ଅଘଟଣ: ଅକାଳରେ ଗଲା ୯ ଜୀବନ

ପାଣିରେ ବୁଡ଼ି ୫ ମୃତ; ସାପ କାମୁଡ଼ାରେ ୪, ଶୋଇଥିବା ବେଳେ ଭାଇ-ଭଉଣୀଙ୍କୁ କାମୁଡ଼ିଲା ସାପ

ଗରଦପୁର/ନିଶ୍ଚିନ୍ତକୋଇଲି/ବାଲିକୁଦା/ମହାକାଳପଡ଼ା/ଟାଙ୍ଗୀ : କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଅଞ୍ଚଳରେ ଆଜି ୯ ଜଣଙ୍କର ପ୍ରାଣ ଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅର୍ନ୍ତଗତ  ଝାଡେଶ୍ୱରପୁର ଗ୍ରାମରେ ଗତକାଲି ରାତିରେ ଭାଇ ଭଉଣୀ ଶୋଇଥିବା ଅବସ୍ଥାରେ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ଅଜୟ ବଳସାମନ୍ତଙ୍କ ପରିବାରର ସମସ୍ତେ ଏକାଠି ଶୋଇଥିବା ବେଳେ ଏକ ବିଷଧର ସାପ ଝିଅ କ୍ରୀଷ୍ଣା ବଳସାମନ୍ତ(୭) ଓ ପୁଅ ପ୍ରତାପ ବଳସାମନ୍ତ (୫)କୁ କାମୁଡି ଦେଇଥିଲା। ପରେ ସାପଟି ମା’ ଅର୍ଚ୍ଚିତାଙ୍କ ଗୋଡରେ ଗୁଡାଇ ହୋଇଯିବାରୁ ତାଙ୍କର ନିଦ ଭାଙ୍ଗି ଯାଇଥିଲା। ସେ ଉଠିପଡି ଦେଖିଲା ବେଳକୁ ଝିଅର ସାପ ଦଂଶନ କରିଥିବା ସ୍ଥାନରୁ ରକ୍ତ ବାହାରୁ ଥିଲା। ପରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ, ଡାକ୍ତର ମୃତ ଘୋଷଣା କରିଥିଲେ।

ସର୍ପାଘାତରେ ମହାକାଳପଡ଼ା ବ୍ଲକ ଯଦପୁର ପଞ୍ଚାୟତର ମଶାକଣୀ ଗ୍ରାମର ଚାଷୀ କେଶବ ମହାନ୍ତି(୭୦)ଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତରେ ଘର ପଛ ପଟେ ଜମି ରହିଥିବା ପାଣିରେ ବୁଡ଼ି ଦୁଇ ଜଣ ଶିଶୁ  ପ୍ରାଣ ହରାଇଛନ୍ତି। ସେମାନେ ହେଲେ, ନରଡା ଗ୍ରାମ କୁମ୍ଭାର ସାହିର ମୁକ୍ତିକାନ୍ତ ବେହେରାଙ୍କ ପୁଅ ଅନୁଭବ (୩) ଓ ରତିକାନ୍ତ ବେହେରାଙ୍କ ଝିଅ ପୂଜା (୩)। ଆଜି ଦିନ ପ୍ରାୟ ୧୨ଟାରେ ଦୁଇ ଶିଶୁ ଖେଳୁଥିବା ବେଳେ ବାଡ଼ି ପଟରେ ଲଗାଣ ବର୍ଷାରେ ଜମି ରହିଥିବା ପାଣିରେ ପଡିଯାଇଥିଲେ। ଦୀର୍ଘ ସମୟ ପରେ ସେମାନଙ୍କୁ ପାଣିରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସିଙ୍ଗିରି ଗାଁର ପ୍ରତାପ କୁମାର ରାଉତଙ୍କର ପୁଅ ଆଯ୍ୟର୍ସୁମନ ରାଉତ(୯) ଏବଂ ସରୋଜ ବିଶ୍ୱାଳଙ୍କ ପୁଅ ଓମ୍‌ ପ୍ରକାଶ ବିଶ୍ୱାଳ(୮) ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ଉଭୟ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଏହା ଦେଖି ଜଣେ ବାଇକ ଆରୋହୀ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଟକ ଜିଲ୍ଲା ଟାଙ୍ଗୀ ଥାନା ତେଲିଆପଡ଼ା ଗ୍ରାମର ଗୌରାଙ୍ଗ ଚରଣ ସ୍ୱାଇଁ (୬୭) ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି।  ଗୁରୁଡିଝାଟିଆ ଥାନାର କଣ୍ଟାଣିଆ ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ବେହେରା (୪୦) ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର