ଜଗନ୍ନାଥ ଦର୍ଶନ ସାରି ପୁରୀରୁ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ, ତିନି ଗୁରୁତର

କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ରେଲୱେ ଓଭରବ୍ରିଜ୍ ନିକଟରେ ୧୪ ଚକିଆ  ଟ୍ରକ୍ ତଳକୁ ଖସି ପଡ଼ିବାରୁ ଚାଳକଙ୍କର ମୃତ୍ୟୁ

କେନ୍ଦ୍ରାପଡ଼ା: ଜଗନ୍ନାଥ ଦର୍ଶନ ସାରି ପୁରୀରୁ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କେନ୍ଦ୍ରାପଡ଼ା ସହରର ଦୁଇଟି ପରିବାର ଏକ ଏଟ୍ରିକା କାରରେ ଜଗନ୍ନାଥ ଦର୍ଶନ ସାରି ପୁରୀରୁ କେନ୍ଦ୍ରାପଡ଼ା ଫେରୁଥିଲେ। ଏହି କାର୍ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନ ବିହାରରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ଏହି ଦୁର୍ଘଟଣା ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଘଟିଥିବା କୁହାଯାଉଛି।

ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ପ୍ରଣତି ପଣ୍ଡା ଓ ବିଜୟ ସାହୁ ନାମକ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ପରେ ଖବର ପାଇ ସଦର ଥାନା ପୁଲିସ୍ ଘଟଣାସ୍ଥଳରୁ ଗୁରୁତର ଆହତ ଦେବାଶିଷ ପଣ୍ଡା ,ତାଙ୍କ ନାବାଳକ ପୁଅ ଏବଂ  ଗାଡ଼ି ଚାଳକ ପ୍ରଦୀପ ମହାନ୍ତିଙ୍କୁ ଉଦ୍ଧାର କରିଥିଲା। ଗାଡ଼ି ଚାଳକ ପ୍ରଦୀପ ମହାନ୍ତିଙ୍କ ଘର ନିକଟସ୍ଥ ଯାତ୍ରାପାଟଣା ଗାଁରେ ବୋଲି ଜଣାପଡ଼ିଛି। ସମସ୍ତ ଆହତମାନଙ୍କୁ ଭୁବନେଶ୍ବରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ମୃତ ପ୍ରଣତି ହେଉଛନ୍ତି  କେନ୍ଦ୍ରାପଡ଼ାରେ ଥିବା ଗୌରୀଶଙ୍କର ହୋଟେଲର ମାଲିକ ଦେବାଶିଷ ପଣ୍ଡାଙ୍କ ପତ୍ନୀ । ଅପରପକ୍ଷରେ ଅନ୍ୟ ମୃତକ ଜଣକ ହେଲେ କେନ୍ଦ୍ରାପଡ଼ାରେ ଥିବା ସୁଭଦ୍ରା ବସ୍ତ୍ରାଳୟର ମାଲିକ ବିଜୟ ସାହୁ। କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅପରପକ୍ଷରେ  କେନ୍ଦୁଝର ଜିଲ୍ଲାରେ ଏକ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ନରଣପୁର – ହରିଚନ୍ଦନପୁର ରାସ୍ତାର ନରଣପୁର ନିକଟସ୍ଥ ରାମଚନ୍ଦ୍ରପୁର ରେଲୱେ ଓଭରବ୍ରିଜ୍ ନିକଟରେ ଏକ  ୧୪ ଚକିଆ  ଟ୍ରକ୍ ତଳକୁ ଖସି ପଡ଼ିବାରୁ ଘଟଣା ସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଛି। ଏ ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର