ଖରା ପରେ କାଳବୈଶାଖୀ, ୮ ସହରରେ ପାରଦ ୪୦ ଡିଗ୍ରି ଉପରେ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ପରେ କିଛି ମାତ୍ରାରେ ତାତି କମିଛି। ରବିବାର ୧୩ଟି ସହରରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ଆଜି ୮ଟି ସହରରେ ପାରଦ ୪୦ଡିଗ୍ରି ଉପରେ ରହିଛି। କିନ୍ତୁ ରାଜ୍ୟର ଅଧିକାଂଶ ସହରରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାରଦ ୪୦ଡିଗ୍ରି ପାଖାପାଖି ରହିବ। ପୂର୍ବାହ୍ନରେ ଟାଣ ଖରା ଅନୁଭବ ହେବ, ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷାପବନ ହେବାର ଆଶଙ୍କା ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ରାଜ୍ୟର ୮ଟି ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ରହିଥିବାବେଳେ ଟିଟିଲାଗଡ଼ରେ ସର୍ବାଧିକ ୪୨.୫ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୪୧.୨, ସମ୍ବଲପୁରରେ ୪୧, ସୁନ୍ଦରଗଡ଼ରେ ୪୧.୫, ହୀରାକୁଦରେ ୪୦.୯, ବଲାଙ୍ଗୀରରେ ୪୧.୫, ଟିଟିଲାଗଡ଼ରେ ୪୨.୫, ମାଲକାନଗିରିରେ ୪୧.୨, ସୋନପୁରରେ ୪୨ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ୩୯ଡିଗ୍ରି ଓ କଟକରେ ୩୭ଡିଗ୍ରି ତାତି ଅନୁଭୂତ ହୋଇଛି।

ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପୂର୍ବାହ୍ନରେ ପ୍ରବଳ ଖରା ଅନୁଭବ ହେବା ପରେ ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି। ଆଜି ଚାନ୍ଦବାଲିରେ ସର୍ବାଧିକ ୩୩ମିମି ବର୍ଷା ପବନ ହୋଇଥିବାବେଳେ କେନ୍ଦୁଝରରେ ୧୫ମିମି ବର୍ଷା ହୋଇଛି। ପ୍ରାୟ ୫୦କିମି ବେଗରେ ପବନ ବହିବା ସହ କୁଆପଥର ବର୍ଷା ହୋଇଛି। ସେହିପରି ଝାରସୁଗୁଡ଼ାରେ ୧ମିମି, ତାଳଚେରରେ ୨ମିମି, ଫୁଲବାଣୀରେ ୧୪.୬ମିମି ବର୍ଷା ହୋଇଛି। କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ୫୦ରୁ ୬୦କିମି ବେଗରେ ପବନ ବହିଛି। କେତେକ ସ୍ଥାନରେ ଗଛ ଉପୁଡ଼ି ଯାଇଥିବାବେଳେ ବିଦ୍ୟୁତ ତାର ଛିଣ୍ଡି ଯାଇଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଅପରାହ୍ନରେ ଏହିଭଳି କୁଆପଥର ବର୍ଷା କିମ୍ବା ବର୍ଷାପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର