ଗୁଜବ କଲେ କଡ଼ା କାର୍ଯ୍ୟାନୁଷ୍ଠାନ; କରୋନା ରୋଗୀ ନୁହେଁ, ରୋଗର ମୁକାବିଲା ପାଇଁ ଆହ୍ବାନ

ଭୁବନେଶ୍ବର : କରୋନା(କୋଭିଡ-୧୯) ସଂପର୍କରେ କିଛି ଅସାମାଜିକ ବ୍ୟକ୍ତି ଗୁଜବ ସୃଷ୍ଟି କରୁଛନ୍ତି। ରାଜଧାନୀରେ ଏଭଳି କିଛି ଯୁବକ ଏକ ଶିକ୍ଷାନୁଷ୍ଠାନ ନାଁରେ ଗୁଜବ ସୃଷ୍ଟି କରିଛନ୍ତି। ଗୁଜବ ଅନୁସାରେ ୧୫ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ଏପରିକି ଏହାକୁ ରାଷ୍ଟ୍ରଦ୍ରୋହ ସହିତ ତୁଳନା ମଧ୍ୟ କରାଯାଇପାରେ। ତେଣୁ କୌଣସି ବ୍ୟକ୍ତି ଯଦି ଆଗକୁ ଏଭଳି ଗୁଜବ ସୃଷ୍ଟି କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ ଯେ ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି। କରୋନା କୌଣସି ଧନୀ, ଗରିବ, ଜାତି, ଧର୍ମ ବିଶେଷ ନୁହେଁ ବରଂ ମାନବ ଜାତି ପାଇଁ ବିପଦ ସୃଷ୍ଟି କରିଛି। ଏହା ଯେ କୌଣସି ସମୟରେ ଯେ କୌଣସି ବ୍ୟକ୍ତିକୁ ସଂକ୍ରମିତ କରିପାରେ। କାନାଡ଼ାର ପ୍ରଧାନମନ୍ତ୍ରୀଙ୍କ ପତ୍ନୀ, ବ୍ରିଟିସ ପ୍ରଧାନମନ୍ତ୍ରୀ, ପ୍ରିନ୍ସ ଚାଲ୍‌ର୍ସ ଓ ଇରାନର ଉପ ରାଷ୍ଟ୍ରପତି ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଆମେ ରୋଗୀ ନୁହେଁ, ରୋଗର ମୁକାବିଲା କରିବା ଉଚିତ୍। କରୋନାରେ ଆକ୍ରାନ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାର ଲୋକଙ୍କୁ କୌଣସି ପ୍ରକାର ଘୃଣା, ଲାଞ୍ଛନା କିମ୍ବା ତିରସ୍କାର କରନ୍ତୁ ନାହିଁ। ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିନ୍ଦା କିମ୍ବା ତିରସ୍କାର କଲେ ଏହାର ସିଧାସଳଖ ପ୍ରଭାବ ସମାଜ ଉପରେ ପଡ଼ିବ।

କ‌ରୋନା ସନ୍ଦିଗ୍ଧ ବ୍ୟକ୍ତି ଜଣକ ଯଦି ନିଜର ଲକ୍ଷଣକୁ ଲୁଚାଇବେ ତେବେ ପରବର୍ତୀ ସମୟରେ ଜଣେ ଜଣେ ସୁପର ସ୍ପ୍ରେଡର ବା ଦ୍ରୁତ ସଂକ୍ରାମକ ପାଲଟିଯିବେ। ଯାହାଫଳରେ ଯେଉଁ ବ୍ୟକ୍ତି ଜଣକ ଲାଞ୍ଛନା କିମ୍ବା ତିରସ୍କାର କରିଥିବେ ସର୍ବପ୍ରଥମେ ‌‌ସେହି ବ୍ୟକ୍ତିଙ୍କୁ କରୋନା ଛୁଇଁବ। କରୋନାରେ ଆକ୍ରାନ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ ସାହାଯ୍ୟ ଓ ସମବେଦନା ଦେବାକୁ ପଡ଼ିବ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ସମ୍ବନ୍ଧିତ ଖବର