ଦୁର୍ଘଟଣାରେ ୩ ଯୁବକ ମୃତ ବସ୍‌ ଭଙ୍ଗାରୁଜା, ୬ ଘଣ୍ଟା ରାସ୍ତା ଅବରୋଧ

ବ୍ୟାସନଗର/ଦାନଗଦି: ଆଜି ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଦୁର୍ଘଟଣାଟି ପାଣିକୋଇଲି ଥାନା ଅନ୍ତର୍ଗତ ସନ୍ତରା ଛକ ନିକଟସ୍ଥ ଟିଭିଏସ୍‌ ସୋରୁମ୍‌ ସମ୍ମୁଖରେ ଘଟିଥିବା ବେଳେ ଅନ୍ୟଟି ୫୩ ନମ୍ବର ଜାତୀୟ ରାଜପଥ ଫୁଲଝରି ନିକଟରେ ଘଟିଛି।

ସୂଚନା ଅନୁଯାୟୀ, କୋରେଇ ଥାନା ଅନ୍ତର୍ଗତ ପାଟୁଳି ଗ୍ରାମର କାହ୍ନଚରଣ ବାରିକ୍‌ଙ୍କ ପୁଅ ଉମାକାନ୍ତ(୨୦) ହିରୋହୁଣ୍ଡା ସ୍ପ୍ଲେଣ୍ଡର୍‌ (ଓଆର୍‌-୦୪ଏଲ୍‌-୩୩୫୧)ରେ ଆସୁଥିବା ବେଳେ ଝୁମ୍ପୁରାରୁ ଭୁବନେଶ୍ୱର ଯାଉଥିବା ବସ୍‌ (ଓଆର୍‌-୦୫ଏକେ-୦୦୩୦) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଶହ ଶହ ସଂଖ୍ୟକ ସ୍ଥାନୀୟ ଲୋକେ ରାସ୍ତା ଉପରକୁ ଚାଲି ଆସିଥିଲେ। ଉତ୍ତେଜିତ ଲୋକମାନେ ଦୁର୍ଘଟଣା ଘଟାଇଥିବା ବସ୍‌ଟିକୁ ବାଡ଼େଇ ଭାଙ୍ଗି ଦେବା ସହ ୨୦ ନମ୍ବର ଜାତୀୟ ରାଜପଥ ଓ ପାଣିକୋଇଲି-ଯାଜପୁରରୋଡ଼ ରାସ୍ତାକୁ ଅବରୋଧ କରିଥିଲେ। ଘଣ୍ଟାଏ ପରେ ୨୦ ନମ୍ବର ଜାତୀୟ ରାଜପଥରୁ ଅବରୋଧ ହଟିଥିଲା। ହେଲେ ଲୋକମାନେ ପାଣିକୋଇଲି-ଯାଜପୁରରୋଡ଼ ରାସ୍ତାକୁ ଦର୍ଘ ୬ ଘଣ୍ଟା ଧରି ଅବରୋଧ କରି ରହିଥିଲେ। ୫ଟି ଦାବି ନେଇ ସ୍ଥାନୀୟ ଲୋକମାନେ ରାସ୍ତାରେ ଟାୟାର୍‌ ଜାଳି ଗାଡ଼ି ମଟର ବନ୍ଦ କରିଥିଲେ। ଫଳରେ ରାସ୍ତାର ଉଭୟ ପାଶ୍ୱରେ ଲମ୍ବା ଲାଇନ୍‌ ଲାଗିଥିଲା। ମୃତକ ପରିବାରକୁ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ପ୍ରଦାନ, ରାସ୍ତାର ଉଭୟ ପାଶ୍ୱରେ ହମ୍ପ୍‌ ନିର୍ମାଣ, ଟ୍ରାଫିକ୍‌ ପୁଲିସ୍‌ ବ୍ୟବସ୍ଥା, ଭାରୀଯାନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନେଇ ରାସ୍ତା ଅବରୋଧକାରୀ ଅଡ଼ି ବସିଥିଲେ। ବିଶ୍ୱମ୍ବର ରାଉତ, କାଉନସିଲର୍‌ ମନୋଜ ପରିଡ଼ା, ଅଜୟ ସାହୁ, ରାଜେନ୍ଦ୍ର ବିଶ୍ୱାଳ, ଜହ୍ନା ସରପଞ୍ଚଙ୍କ ପ୍ରତିନିଧି ଲଲାଟେନ୍ଦୁ ନାୟକ, ଯୁବମୋର୍ଚ୍ଚା ସଭାପତି ଆଶିଷ ଦାସ, ବଳରାମ ରାଉତ, ଧନେଶ୍ୱର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ରାଜେନ୍ଦ୍ର ରାଉତ, ଉମାକାନ୍ତ ମାଝୀ, ଲକ୍ଷ୍ମୀଧର ତରାଇ, ଚନ୍ଦ୍ରକାନ୍ତ କାଣ୍ଡିଙ୍କ ସମେତ ବହୁ ଗ୍ରାମବାସୀ ରାସ୍ତା ଅବରୋଧରେ ସାମିଲ୍‌ ହୋଇଥିଲେ। ଘଟଣା ସ୍ଥଳରେ ଯାଜପୁରରୋଡ଼ ଏସ୍‌ଡିପିଓ କେଦାରନାଥ ସାହୁ, ବ୍ୟାସନଗର ତହସିଲ୍‌ଦାର ସପନ କୁମାର ନନ୍ଦ, କୋରେଇ ଥାନାଧିକାରିଣୀ ଚିନ୍ମୟୀ ସାହୁ, ଏସ୍‌ଆଇ ଅଜୟକୁମାର ସ୍ୱାଇଁ ସଦଳବଳ ପହଞ୍ଚି ଧାରଣାକାରୀଙ୍କ ସହ ଆଲୋଚନା କରବା ସହ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସେହିପରି ଟମକା ଥାନା ୫୩ ନମ୍ବର ଜାତୀୟ ରାଜପଥର ଫୁଲଝର ଛକ ନିକଟରେ ଆଜି ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ହୋଇଯାଇଛି। ଗୋଟିଏ ବାଇକ୍‌ରେ ମୃତ ଯୁବକମାନେ ଟମକାରୁ ଡୁବୁରୀକୁ ଆସୁଥିବା ବେଳେ ଦୁର୍ଘଟଣା ହୋଇଥିଲା। ମୃତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆୟତ୍ତପୁର ଗ୍ରାମର ପ୍ରଦୀପ ନାୟକଙ୍କ ପୁଅ ଆଲୋକ(୨୩) ଓ ନୟାଗଡ଼ ହରିଡ଼ାବାଡ଼ି ଗ୍ରାମର ଜୟକୃଷ୍ଣ ସାହୁଙ୍କ ପୁଅ କାହ୍ନଚରଣ(୨୬)। ଦୁଇ ଯୁବକ ଏକ ସିବିଜେଡ୍‌ ଗାଡ଼ିରେ ଆସୁଥିବା ବେଳେ ଫୁଲଝର ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ କୌଣସି ଅଜଣା ଗାଡ଼ି ବାଡ଼େଇ ପଳାଇ ଯାଇଥିଲା। ଆଲୋକ ଡୁବୁରି ଛକରେ ଗ୍ରୀଲ୍‌ ଦୋକାନ କରିଥିବା ବେଳେ କାହ୍ନଚରଣ ଗୋଟିଏ ଗ୍ୟାରେଜ୍‌ କରିଛନ୍ତି। ଟମକ୍‌ା ପୁଲିସ୍‌ ଶବ ଦୁଇଟିକୁ ଜବତ୍‌ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର