ଦୁର୍ଘଟଣା ଆର୍‌ଏସ୍‌ପି ପିଛା ଛାଡ଼ୁନି: ହଟ୍‌ ଷ୍ଟ୍ରିପ୍‌ ମିଲ୍‌ ଅଚଳ, କ୍ଷତି ୩୫ କୋଟି

ରାଉରକେଲା: ଟ୍ୟୁୟର ନଂ-୨୩ର ବ୍ଲୋ ପାଇପ୍‌ ଫାଟିବା ପରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)ର ଭାତହାଣ୍ଡି ଭାବେ ବିବେଚିତ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’କୁ କର୍ତ୍ତୃପକ୍ଷ ଗତ ୨୨ ତାରିଖ ଭୋର୍‌ରେ ବନ୍ଦ କରି ମରାମତି ଆରମ୍ଭ କରିଥିଲେ। ପ୍ରାୟ ୧୨ ଘଣ୍ଟା ପରେ ଦୁର୍ଗା କାର୍ଯ୍ୟକ୍ଷମ ହେବା ଆରମ୍ଭ କରିବାର ୭ ଘଣ୍ଟା ନଯାଉଣୁ ରବିବାର ରାତି ପ୍ରାୟ ୧୧ଟାରେ ପ୍ଲାଣ୍ଟ୍‌ର ଦ୍ୱିତୀୟ ପ୍ରମୁଖ ଉତ୍ପାଦନକାରୀ ଶାଖା ହଟ୍‌ ଷ୍ଟ୍ରିପ୍‌ ମିଲ୍‌ (ଏଚ୍‌ଏସ୍‌ଏମ୍‌)ର ପାଥ୍‌-୧ରେ ଖଚିତ କଏଲ୍‌ ଟର୍ଣ୍ଣିଂ ଡିଭାଇସ୍‌ (ସିଟିଡ଼ି)ର ମୋଟର୍‌ ଜଳିଯିବାରୁ ସ୍ୱୟଂଚଳିତ ଉତ୍ପାଦନ ପ୍ରକ୍ରିୟା ଗୁରୁତର ଭାବେ ବ୍ୟାହତ ହୋଇଛି। ଇତିମଧ୍ୟରେ ୪୮ ଘଣ୍ଟା ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ ସିଟିଡ଼ି ମରାମତି ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଆସନ୍ତାକାଲି ସକାଳ ସୁଦ୍ଧା ମରାମତି ଶେଷ ହୋଇ ଏଚ୍‌ଏସ୍‌ଏମ୍‌ କାର୍ଯ୍ୟକ୍ଷମ ହେବା ସମ୍ଭାବନା ଅଛି ବୋଲି କାର୍ଯ୍ୟରତ କର୍ମଚାରୀଙ୍କ ସୂତ୍ରରୁ ଖବର ମିଳିଛି।

ଏଭଳି ପରିସ୍ଥିତିରେ କର୍ତ୍ତୃପକ୍ଷ କେବଳ କାମଚଳା ନ୍ୟାୟରେ ଏଚ୍‌ଏସ୍‌ଏମ୍‌ର ପାଥ୍‌-୨କୁ ଚାଲୁ ରଖିଛନ୍ତି। ତେବେ ସେଥିରେ ସ୍ୱୟଂଚାଳିତ ସିଟିଡ଼ି ନଥିବାରୁ ବିଳମ୍ବରେ ବାହାରୁଥିବା ଉତ୍ତପ୍ତ ଲୌହ କଏଲ୍‌କୁ କ୍ରେନ୍‌ ଯୋଗେ ସ୍ଥାନାନ୍ତର କରାଯାଉଛି। ଫଳରେ ରବିବାର ରାତିରୁ ଆଜି ରାତିଯାଏ ଅତି ବେଶିରେ ପ୍ରାୟ ଦୁଇ ହଜାର ଟନ୍‌ ଉତ୍ତପ୍ତ କଏଲ୍‌ ଉତ୍ପାଦିତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ସିଟିଡ଼ିର ଦୈନିକ ଉତ୍ପାଦନ କ୍ଷମତା ୭ ହଜାର ଟନ୍‌ ହୋଇଥିବା ବେଳେ ସେଥିରୁ ହାରାହାରି ୬.୫ ହଜାର ଟନ୍‌ କଏଲ୍‌ ଉତ୍ପାଦିତ ହୋଇଥାଏ। ଏହି ହିସାବରେ ଉପରୋକ୍ତ ଯାନ୍ତ୍ରିକ ଦୁର୍ଘଟଣା ଯୋଗୁଁ ୪୮ ଘଣ୍ଟା ମଧ୍ୟରେ ଉତ୍ତପ୍ତ କଏଲ୍‌ ଉତ୍ପାଦନ ପ୍ରାୟ ୧୧ ହଜାର ଟନ୍‌ ହ୍ରାସ ପାଇଛି। ବଜାର ମୂଲ୍ୟ ଟନ୍‌ ପିଛା ୩୫୦୦୦ ଟଙ୍କା ହିସାବରେ ଆର୍‌ଏସ୍‌ପିର ୩୫ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା ଆକଳନ କରାଯାଉଛି।

କୌତୁହଳର ବିଷୟ ହେଲା-ଗତ ରବିବାର ରାତିରୁ ଏଚଏସ୍‌ଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଆର୍‌ଏସ୍‌ପି ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନଥିଲା। ଅଘଟଣର ପ୍ରାୟ ୪୧ ଘଣ୍ଟା ପରେ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ପ୍ରେସ୍‌ ଇସ୍ତାହାରରେ ତାହାକୁ ସ୍ୱୀକାର କରାଯାଇଛି।

ସମ୍ବନ୍ଧିତ ଖବର