ନିର୍ମାଣାଧୀନ ପୋଲରୁ ପଡ଼ି ୩ ବାଇକ୍‌ ଆରୋହୀ ମୃତ

ନୂଆପଡ଼ା: ବିଜୁ ଏକ୍ସପ୍ରେସ ୱେର ବରଗଡ଼-ନୂଆପଡ଼ା ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ତିନିଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଦର୍ଲିମୁଣ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି। ରାତିରେ ଧନୁଯାତ୍ରା ଦେଖି ସେମାନେ ଘରକୁ ଫେରୁଥିବା ବେଳେ ଏକ ନିର୍ମାଣାଧୀନ ପୋଲ ତଳକୁ ସେମାନେ ବାଇକ୍‌ ସହ ଖସି ପଡ଼ିଥିଲେ। ସକାଳୁ ସୂଚନା ପାଇ ଗ୍ରାମବାସୀମାନେ ସେମାନଙ୍କ ଶବ ଉଦ୍ଧାର କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଦର୍ଲିମୁଣ୍ତା ପଂଚାୟତ ଖଲିଆପାଣି ଗାଁ ବିଜ୍ରାଡିହିର ପୁନିତ ରାମ ମାଝୀ (୧୯), ଚୈନସିଂ ମାଝୀ (୨୦), ଧନରାଜ ମାଝୀ(୧୭) ଓ ଛତିଶଗଡ଼ ଖଇରାଟ ଗାଁର ଦେୱାନ ମାଝୀ (୨୧) ନୂଆପଡ଼ା ଧନୁଯାତ୍ରା ଦେଖିବାକୁ ଆସିଥିଲେ। ବିଳମ୍ବିତ ରାତ୍ରିରେ ଘରକୁ ‌ ଫେରୁଥିବା ସମୟରେ ଦର୍ଲିମୁଣ୍ଡା ନିର୍ମାଣାଧୀନ ପୋଲ ନିକଟରେ ଭାରସାମ୍ୟ ହରାଇ ବାଇକ ସହ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଧନରାଜ ଉପରେ ଛିଟିକି ପଡ଼ିଥି‌ବା ବେଳେ ଅନ୍ୟ ତିନିଜଣ ପୋଲ ତଳ ପାଣିରେ ପଡ଼ିଥିଲେ। ରାସ୍ତାଘାଟ ଶୂନଶାନ ଥିବାରୁ ଓ ବନ୍ଦ ଯୋଗୁଁ ଗାଡ଼ିମଟର ଚଳାଚଳ କରୁନଥିବାରୁ ସେଠାରେ ଉଦ୍ଧାର କରିବାକୁ କେହି ନଥିଲେ କି ଦୁର୍ଘଟଣା ବିଷୟରେ ବି କେହି ଜାଣି ପାରି ନଥିଲେ। ଆହତ ଧନରାଜ କୌଣସି ପ୍ରକାରେ ସେଠାରୁ ଘରକୁ ଯାଇଥିଲେ। ତାଙ୍କଠାରୁ ଖବର ପାଇ ଗାଁ ଲୋକମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପାଣିକାଦୁଅ ଭିତରେ ତିନିଜଣଙ୍କ ମୃତଦେହ ଓ ବାଇକ୍‌ ପଡ଼ିଥିବା ଦେଖିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଥିଲେ।

ଏହାପରେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଶବ ରଖି ନୂଆପଡ଼ା–ବରଗଡ଼ ରାସ୍ତା ଅବରୋଧ କରିଥିଲେ। ବିଜୁ ଏକ୍ସପ୍ରେସ ୱେରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ତଥା ନିର୍ମାଣାଧୀନ ପୋଲ ନିକଟରେ କୌଣସି ସଙ୍କେତ ଦିଆଯାଇନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଥିଲେ। ଏହାପରେ ଠିକାଦାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ପ୍ରତିଶ୍ରୃତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ମୃତ ୩ ଜଣ ବରଗଡ଼ରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। ଗତ ୬ ତାରିଖ ଦିନ ସେମମାନେ ଘରକୁ ଫେରିଥିଲେ। ଗତକାଲି ସେମାନେ ଏଟିମରୁ ଟଙ୍କା ଉଠାଇବାକୁ ଦିନ ୨ଟାରେ ଘରୁ ନୂଆପଡା ଯାଇଥିଲେ। ରାତିରେ ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର