୯୦ପ୍ରତିଶତରୁ ଅଧିକ ଟିକାକରଣ ଉପରେ ଗୁରୁତ୍ୱ

ରାଜ୍ୟସ୍ତରୀୟ ଟିକାକରଣ ଟାସ୍କଫୋର୍ସ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଏବେ ମିଳିମିଳା ପାଇଁ ରୁବେଲା ଟିକା, ଜାପାନିଜ୍‌ ଏନକାଫିଲିଟ୍ସ ଓ ମିସନ ଇନ୍ଦ୍ରଧନୁଷ ଜରିଆରେ ଟିକାକରଣ କରାଯାଇଛି। ତେବେ ରାଜ୍ୟର ଅନେକ ଅଞ୍ଚଳରେ ଟିକାକରଣ ପ୍ରତିଶତ ଆଶାଜନକ ନୁହେଁ। ତେଣୁ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳଠାରୁ ଆରମ୍ଭ କରି ସମସ୍ତ ଅଞ୍ଚଳରେ ୯୦ପ୍ରତିଶତରୁ ଅଧିକ ଟିକାକରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଆଜି ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟିକାକରଣ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିକାକରଣ ପାଇଁ ତୃଣମୂଳସ୍ତରରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଥିଲା। ରାଜ୍ୟର ୧୩ଟି ଜିଲ୍ଲାରେ ୧ରୁ ୧୫ବର୍ଷ ପର୍ଯ୍ୟନ୍ତ ପ୍ରାୟ ୭୧ଲକ୍ଷ ୮୧ହଜାର ୩୨୩ ପିଲାଙ୍କୁ ଜେଇ ଟିକା ପ୍ରଦାନ କରାଯିବ। ଏହି ଅଭିଯାନ ପରେ ତୁରନ୍ତ ନିୟମିତ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ନିୟମିତ ଟିକାକରଣରେ ପ୍ରଥମେ ୯ରୁ ୧୨ମାସ ଓ ଦ୍ୱିତୀୟରେ ୧୬ରୁ ୨୪ମାସ ପିଲାଙ୍କୁ ଜେଇ ଟିକା ପ୍ରଦାନ କରାଯିବ। ଗାଁର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଏହି ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ ନ ଥାଏ ସେଠାରେ ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟାନ୍ୟ ସ୍ଥାନରେ କିପରି ଏହି ଟିକା ପ୍ରଦାନ କରାଯିବ ତାହାକୁ ନେଇ ନିଷ୍ପତ୍ତି ନିଆଯିବ।

ଟିକାକରଣ ଅଭିଯାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁବିକାଶ ବିଭାଗ, ଗୃହ ଓ ନଗର ଉନ୍ନୟ ବିଭାଗ, ପଞ୍ଚାୟତିରାଜ ବିଭାଗ, ଲାୟନ୍ସ କ୍ଲବ୍‌ ସହିତ ଯୋଗସୂତ୍ର ରଖିବାକୁ ପରାମର୍ଶ ଦିଆଯାଇଛି। ଅଭିଯାନକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଓ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କ ମିଳିତ ସ୍ୱାକ୍ଷରରେ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯିବ। ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦେଶିକାଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କୁ ଟିକାକରଣ ଗାଇଡ୍‌ଲାଇନ ଓ ବ୍ୟୟ ଅଟକଳ ସଂକ୍ରାନ୍ତରେ ପତ୍ର ଦିଆଯିବ। ଟିକାକରଣ କାର୍ଯ୍ୟକ୍ରମର ସଚେତନତାକୁ ବ୍ୟାପକ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ ସେମାନଙ୍କ େଓ୍ଵବ ପୋର୍ଟାଲରେ ସୂଚନା ପ୍ରଦାନ କରିବେ। ଏହାସହ ଗୋଷ୍ଠୀସ୍ତରରେ ବିଭିନ୍ନ ସଂଗଠନର ମୁଖିଆମାନଙ୍କୁ ସାମିଲ କରିବା ସହିତ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାର୍ତା ପ୍ରଚାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା.କୈଳାସ ଚନ୍ଦ୍ର ଦାଶ, ଡା.ବିନୋଦ ମିଶ୍ର, ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଡା.ଶରତ ସାହୁଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗ, ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ ଓ ୟୁଏନ୍‌ଡିପିର ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର