ସଂକଟରେ ବରଗଡ଼ ଜିଲ୍ଲା ପରିଷଦ, ନିର୍ବାଚନ ପରେ ଅନାସ୍ଥା

ବରଗଡ଼ : ସାଧାରଣ ନିର୍ବାଚନ ପୂର୍ବରୁ ବି‌ଜେପିରୁ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ବିଳମ୍ବିତ ସଂଧ୍ୟାରେ ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ି ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଥିଲେ। ସକାଳେ ଇସ୍ତଫା ଦେଇଥିବା ସମସ୍ତ ୯ଜଣ ସଦସ୍ୟ ଏବେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ବିଜେପିକୁ ଖୁବ୍ ଜୋର ଆଘାତ ଲାଗିଛି। ବରଗଡ଼ରେ ୨୦୧୭ର ଜିଲ୍ଲା ପରିଷଦ ନିର୍ବାଚନର ସଫଳତା ଆଧାରରେ ହିଁ ବିଜେପି ବିଜେପୁର ଉପନିର୍ବାଚନରେ ବିଜୟ ବାନା ଉଡ଼ାଇବ ବୋଲି ଆଶା କରିଥିଲା। ତେବେ ଆଶା ପୂରଣ ହେଲା ନାହିଁ। କିନ୍ତୁ ସାଧାରଣ ନିର୍ବାଚନର ଫଳାଫଳରେ ଜିଲ୍ଲା ପରିଷଦ ନିର୍ବାଚନର ଝଲକ ମିଳିବ ବୋଲି ବିଜେପି ଅନୁମାନ କରିଥିଲା। କିନ୍ତୁ ଜିଲ୍ଲା ପରିଷଦ ସଭ୍ୟଙ୍କ ସାମୁହିକ ଇସ୍ତଫା ଏବେ ଦଳକୁ ଚିନ୍ତାରେ ପକାଇ ଦେଇଛି। ଜିଲ୍ଲା ପରିଷଦ ନିର୍ବାଚନ ବେଳେ ମୋଟ୍‌ ୩୪ଟି ଆସନରୁ ବିଜେପି ୨୫ଟି ଆସନ ଅକ୍ତିଆର କରିଥିଲା। ବିଜେଡି ହାତରେ ମାତ୍ର ୯ଟି ଆସନ ପଡ଼ିଥିଲା। ଫଳରେ ବିଜେପି ଜିଲ୍ଲା ପରିଷଦ ଗଠନ କରିଥିଲା। ଏବେ ୯ଜଣ ଦଳ ଛାଡ଼ି ବିଜେଡିରେ ମିଶିବା ପରେ ବିଜେଡିର ସଦସ୍ୟ ସଂଖ୍ୟା ୧୮ ଏବଂ ବିଜେପିର ଖସି ୧୬ରେ ପହଂଚିଛି। ଜିଲ୍ଲା ପରିଷଦର ଶାସନ କାଳ ଆଉ ଦୁଇ ବର୍ଷ ଉପରେ ରହିଛି। କିନ୍ତୁ ସଂଖ୍ୟା ଗରିଷ୍ଠତା ଏବେ ବିଜେଡି ହାତକୁ ଚାଲି ଆସିଛି। ତେଣୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କଲାଣି। ସାଧାରଣ ନିର୍ବାଚନ ପାଇଁ ବର୍ତମାନ ଆଚରଣ ବିଧି ଲାଗୁ ହୋଇଛି। ଏହି ଅବଧି ପାରି ହେବା ପରେ ତୁରନ୍ତ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ବିଜେଡିରେ ୯ ବିଜେପି ଜିଲ୍ଲା ପରିଷଦ ସଭ୍ୟ

୨୮ ତାରିଖ ରାତିରେ ବିଜେପି ଛାଡ଼ିଥିବା ୯ଜଣ ଜିଲ୍ଲା ପରିଷଦ ସଦସ୍ୟ ସଂଯୁକ୍ତା ମାଝୀ, ସୁଜାତା ବାରିକ, ବିଳାସିନୀ ମେହେର, ବିଶ୍ବକାନ୍ତି ଭୋଇ, ସୁଷମା ଭୁଏ, ପଞ୍ଚାନନ ମିର୍ଦ୍ଧା, ପାର୍ବତୀ ଭୋଇ, ଉମେଶଚନ୍ଦ୍ର ବେହେରା ଏବଂ ଅଂଜଳି ଭୋଇ ଶୁକ୍ରବାର ପଦ୍ମପୁର ବିଜେଡି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ବିଜୟ ରଂଜନ ସିଂ ବରିହାଙ୍କ ଉପ‌ସ୍ଥିତିରେ ବିଜେଡି‌ରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ସୁବ୍ରତ ସିଂ, ନାରାୟଣ ସାହୁଙ୍କ ସମେତ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର