ଦୁର୍ଘଟଣାରେ ୨ ଦମ୍ପତି ମୃତ

କେନ୍ଦୁଝର/ଗାରୋଇ: କେନ୍ଦୁଝର ସଦର ଥାନା ପଳାଶପଙ୍ଗା ଗ୍ରୀନଫିଲ୍‌ଡ ସ୍କୁଲ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେହିଭଳି, ଜଗତ୍‌ସିଂହପୁର ଜିଲ୍ଲା ଅନ୍ତର୍ଗତ ତେଣ୍ଟୋଇ ମହିମାଶ୍ରମ ନିକଟରେ ବାଇକ୍‌ ଦୁର୍ଘଟଣାରେ ଅନ୍ୟ ଏକ ଦମ୍ପତି ମୃତ୍ୟୁବରଣ କରିଛନ୍ତି। କେନ୍ଦୁଝର ସଦର ଥାନା ପଳାଶପଙ୍ଗା ଗ୍ରୀନଫିଲ୍‌ଡ ସ୍କୁଲ ନିକଟରେ ଦୁର୍ଘଟଣା ଘଟିଥିଲା। ସ୍କୁଲ ନିକଟ ଜାତୀୟ ରାଜପଥ ପାର୍ଶ୍ବରେ ଠିଆ ହୋଇଥିବା ଏକ ବାରଚକିଆ ଟ୍ରକ (ଓଡି ୦୫ ଜେଡ ୧୬୨୨)କୁ ଏକ ବୋଲେରୋ(ଓଆର ୦୯ ପି ୯୦୫୨) ଧକ୍କା ଦେଇଥିଲା। ଏହି ବୋଲେରୋଟି ଭୁବନେଶ୍ବରରୁ ବଲାଣି ଅଭିମୁଖେ ଯାଉଥିଲା। ସେଥିରେ ଭୁବନେଶ୍ବରରୁ ଫେରୁଥିଲେ ବଡ଼ବିଲ ଥାନା ବାଲାଗୋନା ଗ୍ରାମର ବଲ୍ଲଭ ମହାକୁଡ଼ ଓ ତାଙ୍କ ପତ୍ନୀ ବୀଣାବେଦୀ ମହାକୁଡ଼। ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ବୋଲେରୋ ସାମ୍ନାରେ ଥିବା ବଲ୍ଲଭ ମହାକୁଡ଼(୫୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀ ବୀଣାଦେବୀ ମହାକୁଡ଼ (୫୦)ଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା। ଗତକାଲି ସେମାନେ ଭୁବନେଶ୍ବରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ସେଠାରେ ପଢୁଥିବା ପୁଅକୁ ଦେଖା କରି ଘରକୁ ଫେରୁଥିଲେ। ଆଜି ସକାଳେ ଘନ କୁହୁଡ଼ି ପଡ଼ିଥିବାରୁ ଭଲ ଭାବରେ ରାସ୍ତା ଦେଖାଯାଉ ନଥିଲା। ଏହି କୁହୁଡ଼ି କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ସେହିଭଳି, ଜଗତ୍‌ସିଂହପୁରଠାରେ ଘଟିଥିବା ଦୁର୍ଘଟଣାରେ ଡେରିକି ପଞ୍ଚାୟତର ଗଣେଶ ଦାସ(୫୭) ଓ ପତ୍ନୀ ଲତା ଦାସ(୫୬)ଙ୍କର ମୃତ୍ୟୁ ହୋଇଛି। ଲତା ଅସୁସ୍ଥ ଥିବାରୁ ତାଙ୍କୁ ଜଗତସିଂହପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଉଥିଲେ। ତେଣ୍ଟୋଇଠାରେ ଏକ ବାଙ୍କରେ ସେମାନଙ୍କ ଭାଇକ୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଯାଇଥିଲା। ଫଳରେ, ସମସ୍ତେ ନିକଟରେ ଥିବା ନାଳ ଭିତରକୁ ଖସି ପଡ଼ିଥିଲେ। ଖବର ପାଇ ନାଉଗାଁ ଅଗ୍ନିଶମ ବିଭାଗ ସମସ୍ତଙ୍କୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଗଣେଶଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣଙ୍କୁ ଜଗତସିଂହପୁର ଚିକିତ୍ସାଳୟକୁ ନିଆଯାଉଥିବା ବେଳେ ରାସ୍ତାରେ ଲତାଙ୍କର ମୃତ୍ୟୁ ଘଟିଥିଲା। ବାଇକ ଚାଳକ ଜ୍ବାଇଁ ବାପିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର