ଉତ୍କଳ ବାଳାଶ୍ରମର ୯ ଝିଅ ଏବେ ବି ନିଖୋଜ

ଭୁଲ୍‌ ତଥ୍ୟ ଦେଇ ଭୁଆଁ ବୁଲାଉଛି ପ୍ରଶାସନ, ୭ ନୁହେଁ, ଏଯାଏ ଉଦ୍ଧାର ହୋଇଛନ୍ତି ୪ ଝିଅ

ବ୍ରହ୍ମପୁର : ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ସୁରକ୍ଷା ବ୍ୟବସ୍ଥା ଭେଦ କରି ୧୩ ଅନ୍ତେବାସୀ ଚମ୍ପଟ ମାରିବା ଭଳି ସମ୍ବେଦନଶୀଳ ଘଟଣାକୁ ପ୍ରଶାସନ ପୂରା ହାଲୁକା ଭାବେ ଗ୍ରହଣ କରିଛି। ଘଟଣା ଘଟିବା ପରେ ୩ଜଣ ତଳିଆ କର୍ମଚାରୀଙ୍କୁ ବଳି ପକାଇ ଦିଆଯାଇଛି। ନିଖୋଜ ଝିଅମାନଙ୍କୁ ଉଦ୍ଧାର ଉଦ୍ୟମ ଚାଲିଛି ବୋଲି କୁହାଯାଉଛି। କିନ୍ତୁ ଉଦ୍ଧାର ଝିଅଙ୍କ ସମ୍ପର୍କରେ ପ୍ରଶାସନ ତରଫରୁ ଭୁଲ୍‌ ତଥ୍ୟ ଦିଆଯାଇ ସମସ୍ତଙ୍କୁ ଭୁଆଁ ବୁଲା ଯାଉଥିବା ନେଇ ଆଜି ପ୍ରମାଣ ମିଳିଛି। ଗତକାଲି ସଂଧ୍ୟା ସୁଦ୍ଧା ୭ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇଥିବା କୁହା ଯାଇଥିଲା। କିନ୍ତୁ ପ୍ରକୃତ ପକ୍ଷେ ୪ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଟ୍ରାକ୍‌ କରା ଯାଇଥିଲା, କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇ ନାହିଁ।

ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ଉତ୍କଳ ବାଳାଶ୍ରମରୁ ୬ତାରିଖ ବିଳମ୍ବିତ ରାତିରେ ୧୩ଜଣ ଅନ୍ତେବାସୀ ଚମ୍ପଟ ମାରିଥିଲେ। ଏହି ଘଟଣା ପରେ ଗୋସାଇଁ ନୂଆଗାଁ ଥାନା ପୁଲିସର ଏକ ଟିମ୍‌ ଓ ପ୍ରଶାସନର ଦୁଇଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ନାବାଳିକାମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲା। ନାବାଳିକାମାନେ ବ୍ରହ୍ମପୁରରୁ ଭୁବନେଶ୍ବରକୁ ଟ୍ରେନ୍‌ରେ ଯାଇଥିବା ନେଇ ଜଣା ପଡ଼ିଥିଲା। ବିଭିନ୍ନ ସ୍ଥାନରୁ ସଂଧ୍ୟା ସୁଦ୍ଧା ୭ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଥିଲା। କିନ୍ତୁ ୭ବଦଳରେ ମାତ୍ର ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ ସ୍ପଷ୍ଟ ହୋଇଛି। ଏ ସମ୍ପର୍କରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ କହନ୍ତି ୧୩ଜଣ ନାବାଳିକା ମଧ୍ୟରୁ ୧୧ଜଣଙ୍କୁ ଟ୍ରାକ୍‌ କରାଯାଇଛି। ତନ୍ମଧ୍ୟରୁ ୪ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଅଣାଯାଇଛି। ଅନ୍ୟମାନଙ୍କୁ ବ୍ରହ୍ମପୁର ଆଣିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ କହନ୍ତି ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ୪ଜଣ ଝିଅଙ୍କୁ ସ୍ବଧାର ଗୃହରେ ରଖାଯାଇଛି। ଅନ୍ୟ କିଛି ଝିଅଙ୍କ ଲୋକେସନ୍‌ ଟ୍ରାକ୍‌ ହୋଇଛି। ସେମାନଙ୍କୁ ଉଦ୍ଧାର କରିବା ଦିଗରେ ଉଦ୍ୟମ ଚାଲିଛି।

ସମ୍ବନ୍ଧିତ ଖବର