ରାଜ୍ୟସ୍ତରୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ : ‘ଆମ ଓଡ଼ିଶା’ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ସମ୍ମାନିତ

ଭୁବନେଶ୍ୱର: ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ରକ୍ତଦାନ ଅଭିଯାନରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଆମ ଓଡ଼ିଶା’କୁ ଏକାଦଶ ବର୍ଷ ପାଇଁ ରାଜ୍ୟ ସରକାର ସମ୍ମାନିତ କରିଛନ୍ତି।

ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ନିରବଚ୍ଛିନ୍ନ ଅବଦାନ ପାଇଁ ‘ଆମ ଓଡ଼ିଶା’ ଅନୁଷ୍ଠାନ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ପାଇଁ ବିଜେଡିକୁ ସମ୍ମାନିତ କରିଛନ୍ତି। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କଠାରୁ ଟ୍ରଫି ଗ୍ରହଣ କରିଛନ୍ତି।
ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରକ୍ତଜନିତ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ରକ୍ତ ସଂଗ୍ରହ ଲାଗି ରୋଗୀଙ୍କୁ ବେଳେବେଳେ ଦୂରସ୍ଥାନକୁ ଯିବାକୁ ପଡ଼ୁଛି। ଏଥିପାଇଁ ରକ୍ତଜନିତ ରୋଗର ଶିକାର ରୋଗୀଙ୍କୁ ରକ୍ତ ସଂଗ୍ରହ ପାଇଁ ଗଲାବେଳେ ୫ଶହ ଟଙ୍କା ରାସ୍ତା ଖର୍ଚ୍ଚ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ସଭାରେ ଘୋଷଣା କରିଛନ୍ତି।


ସ୍ୱେଚ୍ଛାକୃତ ରକ୍ତଦାନକୁ ଏକ ଆନ୍ଦୋଳନରେ ପରିଣତ କରିଥିବା ଓ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଟ୍ରଫି ଗ୍ରହଣ କରିବା ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ ରକ୍ତଦାନ ପାଇଁ ସକରାତ୍ମକ ପ୍ରତିଯୋଗିତା ଅଭିନନ୍ଦନୀୟ। ଏହା ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ’ ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେ ଦିଗରେ ଏହା ଆମକୁ ସାହଯ୍ୟ କରିବ। ବର୍ତ୍ତମାନ ରକ୍ତଦାନ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକ ସକରତ୍ମକ ମାନସିକତା ସୃଷ୍ଟି ହୋଇଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ୨୦୦୬ ମସିହାରେ ରାଜ୍ୟରେ ଆମ ଓଡ଼ିଶା ପକ୍ଷରୁ ପ୍ରଥମ ଥର ପାଇଁ ରକ୍ତଦାନ ଅଭିଯାନ ଆରମ୍ଭ ହୋଇଥିଲା। ଗତ ୧୧ ବର୍ଷ ମଧ୍ୟରେ ‘ଆମ ଓଡ଼ିଶା’ ୪ ଲକ୍ଷ ୪୦ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରି ଏ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି।

ଆଜିର ଏହି ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଡ.ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସ୍ୱାସ୍ଥ୍ୟ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟ ରକ୍ତ ସଂଚାଳନ ପରିଷଦର ନିର୍ଦ୍ଦେଶକ ଡା.ଜ୍ଞାନବ୍ରତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର