ବିଦାୟ ଭୋଜିରୁ ଚିର ବିଦାୟ

ଦୁର୍ଘଟଣାରେ ୪ ଛାତ୍ରଛାତ୍ରୀ ମୃତ

କୋରାପୁଟ: ଆଗକୁ ଥିଲା ସିବିଏସ୍‌ଇ ବୋର୍ଡ ପରୀକ୍ଷା। ତେଣୁ ପରସ୍ପରଠାରୁ ବିଦାୟ ନେବା ପୂର୍ବରୁ ସେମାନେ ଏକାଠି ହୋଇଥିଲେ ଏକ ବନ୍ଧୁମିଳନ ଭୋଜିରେ। କିନ୍ତୁ ଏହି ବିଦାୟ ଭୋଜିରୁ ଫେରିଲାବେଳକୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚିର ବିଦାୟ ନେଇଗଲେ ୪ ଛାତ୍ରଛାତ୍ରୀ। ଏମିତି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି କୋରାପୁଟ ସହର ଉପକଣ୍ଠ କଫି ବୋର୍ଡ ନିକଟ ଜାତୀୟ ରାଜପଥ ଉପରେ। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଛାତ୍ରଛାତ୍ରୀମାନେ ଯାଉଥିବା କାର୍‌ ସହ ଏକ ଟିପର ମୁହାଁମୁହିଁ ଧକ୍କା ହେବାରୁ ନିହାରିକା ଭଂଜ, ଏସ.ଜୟଶ୍ରୀ, ରାଜୀବ ପାତ୍ର ଓ ରୁବେନ ପାତ୍ରଙ୍କ ମୃତ୍ୟୁ ହୋଇଛି। ରୁବେନ, ନିହାରିକା ଓ ଜୟଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ହୋଇଥିଲା ବେଳେ ରାଜୀବ ହେଉଛନ୍ତି ବିଜ୍ଞାନ କଲେଜର ଛାତ୍ର। କୋରାପୁଟ ଉପକଣ୍ଠ କଫି ବୋର୍ଡ ନିକଟରେ ଆଜି ଅପରାହ୍ନରେ ଏକ ହୁଣ୍ଡାଇ କାର(ଓଡ଼ି-୧୦-ଡି-୬୫୭୮) ସହ ଏକ ଟିପର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାର ମାତ୍ରା ଏତେ ତୀବ୍ର ଥିଲା ଯେ, ଟିପର ତଳେ କାରଟି ପଶି ଯାଇଥିଲା। କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂର୍‌ମାର ହୋଇ ଯାଇଥିଲା। କାର ଚଳାଉଥିବା ରାଜୀବ ପାତ୍ର(୧୭ବର୍ଷ) କାର ଭିତରେ ଚାପି ହୋଇ ରହି ଯାଇଥିଲେ। କାର୍‌ରେ ବସିଥିବା ଅନ୍ୟ ୩ ଜଣଙ୍କୁ ଗୁରୁତର ଆଘାତ ଲାଗିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ନିହାରିକା ଓ ଜୟଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ରୁବେନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରିବା ସମୟରେ ସୁନାବେଡ଼ା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଖବର ଜଣାପଡିବା ପରେ କୋରାପୁଟରେ ଶୋକର ଛାୟ ଖେଳି ଯାଇଛି। କୋରାପୁଟ ଓଏମପି କଲୋନିର ଗୋକୁଳ ଭଂଜଙ୍କ ଝିଅ ନିହାରିକା(୧୫ବର୍ଷ), ସୁନାପୁରର ଜଗନ୍ନାଥ ରାଓଙ୍କ ଝିଅ ଏସ. ଜୟଶ୍ରୀ(୧୫ବର୍ଷ) ଓ ରେଳବାଇ କଲୋନିର ରବୀନ୍ଦ୍ର କୁମାର ପାତ୍ରଙ୍କ ପୁଅ ରୁବେନ ପାତ୍ର(୧୫ବର୍ଷ) କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି। ଆସନ୍ତା ସପ୍ତାହରୁ ପରୀକ୍ଷା ହେବାର ଥିଲା ବେଳେ ଆଜି ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ ଭୋଜିର ଆୟୋଜନ କରାଯାଇଥିଲା। ଭୋଜି ଅପରାହ୍ନ ପ୍ରାୟ ସାଢେ ୩ଟା ବେଳକୁ ସରିବା ପରେ ରୁବେନଙ୍କ ବଡ ଭାଇ ରାଜୀବ କାର୍‌ ନେଇ ଆସିଥିଲେ। ସେହି କାର୍‌ରେ ରାଜୀବ, ରୁବେନ, ନିହାରିକା ଓ ଜୟଶ୍ରୀ ଜୟପୁର ଆଡକୁ ଯାଉଥିଲା ବେଳେ କଫି ବୋର୍ଡ ନିକଟରେ ଥିବା ହନୁମାନ ମୂର୍ତ୍ତି ବୁଲାଣିରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଟିପର ଡ୍ରାଇଭର ଫେରାର ହୋଇଯାଇଛି। କୋରାପୁଟ ପୁଲିସ ୪ଟି ଯାକ ମୃତଦେହକୁ ଶବାଗାରରେ ରଖିଥିଲାବେଳେ ଆସନ୍ତାକାଲି ସକାଳେ ଶବ ବ୍ୟବଛେଦ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର