ନାରିକେଳ ବୋର୍ଡ଼କୁ ସହାୟତା ମାଗିଲା ରାଜ୍ୟ : ନଡିଆ ଗଛ କ୍ଷତି ବାବଦରେ ୧୯୨ କୋଟି ଦିଅ

'ଫନି'ରେ ୯ ଲକ୍ଷ ୭୦ ହଜାର ନଡ଼ିଆ ଗଛ ନଷ୍ଟ

ଭୁବନେଶ୍ବର : ‘ଫନି’ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ୬ଟି ଜିଲ୍ଲାରେ ନଡ଼ିଆ ଗଛ କ୍ଷୟକ୍ଷତି ପାଇଁ କେନ୍ଦ୍ର ନାରିକେଳ ବିକାଶ ବୋର୍ଡ଼କୁ ୧୯୨ କୋଟି ୨୦ ଲକ୍ଷ ୪୬ ହଜାର ଟଙ୍କା ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ବାତ୍ୟାରେ ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଜିଲ୍ଲାରେ ମୋଟ ୯ ଲକ୍ଷ ୭୦ ହଜାର ୨୦୦ଟି ନଡ଼ିଆ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏସବୁ ଜିଲ୍ଲାର ନଡ଼ିଆ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଚଳିତ ଆର୍ଥିକ ବର୍ଷ ସମେତ ଆସନ୍ତା ଆର୍ଥିକ ବର୍ଷ ପାଇଁ ଏହି କ୍ଷତିପୂରଣ ଦାବି କରିଛି ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ।

ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଏ ନେଇ ଭୁବନେଶ୍ବର ସ୍ଥିତ କେନ୍ଦ୍ର ନାରିକେଳ ବିକାଶ ବୋର୍ଡ଼ର ଉପ-ନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ମେ ୩ ତାରିଖରେ ଓଡ଼ିଶା ସ୍ଥଳଭାଗରେ ମାଡ଼ ହୋଇଥିବା ବାତ୍ୟା ‘ଫନି’ ଉପକୂଳ ଜିଲ୍ଲାର ଚାଷୀ ଓ କ୍ଷୁଦ୍ର ଚାଷୀଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୬ଟି ଜିଲ୍ଲାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ନଡ଼ିଆ ବିକ୍ରି କରି ପରିବାର ଭରଣପୋଷଣ କରିଥାନ୍ତି। ଏବେ ନଡ଼ିଆ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପୁଣି ଥରେ ସେମାନଙ୍କ ଜୀବିକା ଯେପରି ଫେରାଇ ଅଣାଯାଇପାରିବ ସେଥିପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହାସହିତ ନଡ଼ିଆକୁ କଞ୍ଚାମାଲ ଭାବେ ବ୍ୟବହାର କରୁଥିବା ପ୍ରଭାବିତ ହୋଇଥିବା ନଡ଼ିଆ ଶିଳ୍ପକୁ ମଧ୍ୟ ପୁନରୁଦ୍ଧାର ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଭାବିତ ହୋଇଥିବା ନଡ଼ିଆ ବଗିଚାର ପୁନରୁଦ୍ଧାର କରାଗଲେ ବି ବାତ୍ୟାରେ ଯେପରି ମାତ୍ରାରେ ନଡ଼ିଆ ଗଛଗୁଡ଼ିକ ମୋଡ଼ି ହୋଇଯାଇଛି ସେସବୁ ଗଛ ଉତ୍ପାଦନକ୍ଷମ ହେବାକୁ ୪ରୁ ୫ ବର୍ଷ ସମୟ ଲାଗିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

୬ଟି ଜିଲ୍ଲାରେ ନଷ୍ଟ ହୋଇଥିବା ନଡ଼ିଆ ଗଛର ହିସାବ ଦେଇ ଶ୍ରୀ ଉପାଧ୍ୟାୟ ଲେଖିଛନ୍ତି, ପୁରୀ ଜିଲ୍ଲାରେ ୩ ଲକ୍ଷ ୨୮ ହଜାର ୬୫୦ଟି ଗଛ ସମ୍ପୂର୍ଣ୍ଣ ଉପୁଡ଼ି ପଡ଼ିଥିବାବଳେ କଟକ ଜିଲ୍ଲାରେ ୫୨୫ଟି, ଜଗତସିଂହପୁରରେ ୭୮୭, ଯାଜପୁରରେ ୧୯୨୫, କେନ୍ଦ୍ରାପଡ଼ାରେ ୧୭୫୦ ଓ ଖୋର୍ଦ୍ଧା ଜିଲ୍ଲାରେ ୨୪ ହଜାର ୨୯୦ଟି ସମେତ ୩ ଲକ୍ଷ ୫୭ ହଜାର ୯୨୭ଟି ନଡ଼ିଆ ଗଛ ନଷ୍ଟ ହୋଇଯାଇଛି। ଏସବୁ ପ୍ରଭାବିତ ୬ଟି ଜିଲ୍ଲାରେ ୬ ଲକ୍ଷ ୧୨ ହଜାର ୨୭୩ଟି ଗଛର କଢ଼ା ବାତ୍ୟାରେ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ଖାଲିସେତିକି ନୁହେଁ, ୪ ଲକ୍ଷ ୧୭ ହଜାର ୫୫୦ଟି ନଡ଼ିଆ ଗଛର କଢ଼ା ଆଂଶିକ ମୋଡ଼ି ହୋଇଯାଇଛି। ଏପରି ମୋଟ ୧୩ ଲକ୍ଷ ୮୭ ହଜାର ୭୫୦ଟି ଗଛ ପ୍ରଭାବିତ ହୋଇଛନ୍ତି। ନଡ଼ିଆ ଚାଷ ହୋଇଥିବା ଉପୁଡ଼ି ପଡ଼ିଥିବା ନଡ଼ିଆ ଗଛ ଯୋଗୁଁ ମୋଟ ୭ ହଜାର ୯୩୦ ହେକ୍ଟର ଜମିରୁ ୫ ବଜାର ୫୪୪ ହେକ୍ଟର ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ୨ ହଜାର ୩୮୬ ହେକ୍ଟର ଜମିରେ ଠିଆ ହୋଇଥିବା ନଡ଼ିଆ ଗଛର କଢ଼ା ଆଂଶିକ ମୋଡ଼ି ହୋଇଛି।

ସାରା ଓଡ଼ିଶାରେ ୫୦ ହଜାର ୯୧୦ ହେକ୍ଟର ପରିମିତ ଜମିରେ ନଡ଼ିଆ ଚାଷ କରାଯାଇଛି। ସେଥିରୁ ୪୨ ହଜାର ୮୨୪ ହେକ୍ଟର ଜମିରୁ ବର୍ଷକୁ ହେକ୍ଟର ପିଛା ୭ ହଜାର ନଡ଼ିଆ ଅମଳ ହୋଇଥାଏ। ନଡ଼ିଆ ଗୋଟା ପ୍ରତି ୧୫ ଟଙ୍କା ହିସାବରେ ଗୋଟିଏ ହେକ୍ଟର ପିଛା ଚାଷୀ ୧ ଲକ୍ଷ ୫ ହଜାର ଟଙ୍କା ହରାଇଛି। କ୍ଷତିପୂରଣ ବାବଦରେ ପ୍ରତିଗଛ ପାଇଁ ଚାଷୀକୁ ୬୦୦ ଟଙ୍କା ହିସାବରେ ୮୩ କୋଟି ୨୬ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଉପୁଡ଼ି ପଡ଼ିଥିବା ଓ ସମ୍ପୂର୍ଣ୍ଣ କଢ଼ା ନଷ୍ଟ ହୋଇଥିବା ନଡ଼ିଆ ଗଛ କଟା ଓ ସଫା କରିବା ପାଇଁ ପ୍ରତି ଗଛ ବାବଦରେ ୧ ହଜାର ଟଙ୍କା ଖର୍ଚ୍ଚ ହେଲେ ୯୭ କୋଟି ୨ ଲକ୍ଷ ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶକ ଜଣାଇଛନ୍ତି।

କେନ୍ଦ୍ର ନାରିକେଳ ବିକାଶ ବୋର୍ଡ଼ର ସର୍ତ୍ତାବଳୀ ଅନୁଯାୟୀ ନଡ଼ିଆ ଗଛ ଲଗାହେବା ପରଠୁ ଦୁଇବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଖର୍ଚ୍ଚ ହିସାବକୁ ନେଲେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୮୭ କୋଟି ୩୫ ଲକ୍ଷ ୩୬ ହଜାର ଟଙ୍କା ଆବଶ୍ୟକ ପଡ଼ୁଥିବାବେଳେ ୨୦୨୦-୨୧ ପାଇଁ ୪ କୋଟି ୮୫ ଲକ୍ଷ ୧୦ ହଜାର ଟଙ୍କା ଦରକାର ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର