ଉଚ୍ଚଶିକ୍ଷାରେ ଆସିବ ସଂସ୍କାର: ୟୁଜିସି ସଚିବ

ଭୁବନେଶ୍ୱର : ଜା‌ତୀୟସ୍ତରରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପଦକ୍ଷେପ ନିଆଯାଉଛି। ପାଠ୍ୟ ଖସଡ଼ାରେ ସଂଶୋଧନ, ଅଧ୍ୟାପକମାନଙ୍କ ପାଇଁ ନିୟମିତ ଭାବେ ରିଫ୍ରେସର କୋର୍ସ, ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ଅଧିକ ପାଣ୍ଠି ପ୍ରଦାନ ନିମନ୍ତେ ୟୁଜିସି ନିଷ୍ପତ୍ତି ନେଇଛି। ଏଥିସହ ବିଶ୍ବସ୍ତରୀୟ ରୢାଙ୍କିଙ୍ଗ୍‌ରେ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ କିଭଳି ସ୍ଥାନ ପାଇବେ ସେଥିପାଇଁ ଅଧ୍ୟାପକଙ୍କର ଅଧିକରୁ ଅଧିକ ରିଫ୍ରେସର କୋର୍ସ କରିବା ଲାଗି ୟୁଜିସି ଯୋଜନା ରଖିଛି ବୋଲି ୟୁଜିସି ସଚିବ ରଜନୀଶ୍ ଜୈନ୍ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆଜିଠାରୁ ଆରମ୍ଭ ହୋଇଥିବା ଆସୋସିଏସନ୍‌ ଅଫ୍‌ ଇଣ୍ଡିଆନ୍‌ ୟୁନିଭର୍ସିଟିଜ୍‌ର କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେବାକୁ ଆସିବା ଅବସରରେ ଶ୍ରୀ ‌ଜୈନ୍‌ ଏହା କହିଛନ୍ତି। ସେ ଆହୁରି ସୂଚନା ଦେଇଛନ୍ତି ଯେ ଗବେଷଣାକୁ ଅଧିକ ଗୁରୁତ୍ବ ଦେବା ପାଇଁ ଛାତ୍ରବୃତ୍ତି ଅଧିକ ଦେବା ଲାଗି ଚିନ୍ତା କରାଯାଉଛି। ଏଥିସହ ଫେକ୍‌ ତଥା ବେଆଇନ ଭାବେ ଚାଲୁଥିବା ବିଶ୍ବବିଦ୍ୟାଳୟଗୁଡ଼ିକରେ ଯେପରି ଛାତ୍ରଛାତ୍ରୀ ନାମ ନ ଲେଖାଇବେ ସେଥିପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ହେଉଛି। ଦେଶ ତଥା ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଅଧାରୁ ଅଧିକ ଅଧ୍ୟାପକଙ୍କ ପଦବି ଖାଲି ପଡ଼ିଛି। ତେଣୁ ଏଦିଗରେ ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଅଧ୍ୟାପକଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ ବୋଲି ଶ୍ରୀ ଜୈନ୍ କହିଛନ୍ତି।

ସମ୍ବନ୍ଧିତ ଖବର