୯୨ଟି ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ଅତିରିକ୍ତ ୯୨ଟି ୧୦୮ ଆମ୍ବୁଲାନ୍ସ୍‌ ଆଜି ଲୋକାର୍ପିତ ହୋଇଛି। ପରିବହନ ଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ପ୍ରଥମ ପର୍ଯ୍ୟାୟରେ ୨୪ଟି ଆମ୍ବୁଲାନ୍ସ୍‌ର ଉଦ୍‌ଘାଟନ କରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଲେ, ୨୦୧୩ରେ ୪୨୦ଟି ୧୦୮ ଆମ୍ବୁଲାନ୍ସ ଆରମ୍ଭ କରାଯାଇଥିଲା। ୩୦ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ସେହି ସବୁ ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଏଥିସହ ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁଙ୍କ ପାଇଁ ୫୦୦ଟି ୧୦୨ ଆମ୍ବୁଲାନ୍ସ୍‌ ମୁତୟନ ହୋଇଛି। ଏପର୍ଯ୍ୟନ୍ତ ୩୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେବା ସହ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ଯଥେଷ୍ଟ ସହାୟକ ହୋଇପାରିଛି। ନୂତନ ୯୨ଟି ୧୦୮ ଆମ୍ବୁଲାନ୍ସ ଦ୍ୱାରା ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଆବଶ୍ୟକତା ପୂରଣ ହେବ। ଜରୁରୀକାଳୀନ ସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି। ୨୮ ଟି ବେସିକ୍‌ ଲାଇଫ ସପୋର୍ଟ ଆମ୍ବୁଲାନ୍ସକୁ ଆଡଭାନ୍ସ ଲାଇଫ ସପୋର୍ଟ କରିବା ନିମନ୍ତେ ରାଜ୍ୟ ସରକାର ଅର୍ଥର ବ୍ୟବସ୍ଥା କରିଛନ୍ତି। ଏହି ୯୨ଟି ଆମ୍ବୁଲାନ୍ସ ପାଇଁ ୯୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି, ଯାହାକି ଆସନ୍ତା ୫ ବର୍ଷ ମଧ୍ୟରେ ବ୍ୟୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର