ବଜ୍ରପାତରେ ୮ ବର୍ଷର ବାଳକ ମୃତ

ସୁନ୍ଦରଗଡ଼ : ଏକ ଅଭାବନୀୟ ଘଟଣାକ୍ରମରେ ଆଜି ଅପରାହ୍ନ ୫ଟାରେ ସୁନ୍ଦରଗଡ଼ ସଦର ଥାନା ସୁବଳୟା ଗାଁ ଜୟସରିଆପଡ଼ାରେ ବ୍ରଜପାତ ଜଣେ ନାବାଳକଙ୍କ ଜୀବନ ନେଇଛି। ବଜ୍ରପାତରେ ଅନ୍ୟ ୪ ସାଥୀ ଆହତ ହୋଇଛନ୍ତି। ଏକ ଜାମୁକୋଳି ଗଛମୂଳେ ଖେଳୁଥିବା ବେଳେ ଘଟିଛି ଏହି ଅଘଟଣ। ମୃତକ ହେଲେ ପଡ଼ାର ପବିତ୍ର ନାଏକଙ୍କ ପୁଅ ମୌସୁମ ନାଏକ (୮)। ଆହତମାନଙ୍କ ମଧ୍ୟରେ ନୀଳିମା ନାଏକ, ଶୁଭମ କିସାନ, ଯ‌ଶୋଦା ପ୍ରଧାନ ଅଛନ୍ତି। ଅନ୍ୟ ଜଣକର ନାମ ଜଣାପଡ଼ିନାହିଁ। ସମସ୍ତଙ୍କ ବୟସ ୮ରୁ ୧୦ ବର୍ଷ ମଧ୍ୟରେ। ଆହତମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୌସୁମଙ୍କ ଅକାଳ ମୃତ୍ୟୁକୁ ନେଇ ପଡ଼ାରେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁସାରେ, ସୁନ୍ଦରଗଡ଼ରେ କିଛି ଦିନ ହେଲା ଅସମ୍ଭାଳ ଗୁଳୁଗୁଳି ରହିଛି। ଏଥିରୁ ରକ୍ଷା ପାଇବା ପାଇଁ ଜୟସୁରିଆପଡ଼ାର ୫ ଜଣ ବାଳକ, ବାଳିକା ଜାମୁକୋଳି ଗଛ ମୂଳେ ବସି ଖେଳୁଥିଲେ। ପାଖରେ କିଛି ପୁରୁଷ ଓ ମହିଳା ମଧ୍ୟ ବସିଥିଲେ। ଠିକ୍‌ ଏତିକି ବେଳେ କାଳ ମାଡ଼ି ଆସିଲା ଭଳି ଜାମୁକୋଳି ଗଛରେ ବଜ୍ରପାତ ହେଲା। ଆଉ ଏଥିରେ ଟଳିପଡ଼ିଲେ ମୌସୁମ। ଅନ୍ୟ ୪ ଜଣ ଛିଟକି ପଡ଼ି ଆହତ ହୋଇଥିଲେ। ପାଖରେ ଥିବା ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା ନେଇଥିଲେ। ହେଲେ ସେଠ‌ାରେ ଡାକ୍ତର ମୌସୁମଙ୍କୁ ମୃତ ଘୋଷଣା କରିଥିଲେ। ଆହତମାନଙ୍କ ଚିକିତ୍ସା ଚାଲିଛି। ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ।

ସମ୍ବନ୍ଧିତ ଖବର