ମୋପେଡକୁ ବସ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ, ସ୍ତ୍ରୀ ଗୁରୁତର

ଦିଗପହଣ୍ଡି / ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏକ ଘରୋଇ ବସ୍ ଧକ୍କାରେ ମୋପେଡ ଆରୋହୀ ମୃତ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ଜଣାଯାଇଛି। ଘଟଣାସ୍ଥଳରୁ ପୁଲିସ ବସ୍କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦିଗପହଣ୍ଡିର ହନୁମାନ ବାଟିକା ନିକଟରେ ଘରୋଇ ବସ୍ ଦିଲଖୁସ୍ (ଓଡି-୦୭ ୱାଇ-୯୪୯୩) ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ସେହି ସମୟରେ ପାଟପୁର ଥାନାର ମାଟିଆବୋରାଇ ଗାଁର ନାରାୟଣ ସେଠୀ (୪୦) ଓ ତାଙ୍କ ପତ୍ନୀ ରୁପା ଏକ ମୋପେଡ (ଓଡି-୦୭-୬୯୯୭) ଯୋଗେ ବିପରୀତ ଦିଗରୁ ଆସୁଥିଲେ। ବସଟି ମୋପେଡକୁ ଧକ୍କା ଦେବା ଫଳରେ ଆରୋହୀ ନାରାୟଣ ସେଠୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ନାରାୟଣଙ୍କ ସ୍ତ୍ରୀ ରୁପାଙ୍କୁ ବ୍ରହ୍ମପୁରର ଏମ୍ କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରୁ ଦିଗପହଣ୍ଡି ପୁଲିସ ବସକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି।

 

ସମ୍ବନ୍ଧିତ ଖବର