ନବରଙ୍ଗପୁର ଜିଲ୍ଲାରେ ବଢ଼ୁଛି ସଡ଼କ ଦୁର୍ଘଟଣା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ସଡକ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି। କେବଳ ଜାନୁଆରି ମାସରେ ଜିଲ୍ଲାରେ ୩୧ଟି ଦୁର୍ଘଟଣା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୩୭ଜଣ ଆହତ ହୋଇଛନ୍ତି। ଗତ ୩ବର୍ଷର ରିପୋର୍ଟକୁ ଅନୁଧ୍ୟାନ କରିଲେ ସ୍ଥିତି ଉଦ୍‌ବେଗ ଜନକ। ୨୦୧୫ମସିହାରେ ୨୦୪ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ୭୩ଜଣଙ୍କ ମୃତ୍ୟୁ ଓ ୩୪୪ଜଣ ଆହତ ହୋଇଥିଲେ। ୨୦୧୬ରେ ୧୯୮ଟି ସଡକ ଦୁର୍ଘଟଣା ଘଟି ୭୭ଜଣଙ୍କ ମୃତ୍ୟୁ ଓ ୩୨୬ଜଣ ଆହତ ହୋଇଥିଲେ। ସେହିପରି ୨୦୧୭ ମସିହାରେ ୨୬୪ଟି ଦୁର୍ଘଟଣା ଘଟି ୭୯ଜଣଙ୍କ ମୃତ୍ୟୁ ଓ ୩୨୯ଜଣ ଆହତ ହୋଇଥିଲେ।

ଚଳିତ ବର୍ଷ ଜାନୁଆରି ମାସକ ମଧ୍ୟରେ ୩୧ଟି ଦୁର୍ଘଟଣା ଘଟି ସାରିଲାଣି। ତେଣୁ ବର୍ଷ ସରିବା ବେଳକୁ ସଂଖ୍ୟା ଢେର ଅଧିକ ହୋଇଯିବ ବୋଲି ଅନୁମାନ କରାଯାଉଛି। ବେପରୁଆ ଗାଡି ଚାଳଣା ଓ ରାସ୍ତାର ଦୁରାବସ୍ତା ଯୋଗୁଁ ଦୁର୍ଘଟଣା ଘଟୁଥିବା କୁହାଯାଉଛି। ଜାତୀୟ ରାଜପଥରେ ହମ୍ପସ୍‌ ନଥିବାରୁ ଦ୍ରୁତ ଗତିରେ ଯାଉଥିବା ଗାଡି ଦୁର୍ଘଟଣା ଗ୍ରସ୍ତ ହେଉଛି। କେତେକ ସ୍ଥାନରେ ରାସ୍ତା ବଙ୍କା ରହିଥିବାରୁ ଦ୍ରୁତଗତିରେ ଆସୁଥିବା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥାଏ। ଯେଉଁ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି ସେହି ସ୍ଥାନକୁ ସରକାର ବ୍ଲାକସ୍ପଟ ଭାବରେ ଘୋଷଣା କରିଛନ୍ତି। ସେହିପରି ନ୍ୟାୟାଳୟ ପ୍ରତି ମାସରେ ସଡକ ନିରାପତା ଜନିତ ବୈଠକ କରିବା ପାଇଁ ନିୟମ କରିଛନ୍ତି। ଏଥିପାଇଁ ଜିଲ୍ଲାରେ କମିଟି ମଧ୍ୟ ଗଠନ ହୋଇଛି। କିନ୍ତୁ ନିୟମିତ ଭାବେ ବୈଠକ ହେଉନାହିଁ।

୪ମାସ ପୂର୍ବେ ଯେଉଁ ବୈଠକ ହୋଇଥିଲା ସେଥିରେ ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦୁର୍ଘଟଣା ଏଡାଇବା ପାଇଁ ଖାଲଖମା ମରାମତି କରିବା, ଜେବ୍ରା କ୍ରସିଂ କରିବା, ରାସ୍ତାରେ ଫଳକ ଲଗାଇବାକୁ କୁହାଯାଇଥିଲା। ବ୍ଲାକସ୍ପଟରେ ଧଳା ଦାଗ ଦେବା ସହ ସାଇଡ ଗାର୍ଡ ଲଗାଇବା ପାଇଁ ବିଭାଗ ଗୁଡିକୁ ନିର୍ଦେଶ ଦିଆଯାଇଥିଲା। ସେହିପରି ଉମରକୋଟ ଓ ନବରଙ୍ଗପୁର ସହରରେ ୪ ଚକିଆ ଓ ୨ଚକିଆ ଗାଡି ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ଚିହ୍ନଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ହେଁ କାର୍ଯ୍ୟକାରୀ ହୋଇପାରି ନାହିଁ। ଦୁର୍ଘଟଣାକୁ ରୋକିବା ପାଇଁ ଗାଡି ଗୁଡିକର ବେଗ ନିୟନ୍ତ୍ରଣ କରିବା ଏବଂ ଗାଡି ଗୁଡିକର ଅବସ୍ଥା ପରିଖିବା ପାଇଁ ଏନଫର୍ସମେଣ୍ଟ ସ୍କ୍ଵାଡ୍‌ ଗଠନ ହୋଇଛି। ଗାଡି ଯାଞ୍ଚ କରିବା ପାଇଁ ଉଭୟ ପୁଲିସ ଓ ପରିବହନ କାର୍ଯ୍ୟାଳୟକୁ ଦାୟିତ୍ୱ ଦିଆଯାଇଛି। ତଥାପି ପ୍ରତି ବର୍ଷ ନବରଙ୍ଗପୁର ଜିଲ୍ଲାରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯୋଜନା ପ୍ରସ୍ତୁତ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର