ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୯ ଗୁରୁତର

ରାୟଗଡ଼ା : ୩୨୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଗୁମ୍ମା ଘାଟିରେ ପ୍ରବାସୀ ଶ୍ରମିକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ସମେତ ୯ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ନୀଳକଣ୍ଠ ନାଇକ, ଯଶୋବନ୍ତ ନାଇକ, ହେତୁଲାଲ୍ ନାଇକ, ମାଙ୍ଗତିଆ ନାଇକ, ନୀଳକଣ୍ଠ ନାଇକ, ପ୍ରଦୀପ ନାଇକ, ହରିଶ ନାଇକ, ଭ୍ୟାନ୍ ଡ୍ରାଇଭର୍ ବି. ଶଶୀ କୁମାର ଓ ସହକାରୀ ଡ୍ରାଇଭର ଜି. ସଂଜୟ। ରାୟଗଡ଼ା ଟାଉନ୍ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଲକ୍‌ଡାଉନ୍ ଯୋଗୁ କେରଳରେ କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ଓ ଡୁମୁରିପଦର ଗାଁର ଶ୍ରମିକମାନେ ଫସିଥିଲେ। କଟକଣା କୋହଳ ହେବା ପରେ ଶ୍ରମିକମାନେ କେରଳର ତ୍ରିଶୁର ସହରରୁ ନିଜ ଗାଁକୁ ଫେରିବା ପାଇଁ କେରଳ ପ୍ରଶାସନ ନିକଟରେ ଆବେଦନ କରିଥିଲେ। କୋଏମ୍ବାଟୁର ପରିବହନ ସଚିବ ଅନୁମତି ପ୍ରଦାନ କରିବା ପରେ ଶ୍ରମିକମାନେ ଭ୍ୟାନ୍ (ଟିଏନ୍ ୨୧ଏଭି-୨୭୯୯) ଯୋଗେ ୨୨ ତାରିଖରେ କୋଏମ୍ବାଟୁରରୁ ବାହାରିଥିଲେ। ଆଜି ପୂର୍ବାହ୍ନରେ ଶ୍ରମିକମାନେ ‌ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଚେକ ପୋଷ୍ଟରେ ପହଞ୍ଚିବା ପରେ ପଞ୍ଜୀକରଣ କରି କଳାହାଣ୍ଡି ଅଭିମୁଖେ ବାହାରିଥିଲେ। ଅପରାହ୍ନ ୫ଟାରେ ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟି ଓହ୍ଲାଉଥିବା ବେଳେ ଗୋଟିଏ ବୁଲାଣିରେ ଡ୍ରାଇଭର ଭାରସାମ୍ୟ ହରାଇବା ଯୋଗୁ ଗାଡ଼ିଟି ଗାର୍ଡୱାଲରେ ପିଟି ହୋଇଯାଇଥିଲା। ଫଳରେ ଗାଡ଼ି ଭିତରେ ଥିବା ୭ ଶ୍ରମିକଙ୍କ ସମେତ ୯ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଟାଉନ୍ ଥାନା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ଡାକ୍ତରଖାନାକୁ ଆଣିଥିଲା।

ସମ୍ବନ୍ଧିତ ଖବର