ଆସବାବପତ୍ର ସ୍ଥାନାନ୍ତର ଓ ଦୋକାନ ଭଡ଼ା ବାବଦକୁ ୮୬ ବ୍ୟବସାୟୀଙ୍କୁ ମିଳିଲା ୪୭.୯ ଲକ୍ଷ ଟଙ୍କା

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୮୬ ଜଣ ବ୍ୟବସାୟୀଙ୍କୁ ୪୭ ଲକ୍ଷ ୯୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ହେଲା, ଉଚ୍ଛେଦ ପ୍ରକ୍ରିୟାରେ ବ୍ୟବସାୟ ହରାଇଥିବା ୮୬ ଜଣ ବ୍ୟବସାୟୀଙ୍କୁ ଆସବାବପତ୍ର ସ୍ଥାନାନ୍ତର ପାଇଁ ଏକକାଳୀନ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏ ବାବଦକୁ ୪୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ସେହିଭଳି ୬୦ ଜଣଙ୍କୁ ଘରଭଡ଼ା ବାବଦ ସହାୟତା ରାଶି ପ୍ରଦାନ କରାଯାଇଛି। ଯେହେତୁ ୮୬ ଜଣଙ୍କ ମଧ୍ୟରୁ ୨୬ ଜଣ ବ୍ୟବସାୟୀ ଜଗନ୍ନାଥବଲ୍ଲଭସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଥଇଥାନ ହୋଇ ସାରିଛନ୍ତି, ଏମାନଙ୍କୁ ବାଦ୍ ଦେଇ ବାକି ୬୦ ଜଣଙ୍କୁ ଦୋକାନ ଘର ଭଡ଼ା ବାବଦକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଏପରି ମୋଟ ୪୭ ଲକ୍ଷ ୯୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୭୫ ମିଟର ଉଚ୍ଛେଦ କ୍ରମରେ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଲଙ୍ଗୁଳି ମଠ, ଏମାର ମଠ ଓ ବଡ଼ଆଖଡ଼ା ମଠକୁ ଭଙ୍ଗା ଯାଇଥିଲା। ଏହି ଉଚ୍ଛେଦ ପ୍ରକ୍ରିୟାରେ ବ୍ୟବସାୟ ହରାଇଥିବା ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ସ୍ବତନ୍ତ୍ର ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଦୁଇଶହ ବର୍ଗଫୁଟ ପରିମିତ ଜାଗାରେ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ୫ ହଜାର ଟଙ୍କା, ଦୁଇ ଶହରୁ ପାଞ୍ଚଶହ ବର୍ଗଫୁଟ ପରିମିତ ଜାଗାରେ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଓ ୫ ଶହରୁ ଅଧିକ ବର୍ଗଫୁଟ ସ୍ଥାନ ପାଇଁ ୧୫ ହଜାର ଟଙ୍କା ମାସିକ ଭଡ଼ା ପ୍ରଦାନ ପାଇଁ ଘୋଷଣା ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଏହି ଘରଭଡ଼ା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ସେହିଭଳି ଆସବାବପତ୍ର ସ୍ଥାନାନ୍ତର ପାଇଁ ଏକ କାଳୀନ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର