ଶିକାରୀ ହେଲା ଶିକାର, ଚୈତ୍ର ପରବ ବେଣ୍ଟରେ ଅଘଟଣ

ମାଲକାନଗିରି: ଚୈତ୍ର ବେଣ୍ଟ ଶିକାର ସମୟରେ ଅଘଟଣ। ତୀର ବାଜି ଶିକାରୀ ହୋଇଗଲା ଶିକାର। ଏଭଳି ଏକ ଅଭାବୀନୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ। ରାସବେଡା ପଞ୍ଚାୟତର ଶିକାରୀ ସନିଆ ମିରଗମ (୨୮)ଙ୍କ ଛତିରେ ଦୁଇଟି ତୀର ବାଜିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଏନେଇ କୁଡୁମୁଲୁଗୁମ୍ମା ଥାନାରେ ଏତଲା ଦିଆଯାଇଛି। କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇଲା ତାହାର ଯାଞ୍ଚ ଆରମ୍ଭ କରିଛି ପୁଲିସ।

ସୂଚନା ଅନୁଯାୟୀ, ଚୈତ୍ର ପର୍ବ ଶେଷରେ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ପୁରୁଷମାନେ ଶିକାର କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥାନ୍ତି। ଏହିକ୍ରମରେ ସିନ୍ଧିଗୁଡା ଗାଁ ନିକଟସ୍ଥ ଜଙ୍ଗଲକୁ ଆଖପାଇ ଗାଁର ୩୦ରୁ ଊର୍ଧ୍ବ ଜଣ ଶିକାର କରିବାକୁ ଯାଇଥିଲେ। ଧନୁତୀର, ବର୍ଚ୍ଛା, ଟାଙ୍ଗିଆ, ଖଣ୍ଡା ଆଦି ଧରି ସେମାନେ ବାର୍‌ହା, କୁଟୁରା ଆଦି ଶିକାର କରିବାକୁ ଜଙ୍ଗଲରେ ପଶିଥିଲେ। କୌଣସି ବନ୍ୟଯନ୍ତୁ ହାବୁଡ଼ରେ ପଡ଼ିଥିବା ବେଳେ ଘେରାବନ୍ଦୀ କରି ମାରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସନିଆ ମିରଗମଙ୍କ ଛାତିରେ ଦୁଇଟି ତୀର ଲାଗ ଲାଗି ଆସି ବାଜିଥିଲା। କିଛି ସମୟ ଛଟପଟ ହୋଇ ସେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। କିଏ ଏବଂ କାହିଁକି ସନିଆଙ୍କୁ ଲକ୍ଷ୍ୟ କରି ତୀର ମାରିଲା ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ‌ଶିକାରୀ ବେଶରେ କେହି ଜଣେ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି। ଏନେଇ ସନିଆଙ୍କ ଦାଦା ମଙ୍ଗଳା ଖିଲ କୁଡୁମୁଲୁଗୁମ୍ମା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଶବ ଜବତ ପରେ ବ୍ୟବଚ୍ଛେଦ କରାଇଛି। ବେଣ୍ଟ ଶିକାରରେ ସନିଆଙ୍କୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା ହୋଇଥିଲା ବୋଲି ମଧ୍ୟ କୁହାଯାଉଛି। ପରିବାର ଲୋକ ବି ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛନ୍ତି। ପୁଲିସର ତଦନ୍ତ ପରେ ହିଁ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର