ଅଫୁଟା ବାଣ ଜାଳିବା ବେଳେ ବିସ୍ଫୋରଣ, ୯ ଶିଶୁ ଆହତ

ଯୋକଡିଆ : କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ଅନ୍ତର୍ଗତ ମିର୍ଜାପୁର ଗ୍ରାମର କେତେକ ଛାତ୍ର ଅଫୁଟା ବାଣରୁ ବାରୁଦ ବାହାର କରି ଜାଳୁଥିବା ସମୟରେ ବିସ୍ଫୋରଣ ହେବାରୁ ୯ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ଅଭିଭାବକ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଡ.ବିଶ୍ବରଂଜନ କର କହିଛନ୍ତି। ଗୁରୁତର ଆହତ ୩ଜଣ ଛାତ୍ରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଦୀର୍ଘ ଅଢେଇ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।

ଆଜି ସଂଧ୍ୟାରେ ଗ୍ରାମର ଛିଣ୍ଡା ଖରସ୍ରୋତା ନଦୀ କୂଳ ତୁଠ ପାହଚରେ ଗ୍ରାମର ପ୍ରାଥମିକ ଓ ମଦ୍ରାସାରେ ପଢୁଥିବା କେତେକ ବାଳକ ମିଳିମିଶି ବାହାଘରରେ ବ୍ୟବହୃତ ଅଫୁଟା ବାଣକୁ ଏକାଠି କରି ସେଥିରୁ ବାରୁଦ କାଢିବା ସହିତ ଅଗ୍ନିସଂଯୋଗ କରିଥିଲେ। ତେବେ ଏହା ହଠାତ୍‌ ବିସ୍ଫୋରଣ ହେବାରୁ ପାଖରେ ଥିବା ଲୋକମାନ ଖାଁଙ୍କ ପୁଅ ସୁଲତାନ ଖାଁ(୧୪) ,ହାତିମ୍ ଖାଁଙ୍କ ପୁଅ ହବିବ୍ ଖାଁ(୧୧) ,ଅହମ୍ମଦ ଖାଁଙ୍କ ପୁଅ ଅଜମଦ୍ ଖାଁ (୯) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀର ମୁହଁ,ଆଖି ,ପିଠି,ହାତର ଅନ୍ୟୁନ ୪୦ ଭାଗ ଜଳିଯାଇଛି। ସେହିପରି ଗ୍ରାମର ସନିନ୍ ଉଦ୍ଧିନଙ୍କ ପୁଅ ସେକ ସୁରଜ(୧୨),ସେକ ବାବୁଲାଙ୍କ ଦୁଇ ପୁଅ ଜାନି ବାବୁ(୧୨), ଚାନ୍ଦ ବାବୁ(୮) ଏବଂ ସେକ ରସିଦର ପୁଅ ସେକ ଜମିଲ( ୧୪)ସାମାନ୍ୟ ଆହତ ହୋଇଥିବା ଡାକ୍ତର କହିଛନ୍ତି। ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ଗୁରୁତର ଆହତ ସୁଲତାନକୁ ପରିବାର ଲୋକେ ପ୍ରାଇଭେଟ ଆମ୍ବୁଲାନ୍ସରେ ଯାଜପୁର ମେଡିକାଲକୁ ନେଇଯାଇଥିବା ଜଣାପଡିଛି। ଅନ୍ୟ ଦୁଇ ଗୁରୁତରଙ୍କ ସମେତ ଅନ୍ୟଆହତଙ୍କୁ ବିଳମ୍ବରେ ଆସିଥିବା ଆମ୍ବୁଲାନ୍ସରେ ଯାଜପୁର ମେଡିକାଲକୁ ପଠାଯାଇଛି। ମଧୁବନ ଅଞ୍ଚଳରେ ବେଆଇନ ଭାବେ ବାଣ ତିଆରି ହେଉଛି। ବିଭିନ୍ନ ପର୍ବପର୍ବାଣୀ ଓ ବାହାଘରର ଅଫୁଟା ବାଣକୁ କୁନିକୁନି ପିଲାମାନେ ଗୋଟାଇ ଫୁଟାଇବା କାରଣରୁ ଦୁର୍ଘଟଣାର ଶିକାର ହେଉଛନ୍ତି। ଅଫୁଟା ବାଣରୁ ବାରୁଦ ବାହାର କରି ନିଆଁ ଲଗାଇବା ବେଳେ ଆଜି ଏହି ଦୁର୍ଘଟଣା ଘଟିଥିବା କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର