ମୁକୁଳିଲେ ଅଭିଜିତ

ଭୁବନେଶ୍ୱର : କୋଣାର୍କ, ଓଡ଼ିଶା ଓ ଓଡ଼ିଆଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତରେ ଥିବା ଅଭିଜିତ୍‌ ଆୟାର ଆଜି ମୁକୁଳିଛନ୍ତି। ଗତକାଲି ହାଇକୋର୍ଟ ଜାମିନ୍‌ ମଞ୍ଜୁର କରିବା ପରେ ଆଜି ଭୁବନେଶ୍ବର ଏସଡିଜେଏମ ଓ କୋଣାର୍କ ଜେଏମ୍‌ଏଫ୍‌ସି କୋର୍ଟରୁ ତାଙ୍କୁ ଜାମିନ୍‌ ମିଳିଛି। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ୩ଟି ସର୍ତ୍ତରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଅଭିଜିତ୍‌ ଓଡ଼ିଶା, କୋଣାର୍କ ଓ ଓଡ଼ିଆଙ୍କ ପ୍ରତି ଏଭଳି ଆଉ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବେ ନାହିଁ, ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ ଓ ତଦନ୍ତରେ ପୁଲିସକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ସର୍ତ୍ତ ରହିଛି। ସେ ଏବେ ଅସୁସ୍ଥ ଥିବାରୁ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦୁଇଟି କୋର୍ଟ ତାଙ୍କ ଜାମିନ୍‌ ମଞ୍ଜୁର କରିବା ପରେ ଆଜି ବିଳମ୍ବିତ ରାତିରେ ସେ ସିଧା ଚେନ୍ନାଇ(ନିଜ ଘରକୁ) ଯିବେ ବୋଲି ତାଙ୍କ ଓକିଲ ନିଖିଲ ମେହେର ସୂଚନା ଦେଇଛନ୍ତି। ଅନ୍ୟପଟେ ତାଙ୍କର ଡିସ୍‌ଚାର୍ଜ ସାର୍ଟିଫିକେଟ୍‌ ପ୍ରସ୍ତୁତ ହେଉଥିବା କ୍ୟାପିଟାଲ ହସ୍‌ପିଟାଲ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, କୋଣାର୍କ, ଓଡ଼ିଶା, ଓଡ଼ିଆଙ୍କ ବିରୋଧରେ ଦେଇଥିବା ଅପମାନସୂଚନ ମନ୍ତବ୍ୟ ଦେବା ନେଇ ଅଭିଜିତ୍‌ଙ୍କ ବିରୋଧରେ କୋଣାର୍କ ଓ ସହିଦନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ବିଧାୟକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ଗୃହ କମିଟି ପକ୍ଷରୁ ନୋଟିସ୍‌ କରାଯାଇଥିଲା। ଗତ ଅକ୍ଟୋବର ୨୩ ତାରିଖ ଦିନ ତାଙ୍କୁ ସହିଦ ନଗର ପୁଲିସ ଗିରଫ କରିଥିଲା। ସେ ସେବେଠାରୁ ବିଚାର ବିଭାଗୀୟ ହାଜତରେ ରହିଥିଲେ। ଗତ ୧୬ ତାରିଖରେ ବିଧାନସଭା ଗୃହ କମିଟି ତାଙ୍କୁ କ୍ଷମା କରିଥିବା ବେଳେ ଦୁଇଦିନ ତଳେ ସରକାର ମଧ୍ୟ କ୍ଷମା କରିଥିଲେ।

ସମ୍ବନ୍ଧିତ ଖବର