ନ’ତାଲା ବିଭାଗୀୟ ମୁଖ୍ୟ ଦପ୍ତରର ଦୁର୍ଦ୍ଦଶା : ୮୦୦ ସିନିୟର ଆସିଷ୍ଟାଣ୍ଟ ପଦବି ଫାଙ୍କା

ଏଏସ୍‌ଓ ପଦବି ସୃଷ୍ଟି ନ ହେବାରୁ ଜୁନିୟର ଆସିଷ୍ଟାଣ୍ଟ ଚାକିରି ଛାଡ଼ୁଛନ୍ତି, ଆନ୍ଦୋଳନ ପହଞ୍ଚିଲା ୨୭ ଦିନରେ

ଭୁବନେଶ୍ୱର : ବିଭାଗୀୟ ମୁଖ୍ୟ ଦପ୍ତର (ନ’ତାଲା)ରେ ଏବେ ଅମଲା ମରୁଡ଼ି ସମସ୍ୟା ଗୁରୁତର ଆକାର ଧାରଣ କରିଛି। କମ୍‌ ଦରମା, ଠିକା ନିଯୁକ୍ତି ଏବଂ ବିଳମ୍ବରେ ପଦୋନ୍ନତି ମିଳୁଥିବାରୁ ବର୍ତ୍ତମାନ ବିଭାଗୀୟ ମୁଖ୍ୟ ଦପ୍ତରରେ ୮୦୦ ସିନିୟର ଆସିଷ୍ଟାଣ୍ଟ ପଦବି ଫାଙ୍କା ପଡ଼ିଛି। ଆଉ ଦୁଇ ବର୍ଷ ପରେ ୧୩୦୦ ପଦବି ଫାଙ୍କା ପଡ଼ିବାର ଆଶଙ୍କା ରହିଛି। ୨୦୦୮ ମସିହା ଯାଏ ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର (ନ’ତାଲା) ଓ ରାଜ୍ୟ ସଚିବାଳୟରେ କାମ କରୁଥିବା କର୍ମଚାରୀଙ୍କ ଦରମା ସମାନ ଥିଲା। କିନ୍ତୁ ରାଜ୍ୟ ସରକାର ୨୦୦୮ ମସିହାରେ ଓଡ଼ିଶା ସେକ୍ରେଟେରିଏଟ, ଗଭର୍ଣ୍ଣର ସେକ୍ରେଟେରିଏଟ, ଆଡଭୋକେଟ୍‌ ଜେନେରାଲ ଅଫିସ, ଓଡ଼ିଶା ହାଇକୋର୍ଟ ଜୁନିୟର ଆସିଷ୍ଟାଣ୍ଟ ଓ ସିନିୟର ଆସିଷ୍ଟାଣ୍ଟକୁ ମିଶାଇ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବି ସୃଷ୍ଟି କଲେ। ମାତ୍ର ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର (ନ’ତାଲା) ପାଇଁ ଏଏସ୍‌ଓ ପଦବି ସୃଷ୍ଟି କରାଗଲା ନାହିଁ। ଓଡ଼ିଶା ବିଭାଗୀୟ ମୁଖ୍ୟ ଦପ୍ତର (ନ’ତାଲା)ରେ କାର୍ଯ୍ୟ କରୁଥିବା ଜୁନିୟର ଆସିଷ୍ଟାଣ୍ଟ ଓ ସିନିୟର ଆସିଷ୍ଟାଣ୍ଟମାନଙ୍କ ପ୍ରତି ପକ୍ଷପାତିତା କରାଗଲା। ଏହା ଫଳରେ ସେମାନଙ୍କୁ ଏଏସ୍‌ଓର ମାନ୍ୟତା ଦେବା ପାଇଁ ନ’ତାଲାର ଏହି ଅମଲାମାନେ ୨୦୦୮ ମସିହାରୁ ଆଜିଯାଏ ଆନ୍ଦୋଳନ କରିଆସୁଛନ୍ତି। ଓଡ଼ିଶା ସେକ୍ରେଟେରିଏଟରେ ଏଏସ୍‌ଓମାନେ ମାସିକ ୪୨ ହଜାର ଟଙ୍କା ଦରମା ପାଉଥିବାବେଳେ ନ’ତାଲାର ସିନିୟର/ଜୁନିୟର ଆସିଷ୍ଟାଣ୍ଟମାନେ ମାସିକ ୮,୮୦୦ ଟଙ୍କା ଦରମା ପାଉଛନ୍ତି। ଏହା ଫଳରେ ଅଧିକାଂଶ ଜୁନିୟର ଆସିଷ୍ଟାଣ୍ଟ ଚାକିରି ପାଇବାର ଅଳ୍ପ କିଛି ଦିନ ପରେ ଚାକିରି ଛାଡୁଛନ୍ତି।

ନ’ତାଲାର ଅମଲାମାନଙ୍କର ଦୀର୍ଘ ୧୦ ବର୍ଷର ଦାବି ଶୁଣିବା ପରେ ମୁଖ୍ୟମନ୍ତ୍ରୀ କ୍ୟାଡର ପୁନର୍ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରି ଗତ ଏପ୍ରିଲ ମାସ ୧୬ ତାରିଖରେ ଅର୍ଥ ବିଭାଗର ସହମତି ନିମନ୍ତେ ପଠାଇଥିଲେ। ମାତ୍ର ଅର୍ଥ ବିଭାଗ ଏଥିରେ କେଁ ପୂରାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକୁ ଅଟକାଇ ଦେଇଛି ବୋଲି ନ’ତାଲା ଅମଲା ସଂଘ ଅଭିଯୋଗ କରୁଛି। ଏହା ବିରୋଧରେ ମୁଖ୍ୟ ଦପ୍ତର ଅମଲା ସଂଘ ଗତ ଅଗଷ୍ଟ ମାସ ୧୭ ତାରିଖରୁ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛି। ଏପରିକି ଅମଲାମାନେ ସମସ୍ତ ଦପ୍ତରରେ ତାଲା ପକାଇ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ଅଫିସରମାନଙ୍କୁ କାର୍ଯ୍ୟ କରାଇ ଦେଉ ନାହାନ୍ତି। ବିଭାଗୀୟ ମୁଖ୍ୟ ଦପ୍ତରର ୮୦ ପ୍ରତିଶତ କର୍ମଚାରୀ ନିଜ ଚାକିରି କାଳ ଭିତରେ ମାତ୍ର ଗୋଟିଏ ପଦୋନ୍ନତି ପାଇ ସିନିୟର ଆସିଷ୍ଟାଣ୍ଟ ପଦବିରେ ଅବସର ଗ୍ରହଣ କରୁଛନ୍ତି। ସେହିଭଳି ଜୁନିୟର ଆସିଷ୍ଟାଣ୍ଟମାନେ ୯ ବର୍ଷ ଚାକିରି କରିବା ପରେ ସିନିୟର ଆସିଷ୍ଟାଣ୍ଟ ଭାବେ ପଦୋନ୍ନତି ପାଇବାକୁ ଥିବାର ଜାଣି ଅଧିକାଂଶ ଜୁନିୟର ଆସିଷ୍ଟାଣ୍ଟ ଚାକିରି ଛାଡ଼ି ଚାଲି ଯାଉଛନ୍ତି। ଏହା ଫଳରେ ବର୍ତ୍ତମାନ ୮୦୦ ସିନିୟର ଆସିଷ୍ଟାଣ୍ଟ ପଦବି ଖାଲି ପଡ଼ିଛି। ଯଦି ଏହି ଧାରା ଜାରି ରହେ, ଆଗାମୀ ଦୁଇ ବର୍ଷରେ ୧୩୦୦ରୁ ୧୪୦୦ ପଦବି ଫାଙ୍କା ରହିବ ବୋଲି ଜଣାପଡ଼ିଛି। ଏଥିରେ କିଛି ସରକାରୀ ବାବୁଙ୍କ ଚକ୍ରାନ୍ତ ରହିଛି ବୋଲି ଅଭିଯୋଗ ହେଉଛି। ଯଦି ବିଭାଗୀୟ ମୁଖ୍ୟ ଦପ୍ତରର ଏହି ସିନିୟର ଆସିଷ୍ଟାଣ୍ଟ ପଦବି ଖାଲି ହୋଇଯାଏ, ତେବେ କିଛି ସରକାରୀ ବାବୁ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେଇ ମାଲାମାଲ ହେବେ ବୋଲି ଆଲୋଚନା ହେଉଛି।

ଅପରପକ୍ଷେ, ନ’ତାଲା ଅମଲାମାନେ ଚଳାଇଥିବା ଆନ୍ଦୋଳନ ୨୭ ଦିନରେ ପହଞ୍ଚିଛି। ସମସ୍ତ ମୁଖ୍ୟଦପ୍ତରରେ ତାଲା ପକାଇବା ସହ କୌଣସି ଅଫିସରମାନଙ୍କୁ ଅଫିସ ମଧ୍ୟକୁ ଛଡ଼ାଯାଉନାହିଁ। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ଠପ୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର