ମଝି ସମୁଦ୍ରରେ ବୁଡ଼ିଗଲା ଟ୍ରଲର୍‌

ଅଧାରେ ଛାଡ଼ି ପଳାଇଲା ତଟ ସୁରକ୍ଷା ବାହିନୀ

ପୁରୀ: ତଟସୁରକ୍ଷା ବାହିନୀଙ୍କ ଅସହଯୋଗ ଯୋଗୁ ମତ୍ସଜୀବୀଙ୍କ ଏକ ଟ୍ରଲର୍‌ ଆଜି ମଝି ସମୁଦ୍ରରେ ବୁଡ଼ିଯାଇଛି। ଟ୍ରଲରରେ ୨ ଟନ୍‌ ଡିଜେଲ୍‌ ଓ ବହୁ ମାଛଧରା ଜାଲ ରହିଥିଲା। ମତ୍ସଜୀବୀମାନେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଟ୍ରଲରରୁ ପରିବାର ପ୍ରତିପୋଷଣ କରୁଥିବା ମତ୍ସଜୀବୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଅସ୍ତରଙ୍ଗର ୧୦ ଜଣ ମତ୍ସ୍ୟଜୀବୀ ଗତ ୮ ତାରିଖରେ ମାଛ ମାରିବାକୁ ଚିଲିକାକୁ ଯାଇଥିଲେ। ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଗତ ୧୦ ତାରିଖରେ ଚିଲିକାଠାରୁ କିଛି ଦୂରରେ ଟ୍ରଲରଟି ଅଚଳ ହୋଇ ଯାଇଥିଲା। ଯୋଗଯୋଗ ପରେ ତଟସୁରକ୍ଷା ବାହିନୀ ଅନ୍ୟ ଏକ ଡଙ୍ଗା ଯୋଗେ ଟ୍ରଲରଟିକୁ ଆଣି ଗତ ୧୩ ତାରିଖରେ ଅସ୍ତରଙ୍ଗ ବଦଳରେ ପେଣ୍ଠକଟା ନିକଟସ୍ଥ ସମୁଦ୍ର ତଟଠାରୁ ୨ କିଲୋମିଟର ଦୂରରେ ଟ୍ରଲରଟିକୁ ଛାଡ଼ି ଦେଇ ପଳାଇଥିଲା। ଏହି ସମୟରେ ଟ୍ରଲରରେ ୧୦ ଜଣ ମତ୍ସ୍ୟଜୀବୀ ଥିଲେ। ମତ୍ସ୍ୟଜୀବୀମାନେ ଅସ୍ତରଙ୍ଗରେ ଛାଡ଼ିବାକୁ ନେହୁରା ହୋଇଥିଲେ ବି ତଟସୁରକ୍ଷା ବାହିନୀ ଏହା ଶୁଣିନଥିଲେ। ଟ୍ରଲର ମାଲିକ ଜଣକ ଅସ୍ତରଙ୍ଗର ହୋଇଥିବା ବେଳେ ମତ୍ସ୍ୟଜୀବୀମାନେ ଟ୍ରଲର ମାଲିକଙ୍କୁ ଯୋଗାଯୋଗ କରି ଅନ୍ୟ ଏକ ଡଙ୍ଗାରେ କୂଳରେ ପହଞ୍ଚିଥିଲେ। କିନ୍ତୁ ଟ୍ରଲରଟି ସମୁଦ୍ର ଭିତରେ ଅଟକି ରହି ଯାଇଥିଲା। ତିନି ଦିନର ପ୍ରବଳ ବର୍ଷା ଯୋଗୁ ଟ୍ରଲରରେ ପାଣି ପଶି ଏହା ଆଜି ସକାଳ ୮ଟାରେ ସମୁଦ୍ରରେ ବୁଡ଼ିଯାଇଛି। ଟ୍ରଲରଟି ବୁଡ଼ିଯିବା ପରେ ତାଙ୍କ ବେଉସା ବୁଡ଼ିଯାଇଛି ବୋଲି ଜଣେ ମତ୍ସ୍ୟଜୀବୀ କେ. ସତ୍ତିବାବୁ କହିଛନ୍ତି।

ସମ୍ବନ୍ଧିତ ଖବର