୮ଜଣ ବରିଷ୍ଠ ଓଏଏସ୍‌ଙ୍କ ମଧ୍ୟରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୮ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ ହୋଇଛି। ଏମାନଙ୍କ ମଧ୍ୟରୁ ୩ଜଣଙ୍କର ବଦଳି ବାତିଲ କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସ୍ୱତନ୍ତ୍ର ଶାସନ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍‌ ଅଧିକାରୀ ବିଶ୍ୱନାଥ ପ୍ରଧାନଙ୍କୁ ଗୋପବନ୍ଧୁ ଏକାଡେମି ପ୍ରଶାସନର ଅତିରିକ୍ତ କମିସନର ଭାବେ ବଦଳି କରାଯାଇଥିଲା। କିନ୍ତୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ତାଙ୍କର ବଦଳି ଆଦେଶକୁ ବାତିଲ କରି ତାଙ୍କୁ ନିଜ ପୂର୍ବସ୍ଥାନରେ ରଖାଯାଇଛି। ତାଙ୍କ ସ୍ଥାନରେ ହସ୍ତଶିଳ୍ପ, ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗରେ କାର୍ଯ୍ୟରତ ସ୍ୱତନ୍ତ୍ର ଶାସନ ସଚିବ ବୃନ୍ଦାବନ ବେହେରାଙ୍କୁ ଅବସ୍ଥାପିତ କରାଯାଇଛି। ଭଞ୍ଜନଗରର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍‌ ଅଧିକାରୀ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଓଏଫ୍‌ଡିସିର ସାଧାରଣ ପରିଚାଳକ ଭାବେ ବଦଳି କରାଯାଇଛି। ଗୃହ ବିଭାଗରେ ଉପ ସଚିବ ଭାବେ କାର୍ଯ୍ୟରତ ଗୀତାଞ୍ଜଳି ନାୟକଙ୍କୁ ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ ଆମ ଗାଁ ଆମ ବିକାଶର ଉପ ସଚିବ ଭାବେ ବଦଳି କରାଯାଇଛି।

ବରଗଡ଼ ଉପଜିଲ୍ଲାପାଳ ବିଶ୍ୱଜିତ୍‌ ମହାପାତ୍ରଙ୍କୁ ଭୁବନେଶ୍ୱର ସ୍ମାର୍ଟସିଟିର ଜିଏମ୍‌ ଭାବେ ବଦଳି ହୋଇଥିଲା। କିନ୍ତୁ ଏହି ବଦଳି ଆଦେଶକୁ ବାତିଲ କରି ତାଙ୍କୁ ପାନପୋଷ ଉପଖଣ୍ଡର ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ନିର୍ଦେଶକ ବୀରେନ୍ଦ୍ର କୁମାର ଦାସଙ୍କୁ ପାନପୋଷ ଉପ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା। କିନ୍ତୁ ଏହି ଆଦେଶକୁ ବାତିଲ କରି ତାଙ୍କୁ ପୁନର୍ବାର ନିଜ ସ୍ଥାନରେ ଅପରିବର୍ତିତ ରଖାଯାଇଛି। ପାଲଲହଡ଼ା ତହସିଲଦାର ଦରିଦ୍ରଭଞ୍ଜନ ଏମ୍‌.ଏମ୍‌. ପାତ୍ରଙ୍କୁ ନବରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର