ଏବେ ବି ଲୁଟୁଛନ୍ତି ଚିଟ୍‌ଫଣ୍ଡ କମ୍ପାନି : ୫୦ରୁ ଅଧିକ ସଂସ୍ଥା ରାଜ୍ୟରେ ସକ୍ରିୟ

ଆର୍‌ବିଆଇ ଚେତାଇବା ପରେ ପୁଲିସର ତନାଘନା

ଭୁବନେଶ୍ୱର : ରାଜ୍ୟରେ ଏବେ ବି ଲୁଟୁଛନ୍ତିି ଚିଟ୍‌ଫଣ୍ଡ କମ୍ପାନି। ଜମାକାରୀଙ୍କୁ ବିଭିନ୍ନ ଲୋଭନୀୟ ସ୍କିମ୍‌ ଦେଖାଇ ଖୋଲା ବଜାରରୁ ସଂଗ୍ରହ ହେଉଛି କୋଟି କୋଟି ଟଙ୍କା। ସିବିଆଇ ଓ କ୍ରାଇମ୍‌ବ୍ରାଞ୍ଚ ଏକାଧିକ ଚିଟ୍‌ଫଣ୍ଡ୍‌ ସଂସ୍ଥା ମୁଖ୍ୟମାନଙ୍କୁ ଗିରଫ କରିବା ପରେ ମଧ୍ୟ ସଂପୂର୍ଣ ଭାବେ ଚିଟ୍‌ଫଣ୍ଡ କମ୍ପାନିଗୁଡିକୁ ରାଜ୍ୟରେ ମୂଳପୋଛ କରାଯାଇ ପାରିନାହିଁ। କିଛି ସଂସ୍ଥା ଏମଧ୍ୟରେ ସେମାନଙ୍କର ନାମ ପରିବର୍ତନ କରିଛନ୍ତି।

ଏସବୁ କାହାର ଅଭିଯୋଗ ନୁହେଁ। ବରଂ ଖୋଦ୍‌ ପୁଲିସ ଏହାକୁ ସ୍ୱୀକାର କରିଛି। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏଭଳି କମ୍ପାନି ସଂଖ୍ୟା ଏକ କିମ୍ବା ଦୁଇରେ ସୀମିତ ନାହିଁ। ୫୦ରୁ ଉର୍ଧ୍ୱ ଚିଟ୍‌ଫଣ୍ଡ କମ୍ପାନି ରାଜ୍ୟରେ ଏବେ ବି ସକ୍ରିୟ ଅଛନ୍ତି। ମାସକ ତଳେ ତଳେ କ୍ରାଇମ୍‌ବ୍ରାଞ୍ଚକୁ ଏଭଳି ସୂଚନା ଦେଇଥିଲେ ଆର୍‌ବିଆଇ କର୍ତୃପକ୍ଷ।

ଏହାକୁ ଆଧାର କରି ଆଜି ରାଜଧାନୀର ପୁଲିସ ଭବନଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଯେଉଁଥିରେ ୫ଶହରୁ ଅଧିକ ତଦନ୍ତକାରୀ ଅଫିସର ଯୋଗ ଦେଇଥିଲେ। ଏଥିରେ ବେଆଇନ ଭାବେ ଚାଲୁଥିବା ଚିଟଫଣ୍ଡ୍‌ କମ୍ପାନିଗୁଡିକ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା ମୁତାବକ, ଗତ ୧୦/୧୫ ବର୍ଷ ହେବ ରାଜ୍ୟରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନି ଚାଲି ଆସୁଥିଲା। ଏନେଇ ପୁଲିସ ପକ୍ଷରୁ ୬ଶହରୁ ଅଧିକ ମାମଲା ରୁଜୁ କରାଯିବା ସହିତ ୮୮୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହାସତ୍ତ୍ୱେ ରାଜ୍ୟର କେତେକ ସ୍ଥାନରେ ଚିଟଫଣ୍ଡ୍‌ କମ୍ପାନି ଚାଲିଛି। ସେମାନଙ୍କ ଏଜେଣ୍ଟମାନେ ବିଭିନ୍ନ ଲୋଭନୀୟ ଅଫର ଦେଖାଇ ଟଙ୍କା ସଂଗ୍ରହ କରୁଛନ୍ତି।

ଆଜିର କର୍ମଶାଳାରେ ଯୋଗ ଦେଇଥିବା ଅଧିକାରୀଙ୍କୁ କୁହାଯାଇଛି କି, ଥାନାକୁ ଅଭିଯୋଗ ଆସିବାମାତ୍ରେ ସେମାନେ ତୁରନ୍ତ ସଂପୃକ୍ତ ସଂସ୍ଥା ଉପରେ ଚଢାଉ କରି ଛାନ୍‌ଭିନ୍‌ କରିବେ। ଉକ୍ତ ସଂସ୍ଥା ରିଜର୍ଭବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ କିମ୍ବା ନୁହେଁ, ସଂସ୍ଥା କେଉଁଠି ପଞ୍ଜୀକୃତ ହୋଇଛି ଓ ସଂସ୍ଥା ପକ୍ଷରୁ ଜମାକାରୀଙ୍କଠାରୁ ଟଙ୍କା ସଂଗ୍ରହ କରିବାକୁ ଅନୁମତି ଅଛି କିମ୍ବା ନାହିଁ ତାହାର ଖୋଳତାଡ଼ କରିବେ। ଯଦି ସାଧାରଣ ଲୋକଙ୍କୁ ସଂସ୍ଥା ଠକୁଥିବା ଜଣାପଡ଼େ, ତୁରନ୍ତ ସିଲ୍‌ କରି ଦିଆଯିବା ସହିତ କଳାତାଲିକା ଭୁକ୍ତ କରିବାକୁ ଡିଜି ନିର୍ଦେଶ ଦେଇଛନ୍ତି। ଯଦି ରାଜ୍ୟ ବାହାରେ ସଂସ୍ଥା ପଞ୍ଜୀକୃତ ହୋଇଥାଏ ତେବେ ସେଠାକୁ ଯାଇ ତଦନ୍ତ କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ଏହାସହିତ ପୁଲିସ ସାଧାରଣ ଲୋକଙ୍କୁ ସଚେତନ ମଧ୍ୟ କରାଇବ। ଲୋକଙ୍କ ଟଙ୍କା କିଭଳି ସୁରକ୍ଷିତ ରହିବ ଏହା ପୁଲିସର କାମ ବୋଲି ଡିଜି ଡାକ୍ତର ଶର୍ମା ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ଆର୍‌ବିଆଇ ପକ୍ଷରୁ ଗତ ଜାନୁଆରି ମାସରେ ପ୍ରଥମେ କ୍ରାଇମ୍‌ବ୍ରାଞ୍ଚକୁ ସର୍ତକ ସୂଚନା ଦିଆଯାଇଥିଲା। କୁହାଯାଇଥିଲା, ମାଇକ୍ରୋ ଫାଇନାନ୍ସ କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟି, ସମୃଦ୍ଧ ଜୀବନ ମଲଟି-ଷ୍ଟେଟ୍‌ ମଲଟିପ୍ରୋପଜ କପୋରେଟିଭ ସୋସାଇଟି, ପିଆଇସିଏଲ୍‌ ମଲ୍‌ଟି ଷ୍ଟେଟ୍‌ କ୍ରେଡିଟ୍‌ କୋପରେଟିଭ ସୋସାଇଟି, ସାହାରା କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟି ଏବେ ବି ଖୋଲାବଜାରରୁ ଟଙ୍କା ସଂଗ୍ରହ କରୁଛନ୍ତି।

ଗତ ମାର୍ଚ ମାସ ୭ ତାରିଖରେ ପୁଣି ଥରେ ଆର୍‌ବିଆଇ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚକୁ ସର୍ତକ କରାଯାଇଥିଲା ଯେ, ଅର୍ଥତତ୍ତ୍ୱ ଗ୍ରୁପ୍‌, ମାଇକ୍ରୋ-ଫାଇନାନ୍ସ, ସ୍ୱସ୍ତିିକ ଇଣ୍ଡିଆ, ସମୃଦ୍ଧ ଜୀବନ ଭଳି ଚିଟ୍‌ଫଣ୍ଡ୍‌ କମ୍ପାନି ଏବେ ବି ରାଜ୍ୟରେ ସକ୍ରିୟ ଅଛନ୍ତି। ଏହା ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୭୧୦୩ ପ୍ରଚଳନ ହୋଇଥିଲା।

ଚିଟ୍‌ଫଣ୍ଡ୍‌ ସମ୍ପର୍କିତ ଖବର ଦେବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ପାଖାପାଖି ୫ ହଜାରରୁ ଅଧିକ ଫୋନ୍‌ କଲ୍‌ ପାଇ ସାରିଛି କ୍ରାଇମ୍‌ବ୍ରାଞ୍ଚ। ଗତ ୩ ବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ ୭୨ଟି ମାମଲା ରୁଜୁ କରି ୨୬୭ ଜଣଙ୍କୁ ଗିରଫ କରିଛି। ୨୦୧୫ ମସହାରେ ୨୫ଟି ମାମଲା ରୁଜୁ କରାଯାଇ ୬୬ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୬ ମସିହାରେ ୨୧ଟି ମାମଲା ରୁଜୁ କରାଯାଇ ୧୨୭, ୨୦୧୭ରେ ୨୬ ଟି ମାମଲା ରୁଜୁ କରାଯାଇ ୭୪ ଓ ୨୦୧୮ରେ ଏବେ ସୁଦ୍ଧା ୧୩ଟି ମାମଲା ରୁଜୁ କରାଯାଇ ୫୯ ଜଣଙ୍କୁ ଗିରଫ କରାଯାଇ ସାରିଲାଣି ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର