ଆଚାର୍ଯ୍ୟ ହରିହର ସ୍କୁଲ: ବିପର୍ଯ୍ୟସ୍ତ ଶିକ୍ଷା, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ଗୋଟିଏ କୋଠରୀରେ ୩ ଶ୍ରେଣୀ

ରାଉରକେଲା: ପାଠ୍ୟ ପୁସ୍ତକ, ମାଧ୍ୟାହ୍ନ ଭୋଜନ, ପୋଷାକ, ସାଇକେଲ ସବୁ କିଛି ମାଗଣା। ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ସହ ସ୍ୱାଗତ ଉତ୍ସବ। ଦେଶର ଭବିଷ୍ୟତଙ୍କୁ ଗଢ଼ିବାକୁ ପ୍ରାଥମିକ ଶିକ୍ଷାରେ ସରକାର କାର୍ଯ୍ୟକାରୀ କରୁଛନ୍ତି ଏଭଳି ଅନେକ ଯୋଜନା। ହେଲେ ବାସ୍ତବତା ଭିନ୍ନ। ଏବେ ବି ଅନେକ ସ୍କୁଲ ବିପର୍ଯ୍ୟସ୍ତ ଅବସ୍ଥାରେ। ପଡ଼ି ଉଠି ଚାଲୁଥିବା ସ୍କୁଲରେ ପିଲାଙ୍କୁ ଶିକ୍ଷାଦାନ ବି ମୁମୂର୍ଷୁ କହିଲେ ଭୁଲ ହେବ ନାହିଁ। ସ୍କୁଲ ମୁହାଁ କରିବାକୁ ଥିବା ବ୍ୟବସ୍ଥା ଉପଲବ୍ଧ ନହେବା କାରଣରୁ ପିଲା ସରକାରୀ ସ୍କୁଲକୁ ମୁହଁ ମୋଡ଼ୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ପ୍ଲାଣ୍ଟ ସାଇଟ୍‌ ରୋଡ୍‌ ସ୍ଥିତ ଆଚାର୍ଯ୍ୟ ହରିହର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପ୍ରାଥମିକ ବିଦ୍ୟାଳୟରେ ୮୦ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ଯେଉଁ ଦିନ ୬୦ରୁ ଅଧିକ ଉପସ୍ଥାନ ପଡ଼େ, ତାହା ସ୍କୁଲ ପାଇଁ ଦୁର୍ଭାଗ୍ୟ ଡାକି ଆଣେ। କାରଣ ୨ଟି ମାତ୍ର କୋଠରୀରେ ୫ଟି ଶ୍ରେଣୀର ପିଲା ବସିବା ସହଜ ହୁଏ ନାହିଁ। ସେହିପରି ୫ଟି ଶ୍ରେଣୀକୁ ୨ ଶିକ୍ଷକ କେବଳ ଜଗନ୍ତି କହିଲେ ଠିକ୍‌ ହେବ। କୌଣସି କାରଣରୁ ଜଣେ ଶିକ୍ଷକ ଛୁଟିରେ ରହିଲେ ୫ଟି ଶ୍ରେଣୀର ଦାୟିତ୍ୱ ଜଣକୁ ହିଁ ମୁଣ୍ଡାଇବାକୁ ପଡ଼େ ବୋଲି ପ୍ରଧାନଶିକ୍ଷୟିତ୍ରୀ ସ୍ମିତା ଦାସ କହନ୍ତି। ସ୍କୁଲରେ ଆଉ ୨ ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିଲେ ବି ସେଥିପ୍ରତି କାହାର ନଜର ନାହିଁ। ଅନ୍ୟପଟେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ବି ତଦୃପ। ସ୍କୁଲରେ ୩୦ ଜଣ ପିଲା ପଢ଼ୁଥିବା ବେଳେ ୪ଟି ଶ୍ରେଣୀ କୋଠରୀ ଓ ୩ ଜଣ ଶିକ୍ଷକ ଶିକ୍ଷାଦାନ କରି ଆସୁଛନ୍ତି।

କେବଳ ଶ୍ରେଣୀ ଗୃହ କି ଶିକ୍ଷକ ନୁହନ୍ତି, ବିଦ୍ୟାଳୟର ପରିବେଶ ବି ଅସ୍ୱାସ୍ଥ୍ୟକର, ଅସଜଡ଼ା। ଚାରିକଡ଼େ ଡ୍ରେନ୍‌ ଓ ଭିତରେ ଘଞ୍ଚ ଜଙ୍ଗଲ ଥିବାରୁ ପିଲାମାନେ ମଶା ମାଛିଙ୍କ କବଳରେ ପଡ଼ିଥାନ୍ତି। ଘାସ, ଲଟା ଭିତରେ ମଧ୍ୟାହ୍ନ ଭୋଜନ ଖାଇବାର ଦୁଃଖ। ଏହା ବ୍ୟତୀତ ବିଦ୍ୟାଳୟରେ ପାଣିର ସୁବିଧା ନାହିଁ କି ଶୌଚାଳୟକୁ ଯିବା ପାଇଁ ରାସ୍ତା ନାହିଁ। ଶୌଚାଳୟ ଚାରିକଡ଼େ ବୁଦା ଓ ଘାସ ଭର୍ତ୍ତି ହୋଇଥିବାରୁ ପିଲାମାନଙ୍କୁ ତାହା ନିରାପଦ ନୁହେଁ। ଏବେ ତାକୁ ବିଦ୍ୟାଳୟ ବାହାରେ ଥିବା ବସ୍ତି ଲୋକ ମାଡ଼ି ବସିଛନ୍ତି। ବିଦ୍ୟାଳୟର ପାଚେରି ଭାଙ୍ଗିଯାଇଥିବାରୁ ବାହାର ଲୋକ ଭିତରକୁ ପଶୁଛନ୍ତି ଏବଂ ରାତି ହେଲେ ବିଦ୍ୟାଳୟ ପରିସରଟି ଅସାମାଜିକଙ୍କ ଆଡ୍ଡା ପାଲଟିଯାଉଛି। ପ୍ରତିଦିନ ସକାଳୁ ଆସିଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପିଲା ମିଶି ଏହାକୁ ସଫା କରିଥାନ୍ତି। ଏହି ବିଦ୍ୟାଳୟ ମହାନଗର ନିଗମ ଅଞ୍ଚଳରେ ଯାଉଥିଲେ ବି କେଉଁଦିନ ଏଠାରେ ସଫେଇ କାମ କରାଯାଏନି ବୋଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇନ୍‌ଚାର୍ଜ ସନ୍ତୋଷ ପାତ୍ର କହିଛନ୍ତି। ଏଭଳି ପରିବେଶ ଭିତରେ ବର୍ଷ ବର୍ଷ ଧରି ପିଲାମାନେ ଘାଣ୍ଟି ଚକଟି ହେଉଥିବା ବେଳେ ପାଠ ପଢ଼ା ଚୁଲିକୁ ଯାଇଛି ବୋଲି କୁହାଯାଇପାରେ। ବିଦ୍ୟାଳୟ ପକ୍ଷରୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ମଧ୍ୟ ଏଥପ୍ରତି କାହାର ନଜର ନାହିଁ। ଏତେ ସବୁ ଅଭାବ, ଅବ୍ୟବସ୍ଥା ଭିତରେ ଦେଶର ଭବିଷ୍ୟତ ଯେ ଅନ୍ଧକାର ଆଡ଼କୁ ଠେଲି ହେଉ ଯାଉଛି, ତାହା କହିବା ବାହୂଲ୍ୟ। ବିଦ୍ୟାଳୟର ସାମଗ୍ରିକ ବିକାଶ ଓ ପିଲାଙ୍କ ମୌଳିକ ଆବଶ୍ୟକତା ପ୍ରତି ଧ୍ୟାନ ଦେଇ ଛାତ୍ରଛାତ୍ରୀଙ୍କୁ ଅନ୍ଧକାରରୁ ମୁକ୍ତି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର