ଅନୁଗୁଳ : ସାମାନ୍ୟ କେଇଖଣ୍ଡ କଞ୍ଚା ଇଟା ପାଇଁ ଅତ୍ୟାଚାରର ସବୁ ସୀମା ଟପିଲା। ଯୁବକଙ୍କୁ ସାରା ରାତି ଗଛରେ ବାନ୍ଧିଲେ ଭାଟି ମାଲିକ। ଅଚେତ ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଲେ ପୀଡ଼ିତ ଯୁବକ ନରୋତ୍ତମ ନାଏକ(୩୫)। ଅମାନୁଷିକତାର ସବୁ ସୀମା ସରହଦ୍ ଟପି ଯାଇଥିବା ଏଭଳି ହୃଦୟ ବିଦାରକ ଦୃଶ୍ୟ ଆଜି ଅନୁଗୁଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି। ଏଭଳି ଅତ୍ୟାଚାରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବନ୍ତଳା ଥାନା ପୁଲିିସ ଇଟାଭାଟି ମାଲିକ କୁଶ ନାଏକ(୪୦) ଓ ପତ୍ନୀ ଅହଲ୍ୟା ନାଏକ(୩୫)ଙ୍କୁ ଗିରଫ କରିଛି। ଏପଟେ ନରୋତ୍ତମଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହୋଇ ପଡ଼ିବାରୁ ଅପରାହ୍ନରେ ଡାକ୍ତର ତାଙ୍କୁ ଅନୁଗୁଳ ମେଡିକାଲ୍ରୁ କଟକ ବଡ଼ ମେଡିକାଲ୍କୁ ରେଫର୍ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପୋକତୁଙ୍ଗା ଗାଁର କୁଶ ଘର କରିବା ପାଇଁ ବାଡ଼ିରେ ଇଟା ପକାଉଥିଲେ। ଗତ ୭ତାରିଖ ସଂଧ୍ୟାରେ ନରୋତ୍ତମ ଶୌଚ ହେବାକୁ ଯାଇଥିବା ବେଳେ କୁଶଙ୍କ କଞ୍ଚା ଇଟା ଉପରେ ଚଢ଼ି ଯାଇଥିଲେ। କିଛି ଇଟା ନଷ୍ଟ ହୋଇଥିବା ଦେଖି ପରଦିନ କୁଶ, ତାଙ୍କ ପତ୍ନୀ ଅହଲ୍ୟାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ନରୋତ୍ତମଙ୍କ ଘରକୁ ଆସି ତାଙ୍କୁ ମାରପିଟ୍ କରି ଘୋଷାଡ଼ି ଘୋଷାଡ଼ି ଗ୍ରାମ ସଭାପତିଙ୍କ ନିକଟକୁ ନେଇଥିଲେ। ସଭାପତିଙ୍କ ଉପସ୍ଥିତିରେ ୮ତାରିଖରେ ବୈଠକ ହେଲା ଏବଂ ନରୋତ୍ତମ ଭୁଲ୍ ମାଗିବା ସହ ଇଟା ନଷ୍ଟ ବାବଦକୁ କାମ କରି ଭରଣା କରିବେ ବୋଲି ସର୍ବସମ୍ମୁଖରେ ପ୍ରତିଶ୍ରୁତି ଦେଲେ।
ତଦନୁସାରେ ସେହିଦିନ ନରୋତ୍ତମଙ୍କୁ କାମ କରାଇବା ପାଇଁ କୁଶ ଘରକୁ ନେଇ ଯାଇଥିଲେ। ଅର୍ଥାତ୍ ୮ତାରିଖ ପରଠୁ ନରୋତ୍ତମ ଆଉ ଘରକୁ ଫେରି ନଥିଲେ। ହେଲେ ଆଜି ସକାଳେ ଗାଁର ଜଣେ ଯୁବକ ଶୌଚ ପାଇଁ ଯାଇଥିବା ବେଳେ ଇଟାଭାଟିଠୁ ମାତ୍ର ୨୦୦ମିଟର ଦୂରରେ ଏକ ଗଛରେ ନରୋତ୍ତମ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ। ନରୋତ୍ତମଙ୍କ ପାଟିରେ ଚିରା ସାର୍ଟ ବନ୍ଧା ଯିବା ସହ ହାତ ଦୁଇଟିକୁ ପଛରୁ ବନ୍ଧା ଯାଇଥିଲା। ସଂପୂର୍ଣ୍ଣ ସଂଜ୍ଞାହୀନ ଅବସ୍ଥାରେ ନରୋତ୍ତମଙ୍କୁ ଦେଖି ଯୁବକ ଜଣକ ଗାଁରେ କହିଥିଲେ। ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୁଳ ମେଡିକାଲ୍ରେ ଆଜି ସକାଳେ ଭର୍ତ୍ତି କରିଥିଲେ। ରଶି ଜୋର୍ରେ ବନ୍ଧାଯାଇ ଥିବାରୁ ନରୋତ୍ତମଙ୍କ ଶରୀର ବିଭିନ୍ନ ସ୍ଥାନରେ ରକ୍ତ ଜମାଟ ବାନ୍ଧିବା ସହିତ ଲାଲ୍ ଦାଗମାନ ସୃଷ୍ଟି ହୋଇଛି। ମେଡିସିନ୍ ପୁରୁଷ ଓ୍ଵାର୍ଡର ୨୦ନମ୍ବର ବେଡ୍ରେ ତାଙ୍କର ଚିକିତ୍ସା କରାଯିବା ପରେ ଚେତା ନ ଆସିବାରୁ ଅପରାହ୍ନରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲ୍କୁ ରେଫର୍ କରିଛନ୍ତି।