ରାଉରକେଲା: ଲହୁଣୀପଡା ବ୍ଲକ୍ ଅନ୍ତର୍ଗତ କଲେଇପୋଷର ଏକ ଇଟାଭାଟିରେ ଇଟା ତିଆରି ବେଳେ ତତଲା ‘ବେଡ୍ ମାଟେରିଆଲ୍ (ସ୍ପଞ୍ଜ କାରଖାନାର ପାୱାର୍ ପ୍ଲାଣ୍ଟ୍ରୁ ନିର୍ଗତ ପାଉଁଶ) ସଂସ୍ପର୍ଶରେ ଆସି ୫ ଜଣ ଶ୍ରମିକ ଜଳିଯାଇ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ (ଆର୍ଜିଏଚ୍) ବର୍ଣ୍ଣ ସେଣ୍ଟର୍ରେ ଭର୍ତ୍ତି କରା ଯାଇଛି। ଗୁରୁତରମାନେ ହେଲେ ଲହୁଣୀପଡା ବ୍ଳକ୍ କେନ୍ଦୁଡିହିର ସୁଶୀଲ ମୁଣ୍ଡା (୧୫), ମଣ୍ଟୁ ମୁଣ୍ଡା (୧୯), ଲହୁଣୀପଡାର ଅବିନାଶ ପ୍ରଧାନ (୨୮), ନୂଆପଡାର ଜଗବନ୍ଧୁ କିଷାନ (୨୫) ଓ ଫୁଲଝରର ସୂରଯ ନାୟକ (୧୬)। ସମସ୍ତଙ୍କ ଗୋଡ଼ ଓ ହାତର ପ୍ରାୟ ୩୦ % ପୋଡ଼ିଯାଇଛି। ଏହା ସହିତ ସୂରଯ ଓ ସୁଶୀଲଙ୍କ ମୁହଁ ମଧ୍ୟ ସାମାନ୍ୟ ପୋଡି ଯାଇଛି। ଲହୁଣୀପଡା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଲହୁଣୀପଡାର କଲେଇପୋଷରେ ଉତ୍ତମ କିଷାନଙ୍କର ଏକ ଇଟାଭାଟି ରହିଛି। ଇଟା ଭାଟିରେ ସ୍ଥାନୀୟ ଅଞ୍ଚଳର ୧୫ରୁ ଅଧିକ ଶ୍ରମିକ ଇଟା ତିଆରି କରନ୍ତି। ପ୍ରତିଦିନ ପରି ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଏହି ୫ ଜଣ ଶ୍ରମିକ ଇଟା ତିଆରି କରୁଥିଲେ। ସେତିକିବେଳେ ସ୍ପଞ୍ଜ କାରଖାନାରୁ ଉତ୍ତପ୍ତ ପାଉଁଶ ବୋଝେଇ ଡମ୍ପର୍ ଇଟାଭାଟିକୁ ପଶିଥିଲା। ଉତ୍ତପ୍ତ ପାଉଁଶକୁ ଅନ୍ୟତ୍ର ନ ଢାଳି ଇଟା ତିଆରି କରୁଥିବା ଶ୍ରମିକଙ୍କ ନିକଟରେ ଢାଳି ଦେବାରୁ ସେ ଉତ୍ତପ୍ତ ପାଉଁଶରୁ କିଛି ବିଞ୍ଚିହୋଇ କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଇଟାଭାଟିରୁ ଉଦ୍ଧାର କରି ପ୍ରଥମେ ଲହୁଣୀପଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଆର୍ଜିଏଚ୍ ଅଣା ଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁରୁତର ହୋଇଥିବା ଶ୍ରମିକଙ୍କ ଭିତରେ ଅଛନ୍ତି ଦୁଇଜଣ ନାବାଳକ। ସେହି ଦୁଇ ବାଳଶ୍ରମିକଙ୍କୁ କିପରି ଇଟାଭାଟିରେ କାମ କରିବାକୁ ଅନୁମତି ଦିଆ ଯାଇଥିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ସ୍ବୟଂ ଆହତ ଶ୍ରମିକମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସେମାନଙ୍କ ଭିତରୁ ଦୁଇଜଣ ନାବାଳକ ହୋଇଥିବାବେଳେ ଇଟାଭାଟିର ମାଲିକ ଶ୍ରୀ କିଷାନ କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ତାଙ୍କ ଭାଟିରେ କୌଣସି ନାବାଳକ କାମ କରୁ ନଥିଲେ। ତେବେ ଘଟିଥିବା ଦୁର୍ଘଟଣାକୁ ସେ ସ୍ବୀକାର କରିଛନ୍ତି।