ବାର୍‌ହା ଶିକାର ପାଇଁ ଯାଇ ଜୀବନ ଗଲା, ଜେଲ୍‌ ଗଲେ ୮ ସାଥୀ ଶିକାରୀ

କେସିଙ୍ଗା : ବାର୍‌ହା ଶିକାର ବେଳେ ଗୁଳି ବାଜି ଶିକାରୀ ରାଜୁ ମାଝୀଙ୍କ ମୃତ୍ୟୁ ପରେ ଶବକୁ ପୋଡ଼ି ଦେଇଥିବା ମାମଲାରେ ୮ ସାଥୀ ଶିକାରୀ ଜେଲ୍‌ ଯାଇଛନ୍ତି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରାଇଦୁନିପଦର ଗାଁର ମୁଖ ପାତ୍ର(୫୦), ଗୌତମ ପାତ୍ର(୪୫), ଶତ୍ରୁଘ୍ନ ପାତ୍ର(୩୦), ନେତ୍ରା ହରିଜନ (୪୨), ବେଣୁଧର ପାତ୍ର(୨୮), ମଦନ ପାତ୍ର(୫୮), ଜଗଦୀଶ ପାତ୍ର(୩୫) ଓ ଦୋଳ ବଗର୍ତ୍ତି। ପୁଲିସ ଏମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ କରି ଶନିବାର ଥାନାରେ ଅଟକ ରଖିଥିଲା। ରବିବାର ତଦନ୍ତ ପରେ ଗିରଫ କରି ଆଇପିସି ଧାରା ୩୦୪,୨୦୧, ୩୪ ଏବଂ ଆର୍ମସ ଏକ୍ସ ୨୫ ଓ ୨୭ ଅନୁସାରେ କୋର୍ଟ ଚାଲାଣ କରିଥିଲା। ମାତ୍ର ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ମଙ୍ଗଳବାର କେସିଙ୍ଗା ଥାନା ରାଇଦୁନିପଦର ଗାଁର ରାଜୁ ମାଝୀଙ୍କୁ ଉକ୍ତ ୯ ଜଣ ସାଙ୍ଗରେ ନେଇ ନିକଟସ୍ଥ ବଜରଗଡ଼ ଜଙ୍ଗଲକୁ ବାର୍‌ହା ଶିକାର ପାଇଁ ଯାଇଥିଳେ। ଶିକାର ବେଳେ ହଠାତ ବନ୍ଧୁକରୁ ଗୁଳି ଫୁଟି ରାଜୁଙ୍କ ଦେହରେ ବାଜିଥିଲା ଏବଂ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସାଥୀ ଶିକାରୀମାନେ ଶବକୁ ପୋଡ଼ି ଦେଇଥିଲେ। ୩ ଦିନିଆ ଶୁଦ୍ଧିରେ ଯୋଗ ଦେବାକୁ ଆସିଥିବା ରାଜୁଙ୍କ ଭଉଣୀ ନିର୍ମଳା ସତ ଜାଣିବା ପରେ ନିଜେ ଆସି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର