ଚଣ୍ଡୀଖୋଲ-ପାରାଦୀପ ରାଜପଥରେ ଦୁର୍ଘଟଣା: ଡ୍ୟାନସ ଗ୍ରୁପ୍‌ର ୫ ମୃତ

ଜୁନିଅର ଅନୁଭବ ଗୁରୁତର

କେନ୍ଦ୍ରାପଡ଼ା/ଡେରାବିଶ: ଚଣ୍ତିଖୋଲ-ପାରାଦୀପ ୫ନ˚(କ) ଜାତୀୟ ରାଜପଥର ଡେରାବିଶ ବ୍ଳକ୍‌ ଅଁଳାବାଙ୍କ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଥିବା ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତାହତମାନେ ‘ରୟାଲ ଡ୍ୟାନ୍ସ ଏକାଡେମି’ ନାମକ ନାଟ୍ୟ ସ˚ସ୍ଥାର ସଦସ୍ୟ ବୋଲି ଜଣାପଡ଼ିଛି। ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟଣାର ୪ ଦିନ ପରେ ଏହି ଦୁର୍ଘଟଣା ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ତିନିମୁହାଣି ନିକଟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରୟାଲ ଡ୍ୟାନ୍ସ ଏକାଡେମିର ବାର୍ଷିକୋତ୍ସବ ଚାଲିଥିଲା। ଏକାଡେମିର ସଦସ୍ୟ ‘ଜୁନିଅର ଅନୁଭବ’ ଭାବେ ଜଣାଶୁଣା ଅନୁଭବ ମହାପାତ୍ରଙ୍କ ସମେତ ରାଜନଗର ଗୁପ୍ତି ଅଞ୍ଚଳର ରାଜେଶ ଜେନା(୨୨), ପଟ୍ଟାମୁଣ୍ତାଇ ବେଲତଳ ଗ୍ରାମର ଦେବାଶିଷ ସେଠୀ(୨୨), କୈଳାସୀର ଦୀପକ ଧଳ(୧୮), ଗାଡ଼ି ଚାଳକ ହରେକୃଷ୍ଣ ସାହୁ(୧୮), ନିକିରାଇର ଜୀବନଜ୍ୟୋତି ଶତପଥୀ(୧୫) ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଅନୁଭବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବ ଶେଷରେ ୬ ଜଣ ସାଙ୍ଗ ହରେକୃଷ୍ଣଙ୍କ କ୍ବିଡ୍‌ କାର୍‌(ଓଡି୩୩ଏସ୍‌୮୧୫୪)ରେ ବାହାରି ଯାଇଥିଲେ ପାଣିକୋଇଲିକୁ। ସେଠାରେ ଚାଲିଥିବା ଯାତ୍ରା‌େର ରେକର୍ଡ ଡ୍ୟାନ୍ସ ଦେଖି ସାରି କେନ୍ଦ୍ରାପଡ଼ା ଅଭିମୁଖେ ଫେରିଥିଲେ।

ରାତି ପ୍ରାୟ ୨ରୁ ସାଢେ଼ ୨ଟା ମଧୢରେ ଡେରାବିଶ ବ୍ଳକ୍‌ ଅଁଳାବାଙ୍କ ନିକଟ ୱେବ୍ରିଜ୍‌(ଧର୍ମକଣ୍ଟା)ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ର ପଛପଟେ ସେମାନଙ୍କ କାର୍‌ ଜୋର୍‌ରେ ଧକ୍କା ଦେଇଥିଲା। ଧକ୍କା ଏତେ ଶକ୍ତ ଥିଲା ଯେ, କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂନା ହୋଇଯାଇଥିଲା। ଘଟଣାସ୍ଥଳରେ ରାଜେଶ, ଦେବାଶିଷ, ଦୀପକ, ହରେକୃଷ୍ଣ, ଜୀବନଜ୍ୟୋତିଙ୍କ ମୃତ୍ୟୁ ଘଟିଥିଲା। ଅନୁଭବଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। କାର୍‌ର ଗତି ଏତେ ତୀବ୍ର ଥିଲା ଯେ ଚାଳକ ହରେକୃଷ୍ଣଙ୍କ ବେକରେ ଗାଡ଼ିର ଷ୍ଟିୟରିଂ ପଶି ଯାଇଥିଲା। ହରେକୃଷ୍ଣ ଓ ଅନ୍ୟ ଜଣଙ୍କୁ ଗ୍ୟାସ୍‌ କଟରରେ କାଟି ଗାଡ଼ି ଭିତରୁ ବାହାରକୁ ଅଣାଯାଇଥିଲା। ଡେରାବିଶ ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କ ନେତୃତ୍ବରେ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କାର ଜବତ କରିଛି। ଟ୍ରକ୍‌ଟି ସେଠାରୁ ଖସି ପଳାଇଛି। ଜିଲ୍ଲାପାଳ ଦାଶରଥୀ ଶତପଥୀ, ଉପଜିଲ୍ଲାପାଳ ସ˚ଜୟ କୁମାର ମିଶ୍ର ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ପରଖିଥିଲେ। ସେଠାରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ମେଡିକାଲ୍‌ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଶବଗୁଡ଼ିକୁ ବ୍ୟଚ୍ଛେଦ କଲା ପରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ ।

ସମ୍ବନ୍ଧିତ ଖବର