ଟ୍ରାନ୍ସପୋର୍ଟିଂ ବିଲ୍ କରିବାକୁ ଲାଞ୍ଚ ମାମଲା : ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ୍‌

ଫୁଲବାଣୀ : ବୌଦ୍ଧ ଓଡିଶା ଫରେଷ୍ଟ ଉନ୍ନୟନ ନିଗମର ଆକାଉଣ୍ଟାଣ୍ଟ କେ.କାମେଶ୍ବର ପାତ୍ରଙ୍କୁ ୨ ବର୍ଷ ‌େଜଲ୍‌ଦଣ୍ଡ ପ୍ରଦାନ କରାଯାଇଛି। ଟ୍ରାନ୍ସପୋର୍ଟିଂ ବିଲ୍ କରିବାକୁ ଲାଞ୍ଚ ନେବା ମାମଲାର ଶୁଣାଣି କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ ଜଜ୍ ଭଗବାନ ପ୍ରଧାନ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହିତ, ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଏବଂ ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେନିଗଡର ମଧୁସୂଦନ ମହାପାତ୍ରଙ୍କ ପତ୍ନୀ ଲଳିତା କୁମାରୀ ମହାପାତ୍ରଙ୍କ ନାଁରେ ଟ୍ରାନ୍ସପୋର୍ଟିଂ ଲାଇସେନ୍‌ସ ରହିଛି। ବୌଦ୍ଧ ଫରେଷ୍ଟ ଉନ୍ନୟନ ନିଗମରୁ ଶ୍ରୀମତୀ ମହାପାତ୍ରଙ୍କ ଗାଡ଼ି ଲାଗିଥିବାବେଳେ ବିଲ ବାବଦକୁ ୪୫ ହଜାର ଟଙ୍କା ମିଳିବାକୁ ଥିଲା। ଏନେଇ ଶ୍ରୀମତୀ ମହାପାତ୍ରଙ୍କ ସ୍ବାମୀ ମଧୁସୂଦନ ନିଗମର ଆକାଉଣ୍ଟାଣ୍ଟଙ୍କୁ ଦେଖା କରି ବିଲ କରିବାକୁ ଅନୁରୋଧ କରିଥିଲେ। ହେଲେ ଏଥିନିମନ୍ତେ ସେ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ମଧୁସୂଦନ ବ୍ରହ୍ମପୁର ଭିଜିଲାନସ ଏସ୍‌ପିଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ଗତ ୨୦୧୬ ମସିହା ଫେବୃଆରୀ ୧୬ ତାରିଖରେ ମଧୁସୂଦନ ଆକାଉଣ୍ଟାଣ୍ଟଙ୍କୁ ଅଫିସରେ ୩ ହଜାର ଟଙ୍କା ଦେବା ସମୟରେ ଫୁଲବାଣୀ ଭିଜିଲାନସ ଇନ୍ସପେକ୍ଟର ପୁଲସ୍ତି ଛତ୍ରିଆଙ୍କ ନେତୃତ୍ବ ଟିମ ଚଢାଉ କରିଥିଲା। ଲାଞ୍ଚ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ରାୟ ଆଜି ପ୍ରକାଶ ପାଇଥିବାବେଳେ ସମୁଦାୟ ୧୧ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେଶ କୁମାର ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର