ଆଜି ଅଭିଜିତଙ୍କ ବିରୋଧରେ ବିଚାର ଆରମ୍ଭ : ସ୍ୱତନ୍ତ୍ର ଗୃହ କମିଟି ବୈଠକ ଡକାଗଲା

ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ ବିଚାର ପାଇଁ ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଗୃହ କମିଟି ବୈଠକ ବସିବ। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଏହି ବୈଠକ ଡକାଯାଇଛି। ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ବିଧାୟକ ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ଏହି କମିଟିର ସଦସ୍ୟ ଅଛନ୍ତି। ଗତକାଲି ଗୃହର ସ୍ୱାଧିକାର ଭଙ୍ଗ ଅଭିଯୋଗରେ ବାଚସ୍ପତି ଏହି ସ୍ୱତନ୍ତ୍ର ଗୃହ କମିଟି ଗଠନ କରିଥିଲେ।

ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଶ୍ରୀ ଜଗନ୍ନାଥ, ଓଡ଼ିଶାର କଳା, ଭାସ୍କର୍ଯ୍ୟ, ଐତିହ୍ୟ ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିଲେ ଅଭିଜିତ। କେବଳ ସେତିକି ନୁହେଁ, ବିଧାୟକମାନେ ବୋକା ବୋଲି ମଧ୍ୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଗତକାଲି ବିଧାନସଭାରେ ଦଳ ମତ ନିର୍ବିଶେଷରେ ବିଧାୟକମାନେ ଏକାଠି ହୋଇଥିଲେ। ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ, ଯାହାକୁ ଗୃହ ତତ୍କାଳ ଗ୍ରହଣ କରି ଏହି ସ୍ୱତନ୍ତ୍ର କମିଟି ଗଠନ କରିଥିଲେ।

ସମ୍ବନ୍ଧିତ ଖବର