ମଧ୍ୟାହ୍ନଭୋଜନ ଖାଇ ୯୦ ଛାତ୍ରଛାତ୍ରୀ ଅସୁସ୍ଥ, ଡାଲମାରୁ ବାହାରିଲା ମଲା ଚମ୍ପେଇ ନେଉଳ

ରାଜନଗର : କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍‌ ଅନ୍ତର୍ଗତ ଘଡ଼ିଆମାଳସ୍ଥିତ ସିଦ୍ଧେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନଭୋଜନରେ ପ୍ରସ୍ତୁତ ଡାଲମାରୁ ମଲା ଚମ୍ପେଇ ନେଉଳ ବାହାରିଥିବା ବେଳେ ଏହାକୁ ଖାଇ ୯୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ସିଦ୍ଧେଶ୍ବର ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ୭ମ ଶ୍ରେଣୀ ମଧ୍ୟରେ ୨୫୭ ଛାତ୍ରଛାତ୍ରୀ ପାଠ ପଢନ୍ତି। ଆଜି ବିଦ୍ୟାଳୟକୁ ୧୬୭ଜଣ ପିଲା ଆସିଥିଲେ। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନରେ ଭାତ ଓ ଡାଲମା ରୋଷେଇ ହୋଇଥିଲା। ପିଲାମାନେ ମଧ୍ୟାହ୍ନଭୋଜନ ଖାଇବାକୁ ବସିଥିଲେ। ପ୍ରଥମେ ୯୦ଜଣ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯିବା ପରେ ଅନ୍ୟ ଏକ ବାଲ୍‌ଟି ଡାଲମା ଆଣିବା ବେଳକୁ ସେଥିରେ ଏକ ମଲା ଚମ୍ପେଇ ନେଉଳ ବାହାରିଥିଲା। ଏହାପରେ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇ ନ ଥିଲେ। ତେବେ ମଧ୍ୟାହ୍ନଭୋଜନ ଖାଇଥିବା କେତେକ ଛାତ୍ରଛାତ୍ରୀ ଘରେ ପହଞ୍ଚିବା ପରେ ବାନ୍ତି କରି ଅସୁସ୍ଥ ହୋଇ ପଡିଥିଲେ। ଅସୁସ୍ଥ ହୋଇପଡ଼ିଥିବା ୯୦ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘର ଲୋକେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଶିଶୁରୋଗ ବିଶେଷଜ୍ଞ ତଥା ମୁଖ୍ୟ ଚିକିତ୍ସାଧିକାରୀ ଡା. ରଶ୍ମିରଂଜନ ମହାନ୍ତି ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରିଥିଲେ। ଏବେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଖବରପାଇ ରାଜନଗର ବ୍ଲକ ଶିକ୍ଷାଧିକାରୀ ରାଜେଶ କୁମାର ସ୍ବାଇଁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନନ୍ଦ କିଶୋର ସ୍ବାଇଁ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଅଭିଭାବକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର