ଏପାଖ ସେପାଖ, ୯୦ ଭାଗ ପୂରା ଗିଳା, ଖାଲି ହାଁ ହାଁ

ପ୍ରଶ୍ନକାଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସମ୍ପର୍କରେ ଆଲୋଚନା ହେଉଥିଲା। ବିଭାଗୀୟ ମନ୍ତ୍ରୀ ରାସ୍ତାର ଗୁଣାବତ୍ତା ଠିକ୍ ରହୁଥିବା କହିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ସୁରେଶ ରାଉତରାୟ କହିଲେ, ତଳେ ଯେଉଁ ଜେଇ, ଏସ୍‌ଡିଓ, ନିର୍ବାହୀ ଯନ୍ତ୍ରୀ ଆଦି ଅଛନ୍ତି ସେମାନଙ୍କ ମଧ୍ୟରୁ ୯୦ ଭାଗ ପୂରା ଗିଳା। ପଇସା ଖାଇବାକୁ ଖାଲି ହାଁ ହାଁ ହେଉଛନ୍ତି। ଏବେ ରାସ୍ତା କାମ ପାଇଁ ଯେତିକି ଅର୍ଥ ଆସୁଛି, ସେଥିରୁ ୮୦ ଭାଗ ମିଳିମିଶି ଖାଇଦେଉଛନ୍ତି। କଂଗ୍ରେସ ବେଳେ ଏତେ ହେଉ ନ ଥିଲା, ଏହି ପରିମାଣ ୪୦ ଭାଗରେ ସୀମିତ ଥିଲା। ନବୀନ ବାବୁଙ୍କ ବେଳେ ସୀମା ଟପିଯାଇଛି। ଅବଶ୍ୟ କିଛି ଭଲ ଲୋକ ଥିବାରୁ ଜଗନ୍ନାଥ ଦେଶ ଚାଲିଛି ବୋଲି ସୁର କହିଥିଲେ।

ମହାରଥୀଙ୍କ ମୁହଁ ଦେଖି ୭ ରାସ୍ତା
ନିଜ ନିର୍ବାଚନମଣ୍ଡଳୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମ ବିଳମ୍ବ ହେଉଥିବାରୁ ପ୍ରଦୀପ ମହାରଥୀ କ୍ଷୋଭ ପ୍ରକାଶ କରିଥିଲେ। କହିଥିଲେ, ମୁଁ ବର୍ଷକ ତଳେ ୭ଟି ରାସ୍ତାର ଶୁଭ ଦେଇଥିଲି। ଏ ଯାଏ ଗୋଟିଏ ବି ଆରମ୍ଭ ହେଲାନି। ସେଠି ମାଟି, ମରମ୍ ବାରମ୍ବାର ପକାଯାଉଛି, କିନ୍ତୁ ପିଚୁ କରାଯାଉନି। କାହିଁକି ନା ମାଟି, ମରମ୍‌ରେ ଅଧିକ ପଇସା ଖାଇ ହେବ। ଏହି ସମୟରେ କିଛି ସଭ୍ୟ ପଚାରିଲେ, ତମେ ଏକାଥରେ ୭ଟି ରାସ୍ତା କେମିତି ନେଲ ? ମହାରଥୀ କହିଲେ, ମୁଁ ନୁହେଁ ସମସ୍ତେ ଏମିତି ନେଇଛନ୍ତି। କିନ୍ତୁ ସୁର ବଡ଼ ପାଟିରେ କହିଲେ, ତୋ ମୁହଁ ଦେଖି ଦିଆଯାଇଛି, ସମସ୍ତଙ୍କୁ ଦିଆଯାଇନି।

ଆମେ ଫିଲ୍‌ଡ୍‌, ଅଫିସର୍ ଫାଇଲ୍‌
ପ୍ରଶ୍ନକାଳରେ ଜୟପୁର ସହର ବିଷୟରେ ପ୍ରଶ୍ନୋତ୍ତର ଚାଲିଥିଲା। ଜୟପୁର ସହର ପାଇଁ ମାଷ୍ଟର୍ ପ୍ଲାନ୍ ୨୦୧୬ ମସିହାରୁ ପ୍ରତିଷ୍ଠା କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ। ଏଥିରେ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, କି ପ୍ଲାନ୍ କରାଯାଉଛି ଯେ ତିନି ବର୍ଷ ହେଲାଣି ସରୁନି। ଦିଲ୍ଲୀର କମ୍ପାନିକୁ ଧରି ଅଫିସର୍‌ମାନେ କି ପ୍ଲାନ୍ କରୁଛନ୍ତି ଜନ ପ୍ରତିନିଧିମାନେ ଜାଣିପାରୁ ନାହାନ୍ତି। ମାଷ୍ଟର୍ ପ୍ଲାନ୍ ପାଇଁ କୌଣସି ବୈଠକରେ ଜନ ପ୍ରତିନିଧିମାନଙ୍କୁ ଡକାଯାଉନି। ଯାହା ହେଲେ ବି ଆମେ ଫିଲ୍‌ଡ୍‌ ଲୋକ, ଅଫିସର୍ ଫାଇଲ୍‌ ଲୋକ। ସେମାନେ ବାସ୍ତବ କଥା ଜାଣିବେ କେମିତି ?

ଶାସକ ଦଳରେ ଉପସ୍ଥାନ କମ୍
ଗତ ଦୁଇ ଦିନ ହେଲା ଶାସକ ଦଳରେ ଉପସ୍ଥାନ କମ୍ ରହୁଥିବା ଦେଖିବାକୁ ମିଳୁଛି। ଅର୍ଦ୍ଧାଧିକ ବିଧାୟକ ଗୃହକୁ ଆସୁ ନାହାନ୍ତି। ମନ୍ତ୍ରୀମାନଙ୍କ ମଧ୍ୟରୁ ଅଧା ଅନୁପସ୍ଥିତ ରହୁଛନ୍ତି। ତେବେ ଯେଉଁ ମନ୍ତ୍ରୀମାନଙ୍କର ପ୍ରଶ୍ନୋତ୍ତର ଓ ଖର୍ଚ୍ଚଦାବି ଆଲୋଚନା ରହୁଛି, ସେମାନେ ଉପସ୍ଥିତ ରହୁଛନ୍ତି। ପାଟକୁରା ନିର୍ବାଚନ ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ ଗୃହକୁ ଆସିପାରୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଶାସକ ଦଳ ସଭ୍ୟ ଓ ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବାହାରେ ବିରୋଧୀମାନେ ଗଣମାଧ୍ୟମରେ କଟାକ୍ଷ କରିବାକୁ ଭୁଲୁ ନାହାନ୍ତି। ପାଟକୁରା ନିର୍ବାଚନ ସରିବା ଯାଏ ଗୃହକୁ ମୁଲତବୀ ରଖାଯାଉ ବୋଲି ବିରୋଧୀମାନେ କଟାକ୍ଷ କରିଛନ୍ତି।

ଚଟ୍‌କିନି ଆସିଲି, ଫଟ୍‌କିନି ଡାକିଲେ
ଅପରାହ୍ନରେ ଜଳସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ଚାଲିଥିଲା। କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ଆଲୋଚନାରେ ଭାଗ ନେବାର ଥିଲା। ସେ ବିଳମ୍ବରେ ଗୃହକୁ ଆସିଲେ। ତେବେ ଆସୁ ଆସୁ ବାଚସ୍ପତି ତାଙ୍କୁ କହିବା ପାଇଁ ଡାକିଲେ। ସୁର କହିଲେ, ମୁଁ ଚଟ୍‌କିନି ଆସିଲି, ଆପଣ ଫଟ୍‌କିନି ଡାକିଲେ। ଆପଣଙ୍କ ପରି କିଏ ହେବ? କି ବଢ଼ିଆ ଆପଣ? ଏତିକି କହି ସେ ସରକାରଙ୍କ ଉପରେ ବର୍ଷିବା ଆରମ୍ଭ କରିଦେଲେ।

୯କୁ ୨୩ ପାରୁନ
ଶୂନ୍ୟକାଳରେ ବିଜେପି-କଂଗ୍ରେସ ଝଗଡ଼ା ଲାଗିଲେ। କଂଗ୍ରେସ ସଭ୍ୟମାନେ ନିଜେ କହିସାରିଲା ପରେ ଗୃହରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରି ବିଜେପିକୁ କହିବା ପାଇଁ ସୁଯୋଗ ଦେଉ ନାହାନ୍ତି ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରିଥିଲେ। ଉଭୟ ଦଳ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ନିଜ ନିଜ ଦାବି ରଖୁଥିଲା ବେଳେ ପରସ୍ପର ବିରୋଧରେ ଆକ୍ଷେପ କରିବାକୁ ପଛାଉ ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହା ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ବାହାରକୁ ଗଲା ବେଳେ କଟାକ୍ଷ କରିଥିଲେ, ୯କୁ ୨୩ ପାରୁନ। ଆଉ କ’ଣ କହୁଛ ?

ସମ୍ବନ୍ଧିତ ଖବର