ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର : କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାକୁ ଆଜି ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିନେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି। ଆସନ୍ତାକାଲି ବାଚସ୍ପତି ଲୋକସଭାରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣା କରିପାରନ୍ତି। ଶ୍ରୀ ପଣ୍ଡା ତାଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ଆଜି ପୁଣି ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, ବିଜେଡି ରାଜ୍ୟରେ ଶାସନ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପଣ୍ଡାଙ୍କୁ ଦୁଇଥର ରାଜ୍ୟସଭାକୁ ପଠାଇଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ଟିକେଟ୍‌ରେ ଜିତି କେନ୍ଦ୍ରାପଡା ଆସନରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଥିଲେ। ମାତ୍ର ଜାନୁଆରି ୨୪ ତାରିଖ ଦିନ ଶ୍ରୀ ପଣ୍ଡାଙ୍କୁ ବିଜେଡି ନିଲମ୍ବିତ କରିଥିଲା। ସେହିପରି ମେ’ ୨୮ ତାରିଖ ଦିନ ଶ୍ରୀ ପଣ୍ଡା ଦଳରୁ ସଂପର୍କ ଛିନ୍ନ କରିଥିଲେ ଓ ଜୁନ୍‌ ୧୨ ତାରିଖରେ ସାଂସଦ ପଦରୁ ଇସ୍ତଫା ଦେବା ନେଇ ବାଚସ୍ପତିଙ୍କୁ ଜଣାଇଥିଲେ। ଇତିମଧ୍ୟରେ ବାଚସ୍ପତିଙ୍କ ସହିତ ତାଙ୍କର ଆଲୋଚନା ହୋଇଥିଲା। ଏବଂ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ମଧ୍ୟ ଶ୍ରୀ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିନେବା ସଂପର୍କରେ ବାଚସ୍ପତିଙ୍କୁ ଲେଖି ଜଣାଇଥିଲେ। ଆଜି ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି ଶ୍ରୀ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିନେଇଥିବା ଖବର ମିଳିଛି। ଏଥିସହିତ ଲୋକସଭାରେ କେନ୍ଦ୍ରାପଡା ଜିଲ୍ଲା ପ୍ରତିନିଧି ଶୂନ୍ୟ ହୋଇଛି। ଏହି ଆସନ ଲାଗି ଆଉ ଉପନିର୍ବାଚନର ସୁଯୋଗ ନାହିଁ। ଏଥିସହିତ ଲୋକସଭାରେ ବିଜେଡି ସଦସ୍ୟ ସଂଖ୍ୟା ୨୦ରୁ ୧୯କୁ ଖସିଆସିଛି।

ସମ୍ବନ୍ଧିତ ଖବର