୍କୁ ଗିରଫ କରି କୋର୍ଟଚଲାଣ କରିଥିଲା ବେଳେ ୨ଜଣଙ୍କୁ ଛାଡ଼ି ଦେଇଥିଲା। ଏ ସମ୍ପର୍କରେ ଆଜି ‘ସମ୍ବାଦ’ରେ ‘ବନବିଭାଗର ମନମୁଖୀ: କାହାକୁ ମାଫ୍‌, କାହାକୁ ଜେଲ୍‌’ ରିପୋର୍ଟ ପ୍ରକାଶ ପାଇଥିଲା। ଆଜି ପୁଣି ସମାନ କଥା ଦେଖିବାକୁ ମିଳିଛି। ଏପରି ଘଟଣା ବାରମ୍ବାର ଘଟୁଥିବାରୁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର