ଭୁବନେଶ୍ବର : ଭାରତର ପ୍ରସିଦ୍ଧ ମନ୍ଦିରମାନଙ୍କରେ ବେଶ ପରମ୍ପରା ଶୀର୍ଷକ ପ୍ରଥମ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍ ଏବଂ ନାଲ୍କୋ ନଗର ମନ୍ଦିର କମିଟିର ମିଳିତ ଆନୁକୂଲ୍ୟରେ ନାଲ୍କୋ ନଗର କମ୍ୟୁନିଟି ସେଣ୍ଟର୍ ଅଡିଟୋରିୟମରେ ଆୟୋଜିତ ଏହି ଆଲୋଚନାଚକ୍ରକୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଉଦ୍ଘାଟନ କରି କହିଲେ, ପ୍ରଭୁଙ୍କୁ ପ୍ରୀତ କରିବା ପାଇଁ ପୂଜକମାନେ ବିଭିନ୍ନ ଭୂଷଣ ଓ ପୁଷ୍ପରେ ବିଗ୍ରହମାନଙ୍କୁ ସଜାଇଥାଆନ୍ତି। ଏହା ମାଧ୍ୟମରେ ଭକ୍ତର ସ୍ବତନ୍ତ୍ର ଭାବାବେଗର ପ୍ରତିଫଳନ ଘଟିଥାଏ। ପ୍ରଭୁଙ୍କ ରଘୁନାଥ ବେଶକୁ ନେଇ ଏହିପରି ଆଲୋଚନାଚକ୍ର ଆୟୋଜନକୁ ସ୍ବାଗତ କରିବା ସହ ୨୦୨୦ ମସିହାରେ ରଘୁନାଥ ବେଶ ହେବା ନେଇ ସୂଚନା ଦେଇଥିଲେ। ନାଲ୍କୋ ସିଏମ୍ଡି ତପନ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉଦ୍ଘାଟନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିହାରସ୍ଥିତ ଡ.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଆଲୋଚନାଚକ୍ରର ନିର୍ଦେଶକ ଭାସ୍କର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍ର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ଏବଂ ମହୋତ୍ସବର ଉପାଧ୍ୟକ୍ଷ ନନ୍ଦ କିଶୋର ଜେନା ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ନଭି ମୁମ୍ବାଇ, ତିରୁପତି, ବନାରସ, ଗୁଜୁରାଟ, କୋଲକାତା, ବୃନ୍ଦାବନ ସମେତ ଓଡ଼ିଶାର ବହୁ ବିଦ୍ବାନ, ଗବେଷକ ଉପସ୍ଥିତ ରହି ସନ୍ଦର୍ଭ ପାଠ କରିଥିଲେ। ବିଜୟ ନାରାୟଣ ରାମାନୁଜ ଦାସ, ପ୍ୟାରୀ ପଟ୍ଟନାୟକ, ଜନ୍ମେଜୟ ଚୌଧୁରୀ, ଅସିତ ମହାନ୍ତି, କଲ୍ୟାଣୀ ନନ୍ଦୀ, ତୁଳସୀ ଓଝା, ଉମେଶ ଚିନ୍ନାରା, ମୁରଲୀଧର ପଲାଇ, ସୁବଳ ଚରଣ ଦାସଜୀ, ଗଙ୍ଗାଧର ପଣ୍ଡା, ସତ୍ୟନାରାୟଣ ଆଚାର୍ଯ୍ୟ, ଜ୍ଞାନରଂଜନ ପଣ୍ଡା, ରଘୁନନ୍ଦନ ପଣ୍ଡା, ନୀଳମଣି ସୁଆର, ଶ୍ରଦ୍ଧାଞ୍ଜଳି କାନୁନ୍ଗୋ ଓ ଜୟକୃଷ୍ଣ ଦାସ ପ୍ରମୁଖ ଜାତୀୟ ଓ ରାଜ୍ୟ ସ୍ତରରେ ବିଭିନ୍ନ ମନ୍ଦିରର ବେଶ ପରମ୍ପରା ଉପରେ ଆଲୋଚନା କରିଥିଲେ। ସୁନିଲ ରଥ ଓ ପୂର୍ଣ୍ଣଚନ୍ଦ୍ର ଦାସ ଆଲୋଚନାଚକ୍ର ସଂଯୋଜନା କରିଥିଲେ। ସୁମିତ୍ରା ଜେନା, ଦେବେନ୍ଦ୍ର କୁମାର ଦାସ, ରବି ରାୟ, ରାଧାବଲ୍ଲଭ ସିଂ, ମହେଶ ନାୟକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।