ମଶାଣି ମଣିଷ : ୧୩ ବର୍ଷ ହେଲା ଶ୍ମଶାନକୁ ନିଜ ଘର ଭାବି ସୁନ୍ଦର କଳାକୃତିରେ ସଜାଇଛନ୍ତି ବନ୍ଧୁ ନାୟକ

ମାଲକାନଗିରି : ଦୂରରୁ ସୁନ୍ଦର ଦିଶୁଥିବା, ବିଭିନ୍ନ ସାମଗ୍ରୀରେ ସଜ୍ଜା ହୋଇଥିବା ଏ ସ୍ଥାନକୁ ଦେଖି ଆପଣ କଣ ଭାବୁଛନ୍ତି ? ଏହା କୌଣସି ପାର୍କ, ମନ୍ଦିର କିମ୍ବା ମୀନା ବଜାର ହୋଇଥିବ । ହେଲେ ନା ! ପାର୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଥିବା ଏ ସ୍ଥାନ ମଣିଷ ଜୀବନର ଶେଷ ଠିକଣା, ଅର୍ଥାତ ମଶାଣି । ତେବେ ମଶାଣିକୁ ମନଧ୍ୟାନ ଦେଇ ସୁନ୍ଦର ଭାବେ ଗଢି ତୋଲିଥିବା ଏ ‘ମଶାଣି ମଣିଷ’ ଜଣଙ୍କ ହେଉଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ନୂଆଗଡ ଗାଁର ବନ୍ଧୁ ନାୟକ ।

ମଣିଷ ମଲା ପରେ ଯେଉଁ ସ୍ଥାନକୁ ଯାଏ, ସେଇଠି ରହୁଛନ୍ତି ବନ୍ଧୁ ନାୟକ । ମଶାଣି ନାଁ ଶୁଣିଲେ ମନରେ ଯେଉଁ ଡର ଆସେ ସେସବୁ ଡରଭୟକୁ ଭଗେଇ ଦେଇ ଦୀର୍ଘ ୧୩ ବର୍ଷ ହେବ ରାତିଦିନ ଏଇ ମଶାଣିରେ ରହି ଆସୁଛନ୍ତି ବନ୍ଧୁ । ତେବେ ମଶାଣିକୁ ନିଜ ଘର ଭାବି ଥିବାରୁ ସେ ନିଇତି ଏହାକୁ ସାଜସଜ୍ଜା କରୁଛନ୍ତି । ଯାହାର ଝଲକ ଏଇ ଆକର୍ଷଣୀୟ କଳା କୃତି ।

ତେବେ ମଶାଣୀ ମଣିଷ ସାଜିଥିବା ବନ୍ଧୁ ଜଣେ ବିଖ୍ୟାତ କାଠ କାରିଗର ଥିଲେ । ଶୁଖିଲା କାଠରେ ନିହାଣ ଖୋଦେଇ କରି ସୁନ୍ଦର ସୁନ୍ଦର କଳାକୃତି କରୁଥିଲେ । ମାତ୍ର ସ୍ତ୍ରୀ ଓ ପୁଅର ମୃତ୍ୟୁ ପରେ ସେ ମାନସିକ ଭାରସାମ୍ୟ ହରାଇଲେ ଆଉ ଘର ଦ୍ୱାର ହରାଇ ସର୍ବହରା ହୋଇଥିଲେ । ବାସ୍ ତା ପରଠାରୁ ସେହି ମଶାଣିକୁ ନିଜ ବନ୍ଧୁ ବାଛି ନେଇଛନ୍ତି ବନ୍ଧୁ ନାୟକ ।

ଅଦରକାରୀ ସାମଗ୍ରୀରେ ମଶାଣି ମଣିଷଙ୍କ ଏ ସାଜସଜ୍ଜା ଏତେ ଆକର୍ଷଣୀୟ ଯେ ବାଟରେ ଯାଉଥିବା ପଥଚାରୀ ମଧ୍ୟ ପାର୍କ କି ମନ୍ଦିର ଭାବି ଭ୍ରମରେ ପଡିଯାଆନ୍ତି । ତେବେ ଘର ଠିକଣା ନଥିବା ବନ୍ଧୁଙ୍କ ଉଦ୍ଧାର କରି ତାଙ୍କ ଚିକିତ୍ସା କରାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାଥିଲି ଡାକ୍ତର । ସେପଟେ ବନ୍ଧୁଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଭଲ କାମ କରୁଥିବା ବନ୍ଧୁଙ୍କୁ ସରକାରୀ ଚିକିତ୍ସା ଯୋଗାଇଦେବାକୁ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର