ତାଳଚେର ସହରରେ ଦବିଲା ମାଟି : ଘରଦ୍ବାର ଛାଡ଼ି ଲୋକେ ରାସ୍ତାରେ, ‘ତାଳଚେର ବନ୍ଦ’ ଆଜି

ତାଳଚେର : କିଛିଦିନର ବ୍ୟବଧାନ ପରେ ଆଜି ରାତିରେ ତାଳଚେର ସହରରେ ମାଟି ଦବିଛି। ପୂର୍ବଥର ଭଳି ଖାଲି ଜମିରେ ନୁହେଁ, ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ଘଟଣା ଘଟିଛି। ଫଳରେ, ଭୟରେ ଲୋକମାନେ ଘର ଛାଡ଼ି ରାସ୍ତା ଉପରକୁ ପଳାଇ ଆସିଛନ୍ତି। ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଆସନ୍ତାକାଲି ଲୋକମାନେ ତାଳଚେର ବନ୍ଦ ଡାକରା ଦେଇଛନ୍ତି।

ଆଜି ରାତି ପ୍ରାୟ ୭ଟା ୪୫ରୁ ୮ଟା ମଧ୍ୟରେ ଏହି ଘଟଣା ଘଟିଥିଲା। ତାଳଚେର ଥାନା ସମ୍ମୁଖରେ ଥିବା ସ୍ବର୍ଗତ ରବି ବାଇଙ୍କ ପତ୍ନୀ ଶାନ୍ତି ବାଇଙ୍କ ଘର ଭିତରେ ହଠାତ୍ ପ୍ରାୟ ୫ ଫୁଟ ଲମ୍ବ ଓ ୬ ଫୁଟ ଓସାରର ମାଟି ଦବି ଯାଇଥିଲା। ଗର୍ତ୍ତଟି ଭିତରକୁ କ୍ରମଶଃ ଅଧିକ ଓସାରିଆ ହୋଇ ଶାନ୍ତିଙ୍କ ପଡ଼ୋଶୀ ସ୍ବର୍ଗତ ତୀର୍ଥ ବାଇଙ୍କ ଘର ଆଡକୁ ଲମ୍ବିଯାଇଥିଲା। ସେହି ସମୟରେ ଉଭୟ ପରିବାରର ଲୋକମାନେ ଚଳପ୍ରଚଳ କରୁଥିଲେ ହେଁ ହଠାତ୍ କେହି କିଛି ବୁଝି ପାରିନଥିଲେ। ତେବେ ଫାଟ ଧୀରେଧୀରେ ବୃଦ୍ଧିପାଇ ମାଟି ଦବିବାରୁ ସେମାନେ ଆତଙ୍କିତ ହୋଇ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ସେମାନେ ବିକଳରେ ଚିତ୍କାର କରିବାରୁ ଲୋକେ ପହଂଚିଯାଇଥିଲେ। ରାତିରେ ଫାଟ ବୃଦ୍ଧି ପାଉଥିବାରୁ ଆଖପାଖର ପରିବାରଗୁଡ଼ିକ ମଧ୍ୟ ଆତଙ୍କିତ ହୋଇ ଘର ଛାଡ଼ି ବାହାରକୁ ଚାଲି ଆସିଥିଲେ।

ଖବର ପାଇ ସହରର ବିଭିନ୍ନ ଅଂଚଳରୁ ଲୋକେ ଘଟଣାସ୍ଥଳରେ ପହଂଚିବା ଫଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଂଚିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ପୂର୍ବରୁ ଗତ ମାର୍ଚ୍ଚ ୨୦ ତାରିଖରେ ବାଇପାସ୍‌ ଟ୍ରାଫିକ ଛକ ଠାରେ ଏଭଳି ଗର୍ତ୍ତ ସୃଷ୍ଟି ହୋଇ ଆଖପାଖ ଅ˚ଚଳର ମାଟି ଭିତରକୁ ଧସିଥିଲା। ସେହିଭଳି ୧୯୮୧ ମସିହା ନଭେମ୍ବର ୧୦ତାରିଖରେ ହାଟତୋଟା ରେଳ ଲାଇନ ପାଖ ଫଳ ବଜାର ପଛପାଖ ଜମିରେ ଅଧ ଏକର ଓସାରର ମାଟି ପ୍ରାୟ ତିରିଶ ଫୁଟ ତଳକୁ ଦବି ଯାଇଥିଲା। ୧୯୮୧ ମାର୍ଚ୍ଚ ୧୭ ତାରିଖରେ ନବ ମିଶ୍ର କଲୋନିକୁ ଲାଗି ରହିଥିବା କିଛି ଜମି ଭୂଗର୍ଭକୁ ପଶି ଯାଇଥିଲା। ସେହିପରି ଅତୀତରେ ନୂଆ ବସଷ୍ଟାଣ୍ଡ ପାଖ, ହାଣ୍ତିଧୂଆଁ ଗାଁ ଜମି, ଦେଉଳବେଡା ତେଲି ସାହି, ଶିରିଡି ସାଇ ମନ୍ଦିର ସମ୍ମୁଖ ଅ˚ଚଳରେ ମଧୢ ଏଭଳି ଗର୍ତ୍ତ ସୃଷ୍ଟି ହୋଇ ସହରବ୍ୟାପୀ ଆତଙ୍କ ଖେଳାଇଥିଲା। ରିପୋର୍ଟ ଲେଖା ବେଳକୁ ଏ ସ˚ପର୍କରେ ସ୍ଥାନୀୟ ବାସିନ୍ଦା ଥାନା ତଥା ଖଣି କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିବା ଜଣାପଡିଛି। ତେବେ ରାତିସୁଦ୍ଧା କେହି ଘଟଣାସ୍ଥଳରେ ପହଂଚି ନଥିବା ଜଣାପଡ଼ିଛି।

ପ୍ରକାଶଯୋଗ୍ୟ ଯେ ୧୯୨୮ ମସିହାରେ ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ଦେଉଳବେଡା ଭୂତଳ କୋଇଲା ଖଣିରୁ କୋଇଲା ଉତ୍ତୋଳନ ଆରମ୍ଭ କରାଯାଇଥିଲା। ମାଟି ତଳେ ଏହି ଖଣି ପୂର୍ବ-ପଶ୍ଚିମ ଦିଗରେ ୪.୫ କିଲୋମିଟର ଓ ଉତ୍ତର-ଦକ୍ଷିଣ ଦିଗରେ ୨.୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ରହିଛି। କୋଇଲା ଉତ୍ତୋଳନ ପରେ ଖାଲି ସ୍ଥାନରେ ସଂପୂର୍ଣ୍ଣ ବାଲି ଭର୍ତ୍ତି କରାଯିବାର ନିୟମ ରହିଥିଲେ ହେଁ ଏହା କରାଯାଇ ନଥିବାରୁ ଅତୀତରେ ସହରର ବିଭିନ୍ନ ସ୍ଥାନ ଦବି ଯାଇଥିବାର ନଜିର ରହିଛି।

ସମ୍ବନ୍ଧିତ ଖବର