ଭୁବନେଶ୍ବର : ୟୁନିଟ-୪ରେ ଥିବା ବିଧାୟକ କ୍ୱାର୍ଟର୍ସ ଭଙ୍ଗା ହେବ। ଜନପଥରେ ବାଣିଜ୍ୟିକ-ଆବାସିକ ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ଥିବା ସରକାରୀ କ୍ବାର୍ଟର୍ସଗୁଡ଼ିକୁ ଭଙ୍ଗାଯିବ। ପ୍ରାୟ ୨୦୦ କ୍ବାର୍ଟର୍ସ ନିକଟରେ ଭଙ୍ଗା ହେବାକୁ ଥିବାବେଳେ ଏଠାରେ ରହୁଥିବା ବ୍ୟକ୍ତିମାନଙ୍କୁ କ୍ବାର୍ଟର୍ସ ଆବଣ୍ଟନ ପାଇଁ ନୂଆ କ୍ବାର୍ଟର୍ସ ନିର୍ମାଣ ହେବ। ଏଥିପାଇଁ ୟୁନିଟ-୮ କଲ୍ୟାଣ ମଣ୍ଡପ (ପୁରୁଣା) ଏବଂ ୟୁନିଟ-୪ସ୍ଥିତ ପୁରୁଣା ଏଜି କଲୋନିରେ ଜମି ଚିହ୍ନଟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ୟୁନିଟ-୮ ଏବଂ ୟୁନିଟ-୪ରେ ପ୍ରାୟ ୨୧୬ଟି କ୍ବାର୍ଟର୍ସ ନିର୍ମାଣ ହେବାକୁ ଥିବାବେଳେ ଏଥିପାଇଁ ପ୍ରାୟ ୯୫.୦୮କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ ଆକଳନ କରିଛି। ଏହି ଦୁଇଟି ସ୍ଥାନରେ ସରକାରୀ କ୍ବାର୍ଟର୍ସ କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରୋଜେକ୍ଟରେ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।
ଓବିସିସି ଏହି ଦୁଇଟି ସ୍ଥାନରେ କ୍ବାର୍ଟର୍ସ ନିର୍ମାଣ କରିବାକୁ ଥିବାବେଳେ ୟୁନିଟ-୮ ଡିଏଭି ସ୍କୁଲ ନିକଟସ୍ଥ କଲ୍ୟାଣ ମଣ୍ଡପ ଭଙ୍ଗା ଯାଇଥିବାବେଳେ ଏଠାରେ ଥିବା ୧.୨୪୪ ଏକର ଜମିରେ ୧୩୨ଟି ଟାଇପ୍-୨ କ୍ବାର୍ଟର୍ସ ନିର୍ମାଣ ହେବ। ଏଠାରେ ୧୨ମହଲା ବିଶିଷ୍ଟ ବହୁତଳ କୋଠା ନିର୍ମାଣ ହେବ। ଏହା ବି+ଏସ୍+୧୧ ହେବ ବୋଲି ନିଷ୍ପତ୍ତି ହୋଇଛି। ପ୍ରତି ମହଲାରେ ୧୧ଟି ଲେଖାଏଁ କ୍ବାର୍ଟର୍ସ ରହିବ। ଏହାସହ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ରହିବ। ଏହାର ବେସ୍ମେଣ୍ଟ ଏବଂ ପ୍ରଥମ ମହଲାରେ ପାର୍କିଂ ସୁବିଧା ରହିବ।
ସେହିପରି ୟୁନିଟ-୪ସ୍ଥିତ ପୁରୁଣା ଏଜି କଲୋନିରେ ୧୫ମହଲା ବିଶିଷ୍ଟ ବହୁତଳ କୋଠା ନିର୍ମାଣ ହେବ। ଏହା ବି+ଏସ୍+୧୪ ମହଲା ହେବ। ଏଠାରେ ୮୪ଟି କ୍ବାର୍ଟର୍ସ ନିର୍ମାଣ ହେବ। ବେସମେଣ୍ଟ ଏବଂ ପ୍ରଥମ ମହଲାରେ ଗାଡ଼ି ପାର୍କିଂ ସୁବିଧା ରହିବ। ଏହି ୧୫ମହଲା କୋଠାରେ ପ୍ରତି ମହଲାରେ ୬ଟି ଲେଖାଏ ଟାଇପ୍-୪ କ୍ବାର୍ଟର୍ସ ରହିବ। ପୁରୁଣା ଏଜି କଲୋନିରେ ୨.୭୪ଏକର ଜମି ଥିଲେ ହେଁ ଏବେ ୧.୫ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ପାର୍କ, ପମ୍ପ୍ ହାଉସ୍ ଏବଂ କଣ୍ଟ୍ରୋଲ ରୁମ୍ ବି ରହିବ।
ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରକଳ୍ପ ଟର୍ଙ୍କି ବେସିସ୍ରେ ହେବାକୁ ଥିବାବେଳେ ଏହାକୁ ଦୁଇ ବର୍ଷରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଯେଉଁ ୯୫କୋଟି ଟଙ୍କା ଖର୍ଚ୍ଚ ଆକଳନ ହୋଇଛି ସେଥିରେ ୧୨% ଜିଏସ୍ଟି ଏବଂ ୮% ସୁପରଭିଜନ୍ ଚାର୍ଜ ସାମିଲ୍ ଅଛି।