ଦୀର୍ଘ ଚାରି ଦିନ ପରେ ଭକ୍ତ ପାଇଲେ ମହାପ୍ରଭୁଙ୍କ ବରାଦି ଅବଢ଼ା, ଜାଣନ୍ତୁ ମହାପ୍ରସାଦ ବନ୍ଦ ପଛର ସଂପୂର୍ଣ୍ଣ ଘଟଣାକ୍ରମ

ପୁରୀ: ଦୀର୍ଘ ଚାରି ଦିନ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଅବଢ଼ା ଭକ୍ତଙ୍କୁ ମିଳିଛି। ପୁରୀ ଶ୍ରୀମନ୍ଦିରରେ ଆଜି ବାହାରିଛି ବରାଦି ଅବଢା। ଓଡ଼ିଶା ହାଇକୋର୍ଟଙ୍କ ରାୟ ପରେ ୪ ଦିନ ହେବ ଶ୍ରୀମନ୍ଦିର ପ୍ରଶାସନ ଓ ସୁଅାର ନିଯୋଗ ଭିତରେ  ବିବାଦ ଲାଗି ରହିଥିଲା। ମହାପ୍ରଭୁଙ୍କଠାରେ କେବଳ କୋଠଭୋଗ ଲାଗି ହେଉଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ବରାଦି ଅବଢା ବାହାରୁନଥିଲା। ଫଳରେ ଶ୍ରୀମନ୍ଦିରକୁ ଆସୁଥିବା ହଜାର ହଜାର ଭକ୍ତଙ୍କୁ ନିରାଶ ହେବାକୁ ପଡୁଥିଲା। ଜଗମୋହନକୁ ସାଧାରଣ ଭକ୍ତଙ୍କ ଲାଗି  ଖୋଲାଯିବା ଦିନ ନୀତି ବିଳମ୍ବ ହେତୁ  ପ୍ରାୟ ୫୦ ଲକ୍ଷ ଟଙ୍କାର ଅମୁଣିଆ ପ୍ରସାଦ ନଷ୍ଟ ହୋଇଯିବା ପରେ କ୍ଷତିପୂରଣ ଦାବିରେ ଅଡିବସିଥିବା ସୁଆର-ମହାସୁଆର ନିଯୋଗ ଅପାଣାଛାଏଁ ଦାବିରୁ ଓହରି ଯାଇଛନ୍ତି।

ଉଲ୍ଳେଖଯୋଗ୍ୟ, ପ୍ରଥମେ୧୬ ତାରିଖ ସକାଳ ଧୂପ ପରେ ନୀତି ବିଳମ୍ବରୁ ନେଇ ସୁଆର ସେବାୟତ ମହାପ୍ରସାଦ ବାହାର କରିନଥିଲେ। ଜଗମୋହନ ଦେଇ ସାଧାରଣ ଭକ୍ତଙ୍କ ଦର୍ଶନ ଫଳରେ ଠାକୁରଙ୍କୁ ବରାଦି ଅବଢା ଲାଗି କରିବାରେ ହୋଇଥିଲା ଅହେତୁକ ବିଳମ୍ବ। ଲକ୍ଷ ଲକ୍ଷ ଟଙ୍କାର ଅବଢା ନଷ୍ଟ ହୋଇଥିବାରୁ କ୍ଷତିପୂରଣ ଦାବିରେ ରୋଷ ଘରେ ସେମାନେ ତାଲା ପକାଇ ଦେଇଥିଲେ ସୁଅାରମାନେ ।

ପରଦିନ ଅର୍ଥାତ ୧୭ ତାରିଖରେ ଅମୁଣିଆ ପ୍ରସାଦକୁ ଶ୍ରୀମନ୍ଦିର ଉପବନରେ ପାତାଳି କରାଯାଇଥିଲା । ଅମୁଣିଆ ପ୍ରସାଦକୁ ପୋତିବା ଲାଗି ରୋଷଘର ଖାଲି କରିବାକୁ ଲାଗିଥିଲା ୪ରୁ ୫ ଘଣ୍ଟା। ଏଥିପାଇଁ ସେଦିନ ମଧ୍ୟ ନୀତିକାନ୍ତିରେ ବିଳମ୍ବ ହୋଇଥିଲା ଓ କ୍ଷତିପୂରଣ ଦାବିରେ ବାହାରିନଥିଲା ମହାପ୍ରସାଦ। ସୁଅାର ନିଯୋଗ ପକ୍ଷରୁ ଧାରଣା ଦିଅାଯାଇଥିଲା।

ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ତୁମ୍ବିତୋଫାନ ପରେ ଗୃହରେ ସଫେଇ ରଖିଥିଲେ ସରକାର। କୁହାଗଲା ଠାକୁର ଉପବାସରେ ରହିବା ଖବର ମିଛ। କାରଣ ମହାପ୍ରଭୁଙ୍କଠାରେ ଲାଗି ହେଉଛି କୋଠଭୋଗ। ତେବେ ସେବାୟତମାନେ କୋଠଭୋଗ ଆଣି ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କୁ ବାଣ୍ଟିଥିଲେ। ୧୯ତାରିଖରେ ହାଇକୋର୍ଟଙ୍କୁ  ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିବା ସହ ନୀତି ବିଭ୍ରାଟ ପ୍ରସଙ୍ଗରେ ଅବଗତ କରିଥିଲେ। ଆଉ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ ଅଧିକାର ନେଇ ସୁଆର ସେବାୟତ ମଧ୍ୟ କୋର୍ଟରେ ପକ୍ଷଭୁକ୍ତ ହେବାକୁ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର