ଗୋଲାପି ନୁହେଁ ରାଜ୍ୟ ଅର୍ଥନୀତିର ଚିତ୍ର

ବର୍ଷ ଶେଷକୁ ୯୨ହଜାର କୋଟିକୁ ଛୁଇଁଯିବ ଋଣ

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ରାଜସ୍ୱ ବଳକାର ପରିମାଣ ହେଉଛି ୧୩ ହଜାର ୭୦୨ କୋଟି ଟଙ୍କା। ସାମଗ୍ରିକ ଘରୋଇ ଉତ୍ପାଦର ଏହା ୩.୬%। ବିତ୍ତୀୟ ନିଅଣ୍ଟର ପରିମାଣ ମଧ୍ୟ ସୀମା ମଧ୍ୟରେ (୨.୪୩%) ରହିଛି। ଏହା ଜିଏସ୍‌ଡିପିର ୩.୫% ମଧ୍ୟରେ ରହିବା କଥା। ଋଣ, ସୁଧ ଦେୟ ମଧ୍ୟ ସୀମାରେଖା ଡେଇଁନାହାନ୍ତି। ପୁଞ୍ଜି ବ୍ୟୟ ୨୧ ହଜାର ୩୫୭ କୋଟି ଟଙ୍କା ଛୁଇଁଛି, ଯାହା ଜିଏସ୍‌ଡିପିର ୫.୬%। ସଚିବସ୍ତରୀୟ ବୈଠକରେ ଅର୍ଥ ବିଭାଗ ରାଜ୍ୟର ଆର୍ଥିକ ସ୍ଥିତି ସଂପର୍କରେ ଏଭଳି ଗୋଲାପି ଚିତ୍ର ଆଙ୍କିଛନ୍ତି। ଅର୍ଥ ବିଭାଗର ଏ ଚିତ୍ର ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତ କରିଛି। ମାତ୍ର ଅର୍ଥନୀତିଜ୍ଞମାନେ ଏହାକୁ ଭିନ୍ନ ଭାବେ ଚିତ୍ରଣ କରୁଛନ୍ତି। ଏହା ଏକ ସାମିୟକ ବଳକା ଓ ବିକାଶ ପାଇଁ ଆଜି ବି ରାଜ୍ୟ ସରକାର ଋଣ ଉପରେ ନିର୍ଭର କରୁଛନ୍ତି ବୋଲି ଏହି ମହଲର ମତ। କେବଳ ସେତିକି ନୁହେଁ, ଏହାର ନକାରାତ୍ମକ ପ୍ରଭାବ ପଞ୍ଚଦଶ ଅର୍ଥ କମିସନଙ୍କ ଉପରେ ପଡିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ରାଜସ୍ୱ ବଳକା ଓଡ଼ିଶା ଭଳି ରାଜ୍ୟର ଅର୍ଥନୀତି ପାଇଁ ବିଶେଷ କିଛି ମାନେ ରଖେନାହିଁ। ଏମିତିରେ ବି ଗତବର୍ଷ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ସହିତ ତୁଟିଥିବା ବିବାଦ କାରଣରୁ ରାଜ୍ୟ ସରକାର ପାଖାପାଖି ୨୯୩୫ କୋଟି ଟଙ୍କା ପାଇଛନ୍ତି। ଏହାବାଦ୍‌ ଅବକାରୀ, ପେଟ୍ରୋଲିୟମ୍‌ ଜାତ ଦ୍ରବ୍ୟ କ୍ଷେତ୍ରରେ କିଛି ରାଜସ୍ୱ ଅଧିକ ମିଳିଛି। ଶ୍ରୀ କାନୁନ୍‌ଗୋ କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଆର୍ଥିକ ବର୍ଷ ହୋଇଥିବାରୁ ପ୍ରତିଟି ବର୍ଗଙ୍କୁ ଆକର୍ଷିତ କରିବା ଲାଗି ସରକାର ଭରପୂର ଉଦ୍ୟମ କରିବେ। ଏଥିପାଇଁ ଚଳିତବର୍ଷ ବଜେଟ୍‌ରେ ପାଖାପାଖି ୧୯ଟି ନୂଆ କାର୍ଯ୍ୟକ୍ରମ ଓ ଯୋଜନା ଲାଗି ଅର୍ଥ ବରାଦ କରିଯାଇଥିଲା। ଏବେ ଆହୁରି କିଛି ଅଧିକ ଯୋଜନା ଓ କାର୍ଯ୍ୟକ୍ରମ ଲାଗି ଅର୍ଥ ବରାଦ କରାଯିବ । ପ୍ରଶାସନିକ ଖର୍ଚ୍ଚ ମଧ୍ୟ ବଢିବ। ସୁତରାଂ ରାଜସ୍ୱ ବଳକା ବୋଲି ସରକାର ଯେତେ ଦାବି କଲେ ମଧ୍ୟ ବାସ୍ତବିକ କ୍ଷେତ୍ରରେ ରାଜ୍ୟ ମୁଣ୍ଡରେ ଋଣ ଚାପ ବଢିବାରେ ଲାଗିଛି।

ରାଜସ୍ୱ ବଳକା ଦର୍ଶାଇ ସରକାର ଖୁସ୍‌
ଋଣ ଉପରେ ନିର୍ଭରଶୀଳତା ବଢୁଛି

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି, ରାଜ୍ୟ ଅର୍ଥନୀତି ସମ୍ପୂର୍ଣ୍ଣ ବିଗିଡିନାହିଁ ସତ, ମାତ୍ର ଠିକ୍‌ ଧାରାରେ ନାହିଁ। ଏହା ପଞ୍ଚଦଶ ଅର୍ଥ କମିସନଙ୍କୁ ଦ୍ୱନ୍ଦ୍ୱରେ ପକାଇପାରେ। ଅର୍ଥ କମିସନ ଆସନ୍ତା ଅକ୍ଟୋବର ମାସ ମଧ୍ୟରେ ଓଡ଼ିଶା ଆସିବେ। ୨୦୧୭-୧୮ ଆର୍ଥିକ ବର୍ଷ କମିସନଙ୍କ ପାଇଁ ଅନେକ ଗୁରୁତ୍ୱ ରଖିପାରେ। ରାଜ୍ୟର ଅର୍ଥନୀତିର ଗୋଲାପି ଚିତ୍ର ରାଜ୍ୟର ଦାବିକୁ ଅନେକ କ୍ଷେତ୍ରରେ ଦୁର୍ବଳ କରିବାର ସମ୍ଭାବନା ରହିଛି। ଏମିତିରେ ତ୍ରୟୋଦଶ ଅର୍ଥ କମିସନଙ୍କ ସମୟରେ ରାଜ୍ୟ ଅଂଶ (୪.୭୭%) ଚତୁର୍ଦଶ ଅର୍ଥ କମିସନଙ୍କ ସମୟରେ (୪.୬୪%)କୁ ଖସିଆସିଛି। ଏହା ଆହୁରି ଖସିବାର ଭୟ ରହିଛି। ଅବଶ୍ୟ ୨୦୧୧ ଜନଗଣନା ରିପୋର୍ଟକୁ ଆଧାର ଭାବେ କମିସନ ଗ୍ରହଣ କରୁଥିବାରୁ ଜନସଂଖ୍ୟା ଅପେକ୍ଷା ପାରଦର୍ଶିତାକୁ ପଞ୍ଚଦଶ ଅର୍ଥ କମିସନ ଗୁରୁତ୍ୱ ଦେଇପାରନ୍ତି। ଏ କ୍ଷେତ୍ରରେ ମଧ୍ୟ ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। କାରଣ ବିଭିନ୍ନ ଯୋଜନା ବାବଦ ଅର୍ଥ ଖର୍ଚ୍ଚରେ ରାଜ୍ୟର ପ୍ରଦର୍ଶନ ବେଶ୍‌ ଆଶାନୁରୂପକ ନୁହେଁ। ଅର୍ଥନୀତିଜ୍ଞ ମହଲ କହୁଛନ୍ତିି, ଯଦି ରାଜସ୍ୱ ବଳକା ହେଉଛି ବୋଲି ସରକାର ଦେଖିପାରୁଛନ୍ତି, ତେବେ ବର୍ଷ ଶେଷକୁ ସପ୍ତମ ଅର୍ଥ ବେତନ କମିସନଙ୍କ ସୁପାରିସ ବାବଦ ବକେୟା ୬୦% ଅର୍ଥ ଦେବାରେ କୌଣସି ଅସୁବିଧା ନଥିଲା। କେବଳ ସେତିକି ନୁହେଁ, ରାଜ୍ୟ ସରକାର ପୁଞ୍ଜି ଖର୍ଚ୍ଚ ଦିଗରେ ମଧ୍ୟ ଅଧିକ ଧ୍ୟାନ ଦେବା ଉଚିତ୍‌ ଥିଲା।
ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ବଜେଟ୍‌ ଆକାର ବଢାଉଛନ୍ତି ଓ ଯୋଜନା ସଂଖ୍ୟା ବି। ହେଲେ ସେହି ତୁଳନାରେ କର୍ମଚାରୀ ବଢୁନାହାନ୍ତି। ବିଶେଷକରି ଇଞ୍ଜିନିୟରିଂ ବିଭାଗର ଶୀର୍ଷସ୍ତର ଦିନକୁ ଦିନ ଓଜନିଆ ହେବାରେ ଲାଗିଛି, କିନ୍ତୁ ତୃଣମୂଳସ୍ତରରେ ନିୟମିତ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି କ୍ଷେତ୍ରରେ ସେତିକି ଗୁରୁତ୍ୱ ଦିଆଯାଉନାହିଁ। ଏହା ସରକାରଙ୍କ ପାରଦର୍ଶିତା ଉପରେ ଜବରଦସ୍ତ ପ୍ରଭାବ ରଖୁଛି।

ଏଠାରେ ଉଲ୍ଲେଖଥାଉକି, ଚଳିତବର୍ଷ ବଜେଟ୍‌ ଉପସ୍ଥାପନ ସମୟରେ ମଧ୍ୟ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଋଣ ଉପରେ ନିର୍ଭରଶୀଳତା ନେଇ ଯଥେଷ୍ଟ ସଙ୍କେତ ଦେଇଥିଲେ। ରାଜସ୍ୱ ପ୍ରାପ୍ତି ସଂପର୍କରେ ସୂଚନା ଦେବାକୁ ଯାଇ ଅର୍ଥମନ୍ତ୍ରୀ କହିଥିଲେ, ରାଜ୍ୟର ନିଜସ୍ୱ ଓ କେନ୍ଦ୍ରୀୟ ଟିକସ ଓ ଅନୁଦାନ ଆଦି ମିଶାଇ ମୋଟ ୧ଲକ୍ଷ ୨୦୦ କୋଟି ଟଙ୍କା ମିଳିବ। ଏଥିରୁ କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ଅଂଶ ବାବଦକୁ ୩୬ ହଜାର ୫୮୬ କୋଟି, ରାଜ୍ୟର ନିଜସ୍ୱ ଟିକସ ୨୮ ହଜାର ୫୫୦ କୋଟି ଟଙ୍କା, ନିଜସ୍ୱ ଅଣ ଟିକସ ବାବଦରେ ୧୦ହଜାର ୩୦୦ କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୨୪ ହଜାର ୭୬୪ କୋଟି ଟଙ୍କା ମିଳିବ। ଅର୍ଥାତ୍‌ ନିଜସ୍ୱ ଟିକସ ଓ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ୬.୪୪% ହେବ। ବଢାଚଢା ଖର୍ଚ୍ଚକୁ ଭରଣା କରିବା ଲାଗି ଗତବର୍ଷ ସରକାର ୨୦୧୭-୧୮ ବର୍ଷରେ ଖୋଲା ବଜାରରୁ ୧୦ ହଜାର ୨୭୩ କୋଟି ଟଙ୍କା ଋଣ ଉଠାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୯ ହଜାର ୬୭୮କୋଟି ଟଙ୍କାର ଋଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ମଧ୍ୟରୁ ଖୋଲା ବଜାରରୁ ପ୍ରାୟ ୧୨ହଜାର ୩୨ କୋଟି ଟଙ୍କା ଋଣ ଉଠାଇବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥାତ୍‌ ବର୍ଷ ଶେଷ ବେଳକୁ ମୋଟ ଋଣ ପରିମାଣ ୯୧ ହଜାର ୯୪୩ କୋଟି ଟଙ୍କା ଛୁଇଁଯିବ। ଆର୍ଥିକ ଉତ୍ତରଦାୟୀ ଓ ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ବକେୟା ଋଣ ଓ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫%ରୁ କମ୍‌ ହେବା ଆବଶ୍ୟକ। ଏହା ୨୦୧୮-୧୯ ବର୍ଷ ଶେଷ ସୁଦ୍ଧା ୨୦.୭୩% ଛୁଇଁପାରେ ବୋଲି ସରକାର ଦର୍ଶାଉଛନ୍ତି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ୪ଲକ୍ଷ ୪୩ ହଜାର କୋଟି ଛୁଇଁପାରେ ବୋଲି ଆକଳନ କରାଯାଇଛି।

ସୂଚନାଯୋଗ୍ୟ, ୧୯୯୯-୨୦୦୦ ମସିହାରେ ଅର୍ଥାତ୍‌ ବିଜୁ ଜନତା ଦଳ ସରକାର କ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟର ମୋଟ ଋଣ ପରିମାଣ ୧୮ ହଜାର ୧୦୦ କୋଟି ଟଙ୍କା ଥିଲା। ୨୦୦୯-୧୦ ବେଳକୁ ଅର୍ଥାତ୍‌ ଭାଗୁଆଳି ସରକାରରୁ ବିଜେପି ଓହରିଯିବା ପରେ ଏହାର ପରିମାଣ ୩୭ ହଜାରର ୭୩୦ କୋଟିରେ ପହଞ୍ଚିଥିଲା। ୨୦୧୪-୧୫ରେ ଋଣ ପରିମାଣ ୪୩ ହଜାର ୨୭୩ କୋଟି ଛୁଇଁଥିବା ପ୍ରକାଶ।

ସମ୍ବନ୍ଧିତ ଖବର