ଗାନ୍ଧୀ ଚାହୁଁଥିଲେ କଶ୍ମୀରରୁ କନ୍ୟାକୁମାରୀ ଭାରତରେ ରହୁ: କୁମାର ପ୍ରଶାନ୍ତ
ଭଦ୍ରକରେ ‘କଶ୍ମୀର ଓ ମହାତ୍ମା ଗାନ୍ଧୀ’ ଶୀର୍ଷକ ଆଲୋଚନାଚକ୍ର
ଭଦ୍ରକ : ଭାରତବର୍ଷର ଅଖଣ୍ଡତା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ବପ୍ନ ଦେଖିଥିଲେ। ସେ ଚାହୁଁଥିଲେ କଶ୍ମୀରଠାରୁ କନ୍ୟାକୁମାରୀ ଅଞ୍ଚଳ ଭାରତବର୍ଷରେ ରହୁ। ଗାନ୍ଧୀ ପ୍ରତିଷ୍ଠାନ ଭଦ୍ରକ ଶାଖା ପକ୍ଷରୁ ଆଜି ସଂଧ୍ୟାରେ ଆୟୋଜିତ ଏକ ଆଲୋଚନାଚକ୍ରରେ େଯାଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ତଥା ରାଷ୍ଟ୍ରୀୟ ଗାନ୍ଧୀ ପ୍ରତିଷ୍ଠାନ,ନୂଆଦିଲ୍ଲୀର ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଏହା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ସଂସ୍କୃତି ଭବନଠାରେ ଗାନ୍ଧୀ ପ୍ରତିଷ୍ଠାନର ଭଦ୍ରକ ଶାଖା ସଭାପତି ଇଂ. ଅଖିଳ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ‘ଗାନ୍ଧୀ କଥା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କୁମାର ପ୍ରଶାନ୍ତ କହିଥିଲେ ଯେ, ସ୍ବାଧୀନୀତା ସମୟରେ କଶ୍ମୀର ଭାରତ ସହ ମିଶିବ ନା ନାହିଁ, ତାହା ଜନତାଙ୍କ ଉପରେ ଛାଡ଼ି ଦିଆଯାଉ ବୋଲି ଗାନ୍ଧୀ ଚାହିଁଥିଲେ। ସେତେବେଳେ ରାଜା ହରି ସିଂହ କଶ୍ମୀର ମିଶ୍ରଣ ପ୍ରସଙ୍ଗରେ ଭାରତ ସରକାରଙ୍କ ସହ ଏକ ସନ୍ଧିପତ୍ରରେ ସ୍ବାକ୍ଷର କରିଥିଲେ। ଏହାର ସବୁ ଦାୟିତ୍ବ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମହମ୍ମଦ ଅବଦୁଲ୍ଲାଙ୍କ ଉପରେ ନ୍ୟସ୍ତ ଥିଲା। ରାଜା ହରି ସିଂହ ଓ ଭାରତ ସରକାରଙ୍କ ମଧ୍ୟରେ ଯେଉଁ ସନ୍ଧିପତ୍ର ସ୍ବାକ୍ଷରିତ ହୋଇଥିଲା, ସେଥିରେ କଶ୍ମୀର ଭାରତ ବର୍ଷରେ ରହିବ; କିନ୍ତୁ ଅନେକ କ୍ଷେତ୍ରରେ ଏହା ସ୍ବତନ୍ତ୍ର ରହିବ। ଏହି ଆଭିମୁଖ୍ୟ ଅସ୍ଥାୟୀ ବୋଲି ମଧ୍ୟ ସନ୍ଧିରେ ଉଲ୍ଲେଖ କରାଯାଇଥିଲା। କଶ୍ମୀର ପ୍ରସଙ୍ଗରେ ଗାନ୍ଧୀଙ୍କର ଆଭିମୁଖ୍ୟ ଯାହା ଥିଲା ସେଥିରେ ଅନେକ ପରିବର୍ତ୍ତନ ଆସିଛି ବୋଲି ସେ କହିଥିଲେ।
ରାଜ୍ୟ ବାର୍ କାଉନସିଲ୍ର ସଭ୍ୟ ତଥା ଅଧିବକ୍ତା ପବନ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ସ୍ବାଗତ ଭାଷଣ ଏବଂ ଅଧ୍ୟାପକ ନାସିର ବକ୍ସ ଧନ୍ୟବାଦ ଅର୍ପଣ କରିଥିଲେ।
ବରିଷ୍ଠ ଅଧିବକ୍ତା ତଥା ଭଦ୍ରକ ଗାନ୍ଧୀ ପ୍ରତିଷ୍ଠାନର ସଂପାଦକ ତୁଷାରକାନ୍ତି ମହାନ୍ତିଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର ଓ ବସୁମିତ୍ରା ସାହୁ ସଂଯୋଜନା କରିଥିଲେ।