ଜଗତସିଂହପୁର : ‘ମହାବାତ୍ୟାକୁ ୧୯ ବର୍ଷ ବିତିଲାଣି। ତଥାପି ସେଦିନର ଦୃଶ୍ୟ ଆଖି ଆଗରେ ନାଚି ଯାଉଛି। ଜଣ ଜଣ କରି ୯ ଜଣ ଆଖି ସାମ୍ନାରେ ଭାସିଗଲେ। ହେଲେ, କିଛି କରିପାରିଲି ନାହିଁ। ଦଇବ କରୁଣାରୁ ମୋ ଜୀବନ ବଞ୍ଚିଗଲା’ ବୋଲି କୋହଭରା ସ୍ବରରେ ସେ ଦିନର ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି ପାରାଦୀପ ଷଣ୍ଢକୁଦ ବସ୍ତିର ରବି କାଣ୍ଡେରା। ସେଦିନ ବାତ୍ୟାରେ ପତ୍ନୀ, ଭାଇ, ଭଉଣୀ ଓ ପିଲାଙ୍କୁ ବିଶାଇ ପରିବାରର ୯ ଜଣ ଆଖି ଆଗରେ ଆରପାରିକୁ ଚାଲି ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୯୯ ଅକ୍ଟୋବର ୨୯ ତାରିଖର ମହାବାତ୍ୟା ପ୍ରଚଣ୍ଡ ବର୍ଷା ସାଙ୍ଗକୁ ତାଣ୍ଡବ ରଚିଥିଲା। ଏହାର ସର୍ବାଧିକ ପ୍ରଭାବ ପଡ଼ିଥିଲା ଷଣ୍ଢକୁଦ ବସ୍ତି ଉପରେ। ସମୁଦ୍ର କୂଳରେ ଥିବା ଏହି ବସ୍ତିର ଅନ୍ୟ କେତୋଟି ପରିବାର ଭଳି ରବି କାଣ୍ଡେରା ବି ନିଜ ପରିବାରର ସମସ୍ତଙ୍କୁ ହରାଇ ଥିଲେ। ରବିଙ୍କ ଆଖି ସାମ୍ନାରେ ଗୋଟିକ ପରେ ଗୋଟିଏ ଘର ଭାଙ୍ଗି ଚାଲିଥିଲା। ହଠାତ୍ ସମୁଦ୍ର ପାଣି ମାଡ଼ି ଆସିବାରୁ ରବିଙ୍କ ବାପା ସୁଧୀର, ମା’ କମଳା, ସ୍ତ୍ରୀ ମାଳତୀ, ଝିଅ ଲଳିତା, ଦୁଇ ଭାଇ ଶମ୍ଭୁ ଓ ମାନୁଆ, ଭଉଣୀ କୁନି ଓ ବଡ଼ ପୁଅ ଆଖି ସାମ୍ନାରେ ଭାସିଗଲେ। ଏହି ସମୟରେ ସାନ ପୁଅ ମୁନାକୁ ହାତରେ ଧରି ରବି ସେ କରାଳ ଦୃଶ୍ୟ ଦେଖୁଥିଲେ। କିଛି ସମୟ ଭିତରେ ସମୁଦ୍ର ଜୁଆର ରବିଙ୍କୁ ଘରୁ ଭିଡ଼ି ଆଣିଥିଲା। ପୁଅ ମୁନାକୁ ହାତରେ ଜାବୁଡ଼ି ଧରି ରବି ସମୁଦ୍ର ଜୁଆରରେ ଭାସି ଭାସି ପିପିଏଲ ଛକ ନିକଟରେ ପହଞ୍ଚି ଥିଲେ। ସେଠାରେ ଆଉ ବଳ ନ ଥିବାରୁ ରବି ନିଜେ ବୁଡ଼ି ଯାଇଥିଲେ। ବାଧ୍ୟ ହୋଇ ପୁଅ ମୁନାକୁ ଛାଡ଼ି ଦେଇଥିଲେ ଓ ସେ ବି ଜୁଆରରେ ଭାସି ଯାଇଥିଲା। ଏକ ଗଛରେ ଲାଗିଯିବାରୁ ରବି ବଞ୍ଚି ଯାଇଥିଲେ। ଜୁଆର ଛାଡ଼ିବା ପରେ ରବି ଆଉ କାହାକୁ ପାଇ ନଥିଲେ। ପରିବାରର ୯ଜଣଙ୍କୁ ହରାଇବା ପରେ ମାନସିକ ଅବସ୍ଥା ମଧ୍ୟ ଠିକ୍ ନଥିଲା। ଦୀର୍ଘଦିନ ଅନୁଶୋଚନାରେ ବଞ୍ଚିବା ପରେ ରବି ପୁଣି ଥରେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି। ଦ୍ବିତୀୟ ବିବାହ ବି କରିଛନ୍ତି। ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ଅଛନ୍ତି। ମଜୁରି ଲାଗି ନୂଆ ପରିବାରକୁ ଠିଆ କରାଇବାକୁ ଚେଷ୍ଟା ଚଳାଉଛନ୍ତି।
ଏହି ୧୯ ବର୍ଷ ମଧ୍ୟରେ ମହାବାତ୍ୟା ଦେଖିଥିବା ବହୁ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି। ଅନେକ ଶିଶୁ ବି ଜନ୍ମ ନେଲେଣି। ହେଲେ, ଷଣ୍ଢକୁଦ ବସ୍ତିର ଅବସ୍ଥା ସୁଧୁରି ନାହିଁ। ସମୁଦ୍ର କୂଳରେ ଥିବା ଏହି ବସ୍ତିବାସିନ୍ଦାଙ୍କ ପାଇଁ ଏକ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ମାତ୍ର, ଏଯାବତ୍ ତାହା ପୂରଣ ହୋଇନାହିଁ। ରବିଙ୍କ ଭଳି ଅନେକ ପରିବାର ଏବେ ବି ସେଦିନର କରାଳ ଚିତ୍ର ଓ ଭବିଷ୍ୟତର ଆଶଙ୍କାକୁ ନେଇ ବଞ୍ଚିଛନ୍ତି।