କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ, ୨ ଅଟକ

ଟିକ୍ରାପଡ଼ା/ସଇନ୍ତଲା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଝରବାହାଲି ଗାଁରେ ଥିବା ଏକ କୁକୁଡ଼ା ଫାର୍ମର ମାଲିକ ଜଗଦୀଶ ମନହୀରା (୪୯)ଙ୍କୁ ମଙ୍ଗଳବାର ରାତିରେ ହତ୍ୟା କରାଯାଇଛି। ଫାର୍ମରେ ତାଙ୍କ ଶବ ପଡ଼ିଥିବା ବେଳେ ବୁଧବାର ପରିବାର ଲୋକେ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଅଭିଯୁକ୍ତ ଗଣେଶ ବଗର୍ତ୍ତି(୩୦)କୁ ପୁଲିସ ଗିରଫ କରିଥିବା ବେଳେ ତା’ର ବାପା ଓ ସାନ ଭାଇଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଝରବହ।ଲି ଗାଁର ଜଗଦୀଶ ମଙ୍ଗଳବାର ସାଙ୍ଗମାନଙ୍କ ସହ କ୍ରିକେଟ ଦେଖିବା ପରେ ରାତିରେ ତାଙ୍କ କୁକୁଡ଼ା ଫାର୍ମକୁ ଯାଇ ଶୋଇଥିଲେ। ପରଦିନ ସକାଳୁ ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ପତ୍ନୀ ଖଗେଶ୍ୱରୀ ମନହୀରା ଫାର୍ମକୁ ଯାଇଥିଲେ। ସେଠାରେ ଜଗଦୀଶଙ୍କ ଶବ ପଡ଼ିଥିବା ଦେଖି ନିଜକୁ ସମ୍ଭାଳି ପାରିଲେନି। କାନ୍ଦ ବୋବାଳି ଆରମ୍ଭ କରି ଦେବାରୁ ସାହି ପଡ଼ିଶା ଲୋକେ ଘଟଣାସ୍ଥଳକୁ ଆସିଥିଲେ। ଖବର ପାଇ ଟିକ୍ରାପଡ଼ା ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସନ୍ଦେହରେ ଅଭିଯୁକ୍ତ ଗଣେଶକୁ ଆଣି ପଚରା ଉଚରା କରିଥିଲା। ଏଥିରେ ଅଭିଯୁକ୍ତ ଗଣେଶ ସବୁକିଛି ମାନି ଯାଇଥିଲା। ତା’ର କହିବା ଅନୁସାରେ, କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ‌ହୋଇଥିଲା। ‌ସେତେବେଳେ ଜଗଦୀଶଙ୍କୁ ଗଣେଶ ନିଶ୍ଚୟ ହତ୍ୟା କରିବ ବୋଲି ଧମକ ଦେଇଥିଲା। ମଙ୍ଗଳବାର ରାତିରେ ‌ସୁଯୋଗ ପାଇ ଗଣେଶ ଏକ ଅସ୍ତ୍ରରେ ଜଗଦୀଶଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ମରି ଯାଇଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ବି ପୁଲିସ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ହତ୍ୟା ପଛରେ ଆଉ କିଛି ଲୋକଙ୍କ ହାତ ଥିବା ସ‌ନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର